ନିଃସହାୟଙ୍କ ଶବ ସଂସ୍କାର କଲେ ବିଧାୟକ

0

ଜୋରହାଟ : ଆସାମର ସ୍ଥାନୀୟ କଂଗ୍ରେସ ବିଧାୟକ ରୂପଜ୍ୟୋତି କୁର୍ମୀଙ୍କ ଶବବାହକ ଭୂମିକାକୁ ସାଧାରଣରେ ପ୍ରଶଂସା କରାଯାଇଛି। କୁର୍ମୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାରିଆନି ସହରର ୫୦ବର୍ଷୀୟ ଦିବ୍ୟାଙ୍ଗ ନିଃସହାୟ ଦିଲୀପ ଦେ’ଙ୍କର ଗୁରୁବାର ମୃତ୍ୟୁ ହୋଇଥିଲା। ରୂପମ ଗୋଗଇ ନାମକ ଜଣେ ବ୍ୟବସାୟୀ ବନ୍ଧୁଙ୍କଠାରୁ ଏ ସମ୍ପର୍କରେ ଖବର ପାଇ ବିଧାୟକ ସେଠାରେ ପହଞ୍ଚିଥିଲେ। ମୃତଦେହ କେହି ନ ଉଠାଇବାରୁ କୁର୍ମୀ ନିଜେ ସହଯୋଗୀଙ୍କ ସହାୟତାରେ କୋକେଇ ତିଆରି କରିବା ସହ ଏହାକୁ ନିଜ ଶ୍ମଶାନକୁ ନେଇଥିଲେ ଓ ଦାହ ସଂସ୍କାର କରିଥିଲେ। ଏହାର କିଛି ସମୟ ପରେ ଜଣେ ରିକ୍ସା ଚାଳକଙ୍କ ମା’ଙ୍କର ଶୁଦ୍ଧିକ୍ରିୟା ମଧ୍ୟ ସେ ସମାପନ କରିଥିବା ଜଣାଯାଏ। ତିନି ଥର ବିଧାୟକ କୁର୍ମୀ ସ୍ଥାନୀୟ ଅଞ୍ଚଳରେ ଜଣେ ମାନବବାଦୀ ସମାଜସେବୀ ଭାବେ ସବୁରି ପ୍ରିୟ। ଗତ ବର୍ଷ ବନ୍ୟା ସମୟରେ ସେ ନିଜେ ରିଲିଫ ସାମଗ୍ରୀ ବସ୍ତା ମୁଣ୍ଡରେ ବୋହି ଦୁର୍ଗତଙ୍କୁ ବାଣ୍ଟିଥିବା ଜଣାଯାଏ।

Leave A Reply