www.samajalive.in
Friday, December 12, 2025
16.1 C
Bhubaneswar

ସର୍ଜିକାଲ ଷ୍ଟ୍ରାଇକ୍‍

୨୦୧୬ ସେପ୍ଟେମ୍ବର ମାସରେ ଜାମ୍ମୁ-କାଶ୍ମୀରର ଉରିସ୍ଥିତ ଭାରତୀୟ ସେନାର ବ୍ରିଗେଡ଼ ହେଡକ୍ୱାର୍ଟର ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପରେ ପାକିସ୍ତାନ ବିରୋଧରେ ଭାରତ ସରକାରଙ୍କ ତରଫରୁ ଅନେକ ବେସାମରିକ ଓ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହିସବୁ କାର୍ଯ୍ୟାନୁଷ୍ଠାନକୁ ଦେଶବାସୀ ସମର୍ଥନ ଜଣାଇଥିଲେ ଏବଂ ଏହାର ଶେଷ ପରିଣତି ଥିଲା “ସର୍ଜିକାଲ ଷ୍ଟ୍ରାଇକ୍‍”, ଯାହାକୁ କି ଦେଶବ୍ୟାପୀ ଭୂରିଭୂରି ପ୍ରଶଂସା କରାଯାଇଥିଲା। ଏହି ସର୍ଜିକାଲ ଷ୍ଟ୍ରାଇକରେ ନିୟନ୍ତ୍ରଣ ରେଖା ଆରପଟେ ଥିବା ଅନେକଗୁଡ଼ିଏ ଆତଙ୍କବାଦୀ ଆଡ୍ଡା/ଲଂଚ୍‍ପ୍ୟାଡ଼ ଉପରେ ୨୦୧୬ ସେପ୍ଟେମ୍ବର ୨୮/୨୯ ତାରିଖ ରାତିରେ ଏକାସଙ୍ଗେ ଆକ୍ରମଣ କରାଯାଇଥିଲା। ଏହି ସର୍ଜିକାଲ ଷ୍ଟ୍ରାଇକ୍‍ ସଂପର୍କରେ ଭାରତୀୟ ସେନା ପକ୍ଷରୁ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମିଲିଟାରୀ ଅପରେସନ୍ସର ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ। ନିୟନ୍ତ୍ରଣ ରେଖା ଅତିକ୍ରମ କରି ଆତଙ୍କବାଦୀମାନଙ୍କ ପକ୍ଷରୁ ଯେଉଁଭଳି ଭାବେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଥିଲା ତାହାର ଠିକଣା ଓ ଅନୁରୂପ ଜବାବ ଭାରତୀୟ ସେନା ଦେଇଛନ୍ତି ବୋଲି ସେ ସୂଚାଇଥିଲେ।
ଏହା ଅନସ୍ୱୀକାର୍ଯ୍ୟ ଯେ କାଶ୍ମୀରରେ ପାକିସ୍ତାନ ଯେଉଁ ଛାୟା ଯୁଦ୍ଧ ଜାରି ରଖିଛି ଉରି ସେନା ଶିବିର ଉପରେ ହୋଇଥିବା ଆତଙ୍କବାଦୀଙ୍କ ବର୍ବରକାଣ୍ଡ ଏହାର ଏକ ନମୁନା ଓ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଏହି ଘଟଣା ହିଁ ପାକିସ୍ତାନ ସଂପର୍କରେ ଭାରତର ପୂର୍ବ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ  ଘଟାଇବାକୁ ଏକ ପ୍ରକାର ବାଧ୍ୟ କରିଥିଲା। ଏହା ପରେ ଭାରତ ଏଲଓସି/ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରିବା ସକାଶେ ନିଜର ଆଭିମୁଖ୍ୟକୁ ଅଧିକ ଦୃଢ଼ ଓ କଠୋର କରିଥିଲା। ସର୍ଜିକାଲ ଷ୍ଟ୍ରାଇକ୍‍ ଯଦିଚ ଏକ ମାମୁଲି କଥା ନଥିଲା, ତଥାପି ଭାରତ ପ୍ରଥମ ଥର ପାଇଁ ସୀମା ପାର ହୋଇ ସେନା କାର୍ଯ୍ୟାନୁଷ୍ଠାନ କରିଥିବା ସ୍ୱୀକାର କରିଥିଲା। ଏହି ସ୍ୱୀକାରୋକ୍ତି ମାଧ୍ୟମରେ ଭାରତ ଜଣାଇବାକୁ ଚାହିଁଥିଲା ଯେ ସୀମାପାର ଆତଙ୍କବାଦକୁ ନିୟନ୍ତ୍ରଣ କରିବା ଦିଗରେ ଭାରତ ତାର ଆଭିମୁଖ୍ୟରେ ପରିବର୍ତ୍ତନ  କରିସାରିଛି। ଏହି ସର୍ଜିକାଲ ଷ୍ଟ୍ରାଇକ୍‍ ପାଇଁ ଦେଶବ୍ୟାପୀ ସମନ୍ୱୟ ରକ୍ଷା କରାଯାଇଥିଲା ଯାହାକୁ କି ପରଦିନ ଡ଼ିଜିଏମଓ ସାମ୍ବାଦିକ ସମ୍ମିଳନୀରେ ସର୍ବସାଧାରଣରେ ସ୍ୱୀକାର କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା। ପାକିସ୍ତାନୀ ସେନାଙ୍କ ପକ୍ଷରୁ ଯେଉଁପ୍ରକାର ଉତେଜନା ପ୍ରକାଶ କରାଯାଇଆସୁଥିଲା ତାହାର ଠିକଣା ଜବାବ ଦେବା ସକାଶେ ଭାରତ ତା’ର ଆଭିମୁଖ୍ୟରେ ଢ଼େର ପରିବର୍ତ୍ତନ କରିଛି ବୋଲି ବାର୍ତ୍ତା  ଦେବା ଥିଲା ଏହି ସାମ୍ବାଦିକ ସମ୍ମିଳନୀର ଲକ୍ଷ୍ୟ।

ଏହି ସର୍ଜିକାଲ୍‍ ଷ୍ଟ୍ରାଇକ୍‍ କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନଥିଲା ବୋଲି ସେତେବେଳେ ଉତରାଞ୍ଚଳର ସେନା କମାଣ୍ଡ୍‍ ମୁଖ୍ୟ ଲେଫ୍ଟନାଣ୍ଟ  ଜେନେରାଲ ଡ଼ି ଏସ ହୁଡ଼ା (ଅବସରପ୍ରାପ୍ତ) ସୂଚାଇଥିଲେ। ସେ ନିଜେ ସ୍ୱୀକାର କରିଥିଲେ ଯେ “ଏଭଳି ଆକ୍ରମଣ ଆମର ରେଞ୍ଜର ପ୍ରତିକ୍ରିୟା ପାଇଁ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ”। ପୁଣି ଭବିଷ୍ୟତରେ ଏଭଳି ଆକ୍ରମଣ କରାଯାଇପାରେ ବୋଲି ଏହାକୁ ଏକ “ପ୍ରାମାଣିକ କାର୍ଯ୍ୟାନୁଷ୍ଠାନ” ବୋଲି ଗ୍ରହଣ କରାଯାଇପାରେ। ଜେନେରାଲ ହୁଡ଼ାଙ୍କ ଏଭଳି ବିଶ୍ୱାସ ପାକିସ୍ତାନୀ ସେନାଙ୍କ ଦ୍ୱାରା ଦିଆଯାଇଥିବା ରେଡ଼ିଓ ବାର୍ତ୍ତାକୁ ଭାରତୀୟ ସେନା ପକ୍ଷରୁ ଇଂଟରସେପ୍ଟ କରାଯାଇଥିଲା ଏବଂ ସେଥିରେ ସେମାନେ କିଭଳି ଭୟ ଓ ଆତଙ୍କିତ ହୋଇପଡ଼ିଛନ୍ତି ତାହା ସ୍ପଷ୍ଟ ସୂଚୀତ ହୋଇଥିଲା। ଏପରିକି ପାକିସ୍ତାନୀ ସେନା ନିଜର ସୈନିକମାନଙ୍କ ଛୁଟିକୁ ବାତିଲ କରିଦେଇ ସେମାନେ ଯଥାଶୀଘ୍ର ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିବାର ପ୍ରମାଣ ରହିଥିଲା।
