www.samajalive.in
Friday, December 5, 2025
17.1 C
Bhubaneswar

କୋଟିଆ ପରେ ସୀମାନ୍ତ ନୂଆଗାଁ ପଞ୍ଚାୟତ ଉପରେ ଆନ୍ଧ୍ରର ନଜର; ୩ଗାଁବାସୀଙ୍କ ଆନ୍ଧ୍ର ପ୍ରୀତି, ଅକଳରେ ଓଡ଼ିଶା ପ୍ରଶାସନ

ପଟାଙ୍ଗି: ଓଡ଼ିଶା ଭୂଖଣ୍ଡ ପ୍ରତି ଲୋଲୁପ ଦୃଷ୍ଟି ପକାଉଥିବା ଆନ୍ଧ୍ର ପୁଣି ଓଡ଼ିଶାର ଆଉ ଏକ ପଞ୍ଚାୟତ ଉପରେ ନଜର ପକାଇଛି। ଓଡ଼ିଶାର କୋଟିଆ ଗ୍ରାମ ପୁଞ୍ଜ ପରେ ପଟାଙ୍ଗି ବ୍ଲକର ସୀମାନ୍ତ ନୂଆଗାଁ ପଞ୍ଚାୟତକୁ ନିଜର କରିବାକୁ ଯୋଜନା ଚଳାଇଛି ଆନ୍ଧ୍ର। ଓଡ଼ିଶା ସରକାରଙ୍କ ସରକାରୀ ସୁବିଧା ତୁଳନାରେ ଆନ୍ଧ୍ରର ସୁବିଧା ସୁଯୋଗ ଅଧିକ ରହିଥିବାରୁ ଏହି ପଞ୍ଚାୟତର ୩ ଗାଁବାସୀ ଆନ୍ଧ୍ର ମୋହରେ ପଡ଼ିଥିବା କୁହାଯାଉଛି।
କୋରାପୁଟ ଜିଲାର ଆନ୍ଧ୍ର -ଓଡ଼ିଶା ସୀମାନ୍ତ ପଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ସୀମାନ୍ତ ଗ୍ରାମ କୁମ୍ଭିଗୁଡା, ଦିଗୁଗାବାଡର ଓ ଏଟିଗାବାଡରବାସିନ୍ଦା ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ମାନ୍ୟମ ଜିଲା ପ୍ରଶାସନର ସୁବିଧାସୁଯୋଗ ହାତେଇଛନ୍ତି। ଉପରୋକ୍ତ ୩ ଗ୍ରାମବାସୀ ସମସ୍ତ ପରିଚୟପତ୍ର ଓଡ଼ିଶାରୁ ପାଇଛନ୍ତି। ଏହା ସତ୍ତ୍ବେ ପଞ୍ଚାୟତର କିଛି ଗ୍ରାମବାସୀଙ୍କୁ ଆନ୍ଧ୍ର ପ୍ରଲୋଭିତ କରି ନିଜ ଜିଲାର ଆଧାର, ପାନ ଓ ଭୋଟର କାର୍ଡ ଦେବା ସହ ବ୍ୟାଙ୍କ ଖାତା ଖୋଲାଇଛି। ଫଳରେ ସେମାନେ ଉଭୟ ରାଜ୍ୟ ସରକାରଙ୍କ ସୁବିଧା ହାତେଇଛନ୍ତି।
୯ଖଣ୍ଡ ଗ୍ରାମକୁ ନେଇ ନୂଆଗାଁ ପଞ୍ଚାୟତର କଳେବର। କୁମ୍ଭିଗୁଡାରେ ୩୫ ପରିବାର, ଦିଗୁଗାବାଡରେ ୪୦, ଏଟିଗାବାଡରରେ ୧୬ ପରିବାର ଏବଂ ଗାଲିଗାବାଡ ଗ୍ରାମରେ ୧୪୦ରୁ ଅଧିକ ପରିବାର ବସବାସ କରୁଛନ୍ତି। କୁମ୍ଭିଗୁଡା, ଦିଗୁଗାବାଡର, ଏଟିଗାବାଡରର ସବୁ ପରିବାର ଏବଂ ଗାଲିଗାବାଡର ଗ୍ରାମର ୮୦ ପରିବାର ଉଭୟ ରାଜ୍ୟ ସରକାରଙ୍କ ସମସ୍ତ ସୁବିଧା ପାଉଛନ୍ତି। ଆନ୍ଧ୍ର ପ୍ରଶାସନ ପକ୍ଷରୁ କୁମ୍ଭିଗୁଡା ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି। ଏଟିଗାବାଡର ଗ୍ରାମଟି ପାହାଡ଼ ଉପରେ ରହିଛି। ଓଡିଶା