ପଲିଥିନ କୁଡ଼ିଆରେ ଅ…ଆ
ନନ୍ଦାହାଣ୍ଡି : ଶିଶୁଙ୍କ ବିକାଶ ପାଇଁ ମାଳମାଳ ଯୋଜନା ରହିଛି। ସେମାନଙ୍କ ଶିକ୍ଷାର ଉନ୍ନତି ପାଇଁ ବହୁ କୋଟି ଟଙ୍କାରେ ପକ୍କା ଘର ନିର୍ମାଣ ହେଉଛି। ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଅଙ୍ଗନବାଡି ମାଧ୍ୟମରେ ସମସ୍ତ ସେବା ଯୋଗାଇ ଦିଆଯାଉଛି। କିଛି ସ୍ଥାନରେ ଶିଶୁର ମୌଳିକ ଆବଶ୍ୟକତାକୁ ମଧ୍ୟ ଉପେକ୍ଷା କରାଯାଉଛି। ସରସ ସୁନ୍ଦର ପରିବେଶ ନଥିପତ୍ର ଭିତରେ ସୀମିତ ରହିଛି। ପଲିଥିନ ଟଙ୍ଗା କୁଡ଼ିଆରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ଏପରି ବିକଳ ଚିତ୍ର ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ପଖନାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ଝାଟି କୁଡ଼ିଆରେ କୁନି ପିଲାଙ୍କ ଭବିଷ୍ୟତ ଗଢ଼ା ଚାଲିଛି। ଗାଁରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଦୀର୍ଘ ଦିନରୁ କୋଠା ଘର ଅଧାପନ୍ତରିଆ ଅବସ୍ଥାରେ ରହିଛି। ଠିକାଦାରଙ୍କ ଅବହେଳା ଓ ଯନ୍ତ୍ରୀଙ୍କ ନିରବତାରୁ ଘର କାମ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ସମସ୍ୟାର ଶିକାର ହେଉଛନ୍ତି ଛୋଟ ପିଲା। ନିର୍ମାଣାଧୀନ ଘରର କବାଟ, ଝରକା ଲାଗିନାହିଁ। ଘଟଣା ସମ୍ପର୍କରେ ବାରମ୍ବାର ଜଣାଯାଇଛି। ଅଦ୍ୟାବଧି ଅଙ୍ଗନବାଡି କେନ୍ଦ୍ର ଶେଷ ହୋଇପାରୁନି ବୋଲି ଅଙ୍ଗନବାଡି କର୍ମୀ କହୁଛନ୍ତି । ଖରା, ବର୍ଷା, ଶୀତରେ ଦୀର୍ଘ ବର୍ଷରୁ ପିଲାମାନେ ସେହି କୁଡିଆରେ ପାଠ ପଢ଼ୁଥିବା ଗାଁର ଜଣେ ୱାର୍ଡସଭ୍ୟ ଅଭିଯୋଗ କରିଛନ୍ତି । ୨୨ରୁ ଊର୍ଦ୍ଧ୍ବ ପିଲା ଉକ୍ତ କେନ୍ଦ୍ରରେ ନାମ ଲେଖାଇଛନ୍ତି। ପିଲାଙ୍କ ପାଇଁ ଗାଁର ଏକ ଘର ଅଗଣାରେ ରୋଷେଇ କରି ଖାଇବାକୁ ଦିଆଯାଉଛି। ବର୍ତ୍ତମାନ ବର୍ଷା ଦିନ ଆରମ୍ଭ ହୋଇଥିବା ବେଳେ ପିଲାମାନେ କେଉଁଠି ବସି ପାଠ ପଢ଼ିବେ ତାହାକୁ ନେଇ ବଡ଼ପ୍ରଶ୍ନ ସୃଷ୍ଟି ହୋଇଛି। ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଯଥାଶୀଘ୍ର ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରି ହସ୍ତାନ୍ତର କରିବା ପାଇଁ ଅଙ୍ଗନବାଡି କର୍ମୀ ଦାବି କରିଛନ୍ତି । ଏନେଇ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଯଥାଶୀଘ୍ର ସମସ୍ୟାର ସମାଧାନ ହେବ । ତଦାରଖ କରାଯିବ। ପିଲାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି।
Comments are closed.