ସୀମାପାର ଉତେଜନା ଓ ଉଗ୍ରବାଦକୁ ଏଭଳି ଭାବେ ବଳ ପ୍ରୟୋଗ କରି ଦମନ କରିବାର ସାହସ ଓ କ୍ଷମତା ଭାରତର ରହିଛି ବୋଲି ଏହାଦ୍ୱାରା ପ୍ରମାଣିତ ହୋଇଥିଲା। ଭାରତୀୟ ଆକ୍ରମଣାତ୍ମକ ସାମରିକ କାର୍ଯ୍ୟାନୁଷ୍ଠାନ ଓ ଭବିଷ୍ୟତରେ ଏଭଳି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ସେଥିରୁ ସ୍ପଷ୍ଟ ହୋଇଥିଲା। ମୋଟ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‍ ସବୁ ଦୃଷ୍ଟିରୁ ବିପୁଳ ସଫଳତା ଲାଭ କରିଥିଲା। ସର୍ଜିକାଲ ଷ୍ଟ୍ରାଇକ୍‍ ପରେ ପରେ ଆନ୍ତର୍ଜାତିକ ସୀମାରେଖା ଓ ପ୍ରକୃତ ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନା ଯେଉଁଭଳି ଭାବେ ବାରମ୍ବାର ଏବଂ ଅଧିକରୁ ଅଧିକ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଥିଲା ତାହା ପାକିସ୍ତାନୀ ସେନାଙ୍କ ହତୋତ୍ସାହଭାବକୁ ସୂଚାଇଥିଲା। ଏହାଦ୍ୱାରା ପାକିସ୍ତାନୀ ସେନା ଦର୍ଶାଇବାକୁ ଚାହିୁଁଥିଲା ଯେ ସର୍ଜିକାଲ ଷ୍ଟ୍ରାଇକ୍‍ ବୋଲି କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ଏବଂ ସେମାନଙ୍କ ସୀମା ଉତେଜନା ଯଥାରୀତି ଜାରି ରହିଛି। କିନ୍ତୁ ନଗ୍ରୋଟା ଠାରେ ଏଭଳି ଦୀର୍ଘଶ୍ୱାସ ନେବାପରେ ପାକିସ୍ତାନୀ ସେନାଙ୍କ ପକ୍ଷରୁ ଯେଉଁଭଳି ଭାବେ ସୀମାନ୍ତରେ ଘନଘନ ଆକ୍ରମଣ କରାଯାଉଥିଲା ତାହା ହଠାତ୍‍ କମି ଯାଇଥିଲା। ଏହା ପ୍ରମାଣସିଦ୍ଧ କରିଥିଲା ଯେ ସର୍ଜିକାଲ ଷ୍ଟ୍ରାଇକ୍‍ ପାକିସ୍ତାନ ଉପରେ ଠିକ୍‍ କାମ କରିଛି ଏବଂ ଏହାର ବାହ୍ୟ ପ୍ରଭାବ ସେମାନଙ୍କ ଆଚରଣରୁ ସୁସ୍ପଷ୍ଟ।
ସର୍ଜିକାଲ ଷ୍ଟ୍ରାଇକ୍‍ ସହ ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ସିଏଫଭିକୁ ମଧ୍ୟ ଅନୁପ୍ରବେଶକୁ ରୋକିବା ସକାଶେ ଏକ ବଡ଼ ଧରଣର ରଣନୀତି ଭାବେ ବିବେଚନା କରାଯାଇଥିଲା। କାରଣ ସୀମାନ୍ତ ପୋଷ୍ଟଗୁଡ଼ିକୁ ଧ୍ୱଂସ କରାଯିବା ଦ୍ୱାରା ପାକିସ୍ତାନୀ ସେନା ପାଇଁ ଏହା ବେଶ୍‍ ବ୍ୟୟସାପେକ୍ଷ ହୋଇପଡ଼ିଥିଲା ଏବଂ ସୀମାନ୍ତରେ ଏଭଳି ସାଧନ ଓ ଲଜିଷ୍ଟିକ୍ସ ହରାଇବା ସେମାନଙ୍କୁ ଏକ ପ୍ରକାର ପଙ୍ଗୁ କରିପକାଇଥିଲା। ଏଭଳି କାର୍ଯ୍ୟାନୁଷ୍ଠାନ ପାକିସ୍ତାନକୁ ନିୟନ୍ତ୍ରଣ ରେଖାରେ ଉତେଜନା ସୃଷ୍ଟି କରିବା ଏବଂ ଅନୁପ୍ରବେଶକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କୁ ସହ୍ୟ କରିବାକୁ ପଡ଼ୁଥିବା କ୍ଷତି ମଧ୍ୟରେ ତୁଳନା କରିବାକୁ ଏକପ୍ରକାର ବାଧ୍ୟ କରିଥିଲା। ତେଣୁ ସେମାନେ ଭବିଷ୍ୟତର ଅନୁପ୍ରବେଶ ସହାୟତା ବେଳେ ସେମାନଙ୍କ ସମ୍ଭାବ୍ୟ ସୀମା ଭିତିଭୂମିର କ୍ଷୟକ୍ଷତି ସଂପର୍କରେ ଚିନ୍ତା କରିବାକୁ ବାଧ୍ୟ ହୋଇଥିଲେ।