ସରକାରଙ୍କ ପକ୍ଷରୁ ଘାଟି କାଟି ମାଟି ରାସ୍ତା ନିର୍ମାଣ ହୋଇଛି। ୩ ଗାଁକୁ ଓଡ଼ିଶା ସରକାର ସୌରବତି ଯୋଗାଇ ଦେଇଛନ୍ତି। ଜିଲା ଶାସନ ପକ୍ଷରୁ ରାସନ୍, ପେନସନ ପ୍ରଦାନ କରାଯାଇଥିଲେ ହେଁ ଆନ୍ଧ୍ରପ୍ରଦେଶ ସରକାରଙ୍କ ବାର୍ଦ୍ଧକ୍ୟ, ଶିକ୍ଷା ଓ ଭିନ୍ନକ୍ଷମ ଭତ୍ତା, ଜଙ୍ଗଲ ଜମିପଟ୍ଟା, ଘରେ ଘରେ ରାସନ୍ ଓ ପେନସନ ପ୍ରଦାନ ଆଦି ଓଡ଼ିଶା ସରକାରଙ୍କଠାରୁ ଢେର ଅଧିକ ରହିଛି। ଉଭୟ ରାଜ୍ୟ ସରକାରଙ୍କ ସୁବିଧା ହାତେଇବା ପାଇଁ ନାମକୁ ଏପଟସେପଟ କରି ଆଧାର, ଭୋଟର, ପାନ ଓ ରାସନ୍ କାର୍ଡ କରିଛନ୍ତି। କୋଟିଆ ପଞ୍ଚାୟତର ସୀମାନ୍ତରେ ଥିବା ଏହି ପଞ୍ଚାୟତ ବାସିନ୍ଦା ବିବାଦୀୟ କୋଟିଆ ପଞ୍ଚାୟତକୁ ଅନୁସରଣ କରି ଆଗକୁ ଅଧିକ ଫାଇଦା ପାଇବା ଆଶାରେ ଏଭଳି କାର୍ଯ୍ୟ କରୁଥିବା ଆଲୋଚନା ହେଉଛି।
ଓଡ଼ିଶା ସରକାରଙ୍କ ଭତ୍ତା ତାରତମ୍ୟ ଓ ମନରେଗାରେ ପାଉଣା ଠିକ୍ ସମୟରେ ମିଳୁନଥିବା ବେଳେ ଆନ୍ଧ୍ରରେ ପିଲାଙ୍କ ଶିକ୍ଷା ଭତ୍ତା ପ୍ରତି ବର୍ଷ ଅଭିଭାବକଙ୍କୁ ମିଳିବା, ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସହ ଜମିବାଡ଼ି ମରାମତି ପାଇଁ ପ୍ରତ୍ୟେକ ବର୍ଷ ଅନୁଦାନ ପ୍ରଦାନ, ମନରେଗା କାର୍ଯ୍ୟର ପାଉଣା ସପ୍ତାହ ମଧ୍ୟରେ ପ୍ରଦାନ ଭଳି ସୁବିଧା ଆନ୍ଧ୍ର ପକ୍ଷରୁ ମିଳୁଥିବାରୁ ନୂଆଗାଁ ପଞ୍ଚାୟତର ଉପରୋକ୍ତ ୩ ଗ୍ରାମବାସିନ୍ଦା ଆନ୍ଧ୍ର ପ୍ରତି ଅଧିକ ଆସକ୍ତି ପ୍ରଦର୍ଶନ କରୁଛନ୍ତି ବୋଲି ସରପଞ୍ଚ ସୁବାସ ଖରା ମତବ୍ୟକ୍ତ କରିଛନ୍ତି। ପଡୋଶୀ ଆନ୍ଧ୍ରରୁ ସମସ୍ତ ସୁବିଧା ପାଉଥିବାରୁ ଆନ୍ଧ୍ର ପ୍ରତି ଅଧିକ ଦୁର୍ବଳତା ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି। ସୀମାନ୍ତର ଅନୁନ୍ନତ ଅଞ୍ଚଳକୁ ପାହାଡି ଇଲାକା ଭାବେ ଘୋଷଣା କରି ଆନ୍ଧ୍ରପ୍ରଦେଶ ସରକାର ସମସ୍ତଙ୍କୁ ଯେପରି ସମାନ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ସେହିପରି ସୁବିଧା ଆମ ସରକାର କଲେ ଅଞ୍ଚଳବାସୀ ଆନ୍ଧ୍ର ମୋହରୁ ଦୂରେଇବେ ବୋଲି ସରପଞ୍ଚ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories