ଧାରା ୩୭୭ର ଶୁଣାଣି ଶେଷ, ରାୟ ସଂରକ୍ଷିତ

0

ନୂଆଦିଲ୍ଲୀ : ସମ୍ମତି ଭିତ୍ତିକ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରୁଥିବା ଭାରତୀୟ ପିଙ୍ଗଳ କୋଡ (ଆଇପିସି) ଧାରା ୩୭୭ର ସାମ୍ବିଧାନିକ ବୈଧତା ଉପରେ ସୁପ୍ରିମକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ଏହି ମାମଲାର ଉଭୟ ପକ୍ଷ (ସପକ୍ଷବାଦୀ ଓ ବିପକ୍ଷବାଦୀ)ଙ୍କୁ ନିଜ ନିଜର ଯୁକ୍ତି ଲିଖିତ ମାଧ୍ୟମରେ ଶୁକ୍ରବାର ସୁଦ୍ଧା ଜମା କରିବାକୁ ନିର୍ଦେଶ ଦେଇଛନ୍ତି। ଅକ୍ଟୋବର ୨ ପୂର୍ବରୁ ଏହି ରାୟ ପ୍ରକାଶ ପାଇବାର ଅଛି। କାରଣ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହି ରାୟ ପ୍ରକାଶ ପାଇବ। ମଙ୍ଗଳବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସାଧାରଣ ଲୋକେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଗ୍ରହଣ କରିନେବା ଦରକାର। ଏହାକୁ ବିରୋଧ ଭୁଲ୍‍ ହେବ। ସମଲିଙ୍ଗୀମାନଙ୍କୁ ଡାକ୍ତରୀ ସୁବିଧାରୁ ବଞ୍ଚିତ କରାଯିବା ଦ୍ୱାରା ଯୌନ ରୋଗ ବ୍ୟାପୁଛି। ପୀଠର ବିଚାରପତି ଡି ୱାଇ ଚନ୍ଦ୍ରଚୂଡ କହିଥିଲେ ଯେ ସାଧାରଣ ଲୋକେ ସମଲିଙ୍ଗୀଙ୍କ ସମ୍ପର୍କକୁ ଗ୍ରହଣ କରିବା ଦ୍ୱାରା ସ୍ୱାସ୍ଥ୍ୟଗତ ଉଦ୍‍ବେଗକୁ ସମାଧାନ କରିବାରେ ସହାୟକ ହେବ। ବିଶେଷକରି ଏଚଆଇଭି ସଂକ୍ରମଣକୁ ରୋକିବାରେ ସହାୟକ ହେବ। ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଏହି ମତାମତ ଉପରେ ଜଷ୍ଟିସ ଆର ନରିମାନ ସମ୍ମତି ପ୍ରକାଶ କରିଥିଲେ।

Leave A Reply