ଏଥି ପୂର୍ବରୁ ଭାରତୀୟ ସେନା ଧୈର୍ଯ୍ୟର ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଅତ୍ୟାଧୁନିକ ସର୍ଭେଲାନ୍ସ ଗ୍ରୀଡ଼ ଜରିଆରେ ସେମାନେ ସୀମାନ୍ତରେ ପାକିସ୍ତାନୀ ସେନାଙ୍କ ପ୍ରତିଟି କାର୍ଯ୍ୟକଳାପ ଓ ଆତଙ୍କବାଦୀଙ୍କ ସୀମାପାର ଉଦ୍ୟମ ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ସମନ୍ୱିତ କାଉଂଟର ଇନସର୍ଜେନ୍ସି ଗ୍ରୀଡ଼ ବ୍ୟବସ୍ଥା ଯୋଗୁ ସମଗ୍ର ଉପତ୍ୟକାରେ ଏବଂ ଅନୁପ୍ରବେଶ ନିରୋଧୀ ବ୍ୟବସ୍ଥାର ସକ୍ରିୟତା ଯୋଗୁ ଅଧିକାଂଶ ଅନୁପ୍ରବେଶକୁ ପ୍ରତିହତ କରାଯିବା ସହ ଆତଙ୍କବାଦୀଙ୍କୁ ନିପାତ କରିବାରେ ଭାରତୀୟ ସୀମା ସୁରକ୍ଷା ବାହିନୀ ସକ୍ଷମ ହୋଇଥିଲେ। ଭାରତୀୟ ସୀମାରେ ପାଦ ଥାପିବା ପୂର୍ବରୁ ଆତଙ୍କବାଦୀଙ୍କୁ ପ୍ରାଣ ହରାଇବାକୁ ପଡ଼ିଥିଲା। ତେବେ ଏହି ରଣନୀତିରେ ତଥାପି କିଛି ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ନଜରରୁ ବର୍ତ୍ତିଯାଇ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ସହ ଉରି, ପଠାନକୋଟ, ଗୁରୁଦାସପୁର ଏବଂ ସେହିଭଳି ଅନ୍ୟ କେତେକ ସ୍ଥାନରେ ସେମାନଙ୍କର ତାଣ୍ଡବଲୀଳା ଘଟାଇବାକୁ ସକ୍ଷମ ହୋଇପାରିଥିଲେ। ତେଣୁ ଭାରତ ସରକାର ଏକ ସମନ୍ୱିତ ରଣନୀତି ଓ କାର୍ଯ୍ୟପନ୍ଥା ଗ୍ରହଣ କରିଥିଲେ। ଉରି ସେନାଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନକୁ ଦୁର୍ବଳ ଏବଂ ଏକଘରିକିଆ କରିବା ସକାଶେ ଭାରତ ସରକାର ଉପାୟ ଆପଣାଇଥିଲେ। ଏହାର ସାମରିକ ବିଭାଗ “ସର୍ଜିକାଲ ଷ୍ଟ୍ରାଇକ୍‍”କୁ ବ୍ୟାପକ ଭାବେ ପ୍ରଚାର କରିଥିଲେ। ପୁଣି ନିୟନ୍ତ୍ରଣ ରେଖା ପାର୍ଶ୍ବବର୍ତ୍ତୀ ସ୍ଥାନମାନଙ୍କରେ ଥିବା ଆତଙ୍କବାଦୀ ଶିବିର଼ଗୁଡ଼ିକ ଉପରେ ଭାରତୀୟ କମାଣ୍ଡୋମାନେ ଘନଘନ ଆକ୍ରମଣ କରିଥିଲେ। ଏହା ପ୍ରମାଣସିଦ୍ଧ କରିଥିଲା ଯେ ଭାରତ ତାର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବାକୁ ଏଭଳି ଆକ୍ରମଣାତ୍ମକ ପଦକ୍ଷେପ ନେବାକୁ ପଶ୍ଚାତପଦ ହେବନାହିଁ।

