ଡମଣୀ ହ୍ରଦରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତ ଦେହ

ଚୌଦ୍ୱାର : ଚୌଦ୍ୱାର ଥାନା ମଙ୍ଗରାଜପୁର ପଞ୍ଚାୟତର କୋଚିଲାନୁଆଗାଁ ନିକଟସ୍ଥ ଡମଣୀ ପୀଠସ୍ଥିତ ହ୍ରଦରେ ରବିବାର ଦିନ ବୁଡି ଯାଇ ନିଖୋଜ ହୋଇଥିବା କଟକ ସିଡ଼ିଏ ସେକ୍ଟର ୭ର ଯୁବକ ଅଂଶୁମାନ ନାୟକଙ୍କ ମୃତ ଦେହକୁ ସୋମବାର ଉଦ୍ଧାର କରାଯାଇଛି । ଚୌଦ୍ୱାର ଦମକଳ ବାହିନୀ , ଓଡ୍ରାଫ ଟିମ୍ ଓ ଏନଡିଆରଏଫ ଟିମ୍ ତରଫରୁ ମିଳିତ ଭାବେ ଖୋଜାଖୋଜି କରାଯାଇ ଦୀର୍ଘ ୪ଘଣ୍ଟାଧରି ପରିଶ୍ରମ ପରେ ହ୍ରଦର ୨୦ ଫୁଟ ତଳୁ ଶମୃତ ଦେହକୁ ଉଦ୍ଧାର କରାଯାଇଥିଲା । ସୂଚନା ଅନୁଯାୟୀ ପର୍ଯ୍ୟଟନସ୍ଥଳୀ ଡ଼ମଣୀ ପୀଠକୁ ରବିବାର କଟକ ସିଡ଼ିଏ ଅଞ୍ଚଳରୁ ୪ଜଣ ଯୁବକ ଭୋଜି କରିବାକୁ ଆସିଥିଲେ। ଯୁବକମାନେ ନିକଟସ୍ଥ ହ୍ରଦରେ ଗାଧୋଉଥିବାବେଳେ ଗୋଡ଼ ଖସିଯିବାରୁ ଅଂଶୁମାନ ପାଣିରେ ବୁଡ଼ି ଯାଇଥିଲେ । ଖବରପାଇ ଚୌଦ୍ୱାର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୪ଘଣ୍ଟା ଧରି ଖୋଜାଖୋଜି କରିଥିଲେ ହେଁ ସଂଧ୍ୟା ସୁଦ୍ଧା ଅଂଶୁମାନଙ୍କ କୌଣସି ପତ୍ତା ମିଳି ପାରି ନଥିଲା । ଡମଣୀ ହ୍ରଦରେ ବୁଡ଼ି ମୃତ୍ୟୁ ବରଣ କରିବା ଏହା ହେଉଛି ପ୍ରଥମ ଘଟଣା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରି ଏହି ସ୍ଥାନ କଟକ ଜିଲ୍ଲାର ଏକ ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ହୋଇଥିବା ଏବଂ ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିବାରୁ ପୀଠ ତଥା ହ୍ରଦରେ ପର୍ଯ୍ୟଟକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।

Comments are closed.