କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡାଠାରେ ଥିବା ଅଙ୍ଗନବାଡି କେନ୍ଦ୍ର ଅବ୍ୟବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ଉକ୍ତ ଅଙ୍ଗନବାଡି କେନ୍ଦ୍ର ବହୁତ ବର୍ଷ ଧରି ଭଗ୍ନ ଅବସ୍ଥାରେ ପଡ଼ିରହିଛି। ଛାତରୁ ସିମେଣ୍ଟ ଅତଡ଼ା ଖସି ଲୁହାଛଡ଼ ଦେଖା ଯାଉଛି। କୋଠରିରେ ସ୍ଥାନେ ସ୍ଥାନେ ଫାଟ ଦେଇଥିବାରୁ ସେହିଠାରେ ଛୋଟ ଛୋଟ ଶିଶୁଙ୍କୁ ପ୍ରାକ୍-ଶିକ୍ଷା ଦେବା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଆସୁ ବୋଲି ଗ୍ରାମରେ ଥିବା ତିଆକା ତିଲଙ୍କ ଘରେ ପ୍ରାୟ ୧୨ବର୍ଷ ହେବ ଅଙ୍ଗନବାଡି କେନ୍ଦ୍ର ଚାଲିଆସୁଛି। ତିଆକା ତିଲ ଆବାସ ଯୋଜନାରେ ଗୃହ ପାଇବା ପରେ ଘର ସମ୍ପୂର୍ଣ୍ଣ କରି ମୃତ୍ୟୁବରଣ କରିଛି । ଉକ୍ତ ଘରକୁ ତାଙ୍କ ସମ୍ପର୍କୀୟମାନେ ଦେଖାଶୁଣା କରୁଛନ୍ତି। ବର୍ତ୍ତମାନ ଉକ୍ତ ଘରେ ପ୍ରାକ୍-ଶିକ୍ଷା, ପ୍ରସ୍ତୂତି, ଗର୍ଭବତୀ, କିଶୋରୀ ବାଳିକା, ଶିଶୁମାନଙ୍କର ଯେଉଁ ସବୁ କାର୍ଯ୍ୟକ୍ରମ ରହିଛି ତାହା ଅଙ୍ଗନବାଡି କର୍ମୀ ମନୁ ପ୍ରଧାନ ସୁଚାରୁ ରୂପେ ତୁଲାଉଥିବା ବେଳେ ସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଓ ସମନ୍ୱିତ ଶିଶୁ ବିକାଶ ଓ ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ର ହୋଇପାରୁନାହିଁ। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗର ଶିଶୁ ବିକାଶ ଓ ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ମମତା ରାଣୀ ଦାସଙ୍କୁ ପଚାରିବାରୁ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଆକାରରେ ଅବଗତ କରାଯାଇଛି, ସେଠାରୁ ଅନୁମତି ଆସିଲେ ଅଙ୍ଗନବାଡି କେନ୍ଦ୍ର ମରାମତି ବା ନୂତନ ଗୃହ ନିର୍ମାଣ କରାଯିବ ବୋଲି କହିଛନ୍ତି।