- Advertisement -


ଏଭଳି ସର୍ଜିକାଲ ଷ୍ଟ୍ରାଇକ୍‍ ପରେ ପାକିସ୍ତାନ ମନରେ ଯେଉଁ ଛନକା ପଶିଥିଲା ତାହାକୁ ଛପେଇ ରଖିବା ସକାଶେ ପାକିସ୍ତାନ ପ୍ରୟାସ କରିବା ସ୍ୱାଭାବିକ। ତେଣୁ ସର୍ଜିକାଲ ଷ୍ଟ୍ରାଇକ୍‍ ପରେ ପାକିସ୍ତାନ ଉପରେ ଭାରତ କୂଟନୈତିକ ସ୍ତରରେ ମଧ୍ୟ ଆକ୍ରମଣ ଆରମ୍ଭ କରିଥିଲା। ସେଥି ମଧ୍ୟରେ ସିଭିଏଫର ସଂଖ୍ୟା ହ୍ରାସ କିମ୍ବା ଅନୁପ୍ରବେଶ ବନ୍ଦ କରିବା ଭଳି ଦାବି ଭାରତ ପକ୍ଷରୁ କରାଯାଇଥିଲା। ଯଦି ଏହା ଜାରି ରହେ ତେବେ ଭବିଷ୍ୟତରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍‍ ଭଳି କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ସ୍ପଷ୍ଟ କରିଥିଲା।
ସର୍ଜିକାଲ ଷ୍ଟ୍ରଇକ୍‍ ଓ ଡିଜିଏମଓର ସୂଚନା
ସର୍ଜିକାଲ ଷ୍ଟ୍ରାଇକ୍‍ ଓ ଡ଼ିଜିଏମଓ ପକ୍ଷରୁ ସେପ୍ଟେମ୍ବର ୨୦୧୬ରେ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଥିଲା। ଡ଼ିଜିଏମଓ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଜାମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖା ପାର ହୋଇ ଭାରତ ଭିତରକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରୟାସ ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ପୁଞ୍ଚ ଏବଂ ଉରି ସେନା ଶିବିରରେ ଯଥାକ୍ରମେ ସେପ୍ଟେମ୍ବର ୧୧ ଏବଂ ୧୮ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଅନ୍ୟାନ୍ୟ ଘଟଣା ମଧ୍ୟରୁ ଏହାର ଚାକ୍ଷୁସ ପ୍ରମାଣ। କେବଳ ଚଳିତ ବର୍ଷ ନିୟନ୍ତ୍ରଣ ରେଖା ଠାରେ କିମ୍ବା ଏହାର ଅତି ନିକଟରେ ପ୍ରାୟ ୨୦ ଥର ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସେନା ପକ୍ଷରୁ ପ୍ରତିହତ କରାଯାଇଛି।
ଏଭଳି ଆତଙ୍କବାଦୀ ଆକ୍ରମଣ ଏବଂ ଅନୁପ୍ରବେଶ ଉଦ୍ୟମ ବେଳେ, ସେମାନଙ୍କ ନିକଟରୁ ସୁରକ୍ଷା ଯବାନମାନେ ଜିପିଏସ ଓ ଅନ୍ୟାନ୍ୟ ଉପକରଣ ଓ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ଯାହାକି ସ୍ପଷ୍ଟ ସୂଚୀତ କରେ ସେ ସେମାନେ ପାକିସ୍ତାନରୁ ହିଁ ଆସିଛନ୍ତି। ଅଧିକନ୍ତୁ, ଧରାପଡ଼ିଥିବା ଆତଙ୍କବାଦୀମାନେ ପାକିସ୍ତାନର କିମ୍ବା ପାକ୍‍ ଅଧିକୃତ କାଶ୍ମୀର ଅଞ୍ଚଳର। ସେମାନେ ସେଠାରେ ତାଲିମ ପାଇଛନ୍ତି ଏବଂ ପାକିସ୍ତାନ ଅଥବା ଏହାର ନିୟନ୍ତ୍ରଣରେ ଥିବା କ୍ଷେତ୍ରରେ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଥିବା ସେମାନେ ସ୍ୱୀକାର ମଧ୍ୟ କରିଛନ୍ତି। କୂଟନୈତିକ ସ୍ତରରେ ଏବଂ ସାମରିକ ଚାନେଲରେ ଏହି ଘଟଣା ନେଇ ପାକିସ୍ତାନକୁ ମଧ୍ୟ ଅବଗତ କରାଯାଇଛି। ଏପରିକି ଧରାପଡ଼ିଥିବା ଆତଙ୍କବାଦୀମାନଙ୍କୁ ‘ଦୂତାବାସ ଯୋଗାଯୋଗ’ ବ୍ୟବସ୍ଥା କରାଇବା ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ ଜଣାଇ ଦିଆଯାଇଛି। ଯଦ୍ୱାରା ସେମାନେ ଆତଙ୍କବାଦୀଙ୍କ ସ୍ୱୀକାରୋକ୍ତି ସଂପର୍କରେ ଅବଗତ ହୋଇପାରିବେ। ପୁଂଚ ଓ ଉରି ଠାରେ ନିହତ ଆତଙ୍କବାଦୀଙ୍କ ଅଙ୍ଗୁଠିଛାପ ଓ ଡ଼ିଏନଏ ନମୁନା ପାକିସ୍ତାନକୁ ତଦନ୍ତ ସକାଶେ ଯୋଗାଇ ଦିଆଯିବ ବୋଲି ସୂଚୀତ କରାଯାଇଛି।
ପାକିସ୍ତାନ ତାର ଭୂମି ଅଥବା ତା’ର ନିୟନ୍ତ୍ରଣରେ ଥିବା ଭୂମିକୁ ଭାରତ ବିରୋଧରେ ଆତଙ୍କବାଦୀଙ୍କ ବ୍ୟବହାର ନିମନ୍ତେ ଅନୁମତି ନଦେବା ସକାଶେ ୨୦୦୪ ମସିହାରେ ଦେଇଥିବା ପ୍ରତିଶ୍ରୁତି ସଂପର୍କରେ ପାକିସ୍ତାନକୁ ବାରମ୍ବାର ଅନୁରୋଧ କରାଯାଇ ଆସୁଥିଲେ ସୁଦ୍ଧା ନିୟନ୍ତ୍ରଣ ରେଖା ଆରପଟୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ସେମାନଙ୍କ କାର୍ଯ୍ୟକଳାପରେ କୌଣସି ପ୍ରକାର ପ୍ରଶମନ ଘଟିନାହିଁ। ଯଦି ଏଥିନେଇ କ୍ଷୟକ୍ଷତିକୁ ନିୟନ୍ତ୍ରଣରେ ରଖାଯାଇପାରିଛି ତାହା ମୁଖ୍ୟତଃ ସମ୍ଭବପର ହୋଇପାରିଛି ନିୟନ୍ତ୍ରଣ ରେଖା ନିକଟରେ ନିୟୋଜିତ ଆମର ସେନାଙ୍କ ସତର୍କତା ଓ ଆତଙ୍କବାଦୀଙ୍କ ପକ୍ଷରୁ କରାଯାଉଥିବା ହୀନ ପ୍ରୟାସକୁ ପ୍ରତିହତ କରିବା ନିମନ୍ତେ ବିବିଧ ଅନୁପ୍ରବେଶ ନିରୋଧୀ କାର୍ଯ୍ୟାନୁଷ୍ଠାନ ଯୋଗୁ। ଆମର ସଦା ସତର୍କ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶର ସକଳ ଉଦ୍ୟମ ଓ ଧମକକୁ ପଣ୍ଡ କରିବାରେ ସକ୍ଷମ ହୋଇପାରିଛନ୍ତି।


କେତେକ ଆତଙ୍କବାଦୀ ନିୟନ୍ତ୍ରଣ ରେଖା ଅପର ପାର୍ଶ୍ବରେ ଥିବା ଆଡ୍ଡା଼ରେ ଆତଙ୍କବାଦୀ ଗୋଷ୍ଠୀମାନେ ଅବସ୍ଥାନ କରୁଥିବା ଏବଂ ସେମାନେ ଜାମ୍ମୁ-କାଶ୍ମୀର ଓ ଅନ୍ୟାନ୍ୟ ରାଜ୍ୟରେ ଆତଙ୍କବାଦୀ କାଣ୍ଡ ଭିଆଇବା ସକାଶେ ଅନୁପ୍ରବେଶ କରିବାକୁ ପ୍ରୟାସ ଚଳାଇଥିବାର ନିର୍ଦ୍ଦିଷ୍ଟ ଓ ନିର୍ଭରଯୋଗ୍ୟ ସୂଚନା ଆଧାରରେ ଭାରତୀୟ ସେନା ଏହି ଆତଙ୍କବାଦୀଙ୍କ ଅନୁପ୍ରବେଶ ପୂର୍ବରୁ ସେମାନଙ୍କର ଅନେକ ଶିବିର ଉପରେ ସର୍ଜିକାଲ ଷ୍ଟ୍ରାଇକ୍‍ କରିଥିଲେ। ଏହି କାର୍ଯ୍ୟାନୁଷ୍ଠାନ କେବଳ ଏହି ଉଦ୍ଦେଶ୍ୟ ନେଇ ସଂପାଦନ କରାଯାଇଥିଲା ଯେ ସେହିସବୁ ଆତଙ୍କବାଦୀମାନେ ସୀମାଡ଼େଇଁ ଯେଭଳି ଭାରତ ଭିତରେ ପ୍ରବେଶ କରିନପାରନ୍ତି ଏବଂ ଆମର ନାଗରିକମାନଙ୍କ ଧନଜୀବନକୁ ବିପଦାପନ୍ନ ନ ହୁଏ।
ଏହି ଆତଙ୍କବାଦ ନିରୋଧୀ ସେନା କାର୍ଯ୍ୟାନୁଷ୍ଠାନ ସମୟରେ ଆତଙ୍କବାଦୀମାନଙ୍କର ଏବଂ ସେମାନଙ୍କୁ ଯେଉଁମାନେ ସହାୟତା କରୁଥଲେ ତାଙ୍କର ପ୍ରଭୂତ କ୍ଷତିସାଧନ ହୋଇଥିଲା। ସେଭଳି ଆତଙ୍କବାଦୀମାନଙ୍କୁ ନିପାତ କରିବା କାର୍ଯ୍ୟ ଇତି ମଧ୍ୟରେ ଶେଷ ହୋଇଛି। ଏହା ଜାରି ରଖିବାର ଆମର କୌଣସି ଅଭିପ୍ରାୟ ନାହିଁ। ତେବେ, ଏଥିନେଇ ଉତ୍ପନ୍ନ ଯେକୌଣସି ପ୍ରକାର ପ୍ରଭାବର ସାମ୍ନା କରିବାକୁ ଭାରତୀୟ ସଶସ୍ତ୍ର ସେନା ସଦାସର୍ବଦା ପ୍ରସ୍ତୁତ ଅଛନ୍ତି।
“ମୁଁ ପାକିସ୍ତାନୀ ସେନାଙ୍କ ଡ଼ିଜିଏମଓଙ୍କ ସହ ସଂପର୍କରେ ରହିଛି ଓ ଆମର କାର୍ଯ୍ୟାନୁଷ୍ଠାନ ସଂପର୍କରେ ତାଙ୍କୁ ଅବଗତ କରାଇଛି। ଏହି କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ହେଉଛି ଭାରତର ଉଦ୍ଦେଶ୍ୟ। କିନ୍ତୁ ଆତଙ୍କବାଦୀମାନେ ନିର୍ଭୟରେ ନିୟନ୍ତ୍ରଣ ରେଖା ପାରହୋଇ ସେମାନଙ୍କ ଇଚ୍ଛାନୁସାରେ ଆତଙ୍କରାଜ ଚଳାଇବା ଓ ଆମର ନାଗରିକଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରନ୍ତି ତେବେ ଆମେ କେବେହେଲେ ବରଦାସ୍ତ କରିବୁ ନାହିଁ। ଆମେ ଚାହୁଁ ପାକିସ୍ତାନ ତାର ଭୂମି କିମ୍ବା ତାର ନିୟନ୍ତ୍ରଣରେ ଥିବା ଭୂମିକୁ ଭାରତ ଉପରେ ଆକ୍ରମଣ ହେବାକୁ ବ୍ୟବହାର ନିମନ୍ତେ ନଦେଉ। ଆମେ ଆଶା କରୁ ପାକିସ୍ତାନୀ ସେନା ଏହି କ୍ଷେତ୍ରରେ ଆତଙ୍କବାଦକୁ ନିପାତ କରିବାରେ ଭାରତ ସହ ସହଯୋଗ କରୁ” ବୋଲି ଡିଜିଏମଓ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories