ଓଡିଶାରେ ଚାଲିବନି ତାମିଲ ଶାସନ, କ୍ଷମତାକୁ ଆସିଲେ ଓଡିଶା ହେବ ଦେଶର ୧ନଂ ରାଜ୍ୟ

ବିଜୟ ସଙ୍କଳ୍ପ ସମାବେଶରେ ନେତା ଓ କର୍ମୀଙ୍କୁ ଅମିତ ଶାହାଙ୍କ ଗୁରୁମନ୍ତ୍ର

କେନ୍ଦୁଝରଗଡ଼ : ସାରା ଦେଶରେ ବିଜେପି ପୁଣିଥରେ ବହୁମତ ପାଇ ସରକାର ଗଠନ କରିବାକୁ ଯାଉଥିବା ବେଳେ ନରେନ୍ଦ୍ର ମୋଦୀ ତୃତୀୟଥର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି କେନ୍ଦୁଝର ଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏହା କହିଛନ୍ତି। ଏଥିସହ ନବୀନ ପଟ୍ଟନାୟକଙ୍କ ୨୫ବର୍ଷ ଶାସନରେ ଓଡିଶା ବହୁ ପଛରେ ପଡି ଯାଇଥିବା ବେଳେ ଏଥର ଓଡିଶାରେ ପରିବର୍ତ୍ତନ ସୁନିଶ୍ଚିତ ବୋଲି କହିବା ସହ ଆସନ୍ତା ୧୦ ତାରିଖରେ ଜଣେ ଓଡିଆ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ସହ ଆଗାମୀ ୫ବର୍ଷରେ ଓଡିଶା ଦେଶର ୧ନଂ ରାଜ୍ୟ ହେବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଓଡିଶାରେ ଆଉ ତାମିଲ ଶାସନ ଚାଲିବ ନାହିଁ କହି କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ ସହ ଓଡିଶାକୁ ଏକ ସମୃଦ୍ଧଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଉପସ୍ଥିତ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ଓଡିଶାରେ ବିଜେପି କ୍ଷମତାକୁ ଆସିଲେ ୧୦୦ଦିନ ମଧ୍ୟରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ପ୍ରକାଶ ପାଇବା ସହ ରତ୍ନଭଣ୍ଡାର ଚାବି ଚୋରୀ କରିଥିବା ଚୋରକୁ ଗିରଫ କରାଯିବ ବୋଲି ଶ୍ରୀ ଶାହା କହିବା ସହ ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯିବ ବୋଲି କହିଥିଲେ।

ବିଜେପି ସରକାର କେନ୍ଦୁପତ୍ର ତେଳାଳୀଙ୍କ ମୂଲ୍ୟ ବୃଦ୍ଧି ସହ ବୋନସ ବୃଦ୍ଧି, ଓଡିଶାରେ ନକ୍ସଲବାଦକୁ ଦୃଢ଼ହସ୍ତରେ ଦମନ ସହ ଆଦିବାସୀଙ୍କ ବିକାଶ ପାଇଁ କେନ୍ଦୁଝର ଓ ସମ୍ବଲପୁରରେ ୫୦୦ଶର୍ଯ୍ୟା ବିଶିଷ୍ଟ ମେଡିକାଲ ପ୍ରତିଷ୍ଠା, ଓଡିଶରେ ବିପେି କ୍ଷମତାକୁ ଆସିଲେ ୨ବର୍ଷ ମଧ୍ୟରେ ସମସ୍ତଙ୍କୁ ପକ୍କା ଗୃହ ସମେତ ଘରକୁ ଘର ପାଇପ ଯୋଗେ ପାନୀୟଜଳ ଯୋଗାଣ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ଟଙ୍କା ପ୍ରଦାନ ସହ ୪୮ଘଣ୍ଟା ମଧ୍ୟରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅର୍ଥ ଜମା କରିବା, ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫୦ହଜାର ଟଙ୍କା ଭାଉଚର ପ୍ରଦାନ, ୨୫ଲକ୍ଷ ଲକ୍ଷପତି ଦିଦି, ରାଜ୍ୟରେ ଦେଢ଼ଲକ୍ଷ ସରକାରୀ ନିଯୁକ୍ତି, ରାଉରକେଲା-ସମ୍ବଲପୁର-ଧାମରା-ପାରାଦ୍ୱୀପ ଦେଇ ଶିଳ୍ପ କରିଡର, ଭୁବନେଶ୍ୱର ବ୍ରହ୍ମପୁର ମଧ୍ୟରେ ଆଇଟି କରିଡର ପ୍ରତିଷ୍ଠା, ଓଡିଶରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା,୨୦୨୯ପର୍ଯ୍ୟନ୍ତ ୫କି.ଗ୍ରା. ମାଗଣା ଚାଉଳ ପ୍ରଦାନ, ୱାନ ନେସନ-ୱାନ ରାସନ ପ୍ରଚଳନ କରାଯିବ ବୋଲି ଶ୍ରୀ ଶାହା କହିଥିଲେ।

କଂଗ୍ରେସ ସରକାରଙ୍କ ଷଡଯନ୍ତ୍ର ପାଇଁ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ହୋଇ ପାରୁନଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ରାମମନ୍ଦିର ନିର୍ମାଣ କରି ପ୍ରତିଷ୍ଠା କରିବା, ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ କରିଥିବା ବେଳେ ଆଗାମୀ ଦିନରେ ପାକ୍‌‌ ଅଧିକୃତ କାଶ୍ମୀର ଦଖଲ କରିବା ଭାରତର ଲକ୍ଷ୍ୟ ବୋଲି ଶ୍ରୀ ଶାହା କହିଥିଲେ। କଂଗ୍ରେସକୁ ଟାର୍ଗେଟ କରି ବିଜେପି ବିରୋଧରେ ଗଠିତ ଗଠବନ୍ଧନର ନେତା କିଏ ବୋଲି ଶ୍ରୀ ଶାହା ପ୍ରଶ୍ନ କରିବା ସହିତ ପଞ୍ଚମ ପର୍ଯ୍ୟାୟ ସୁଦ୍ଧା ବିଜେପି ୩୧୦ ଲୋକସଭା ଆସନରେ ବିଜୟ ନିଶ୍ଚିତ ବୋଲି କହିବା ସହିତ ଏଥର ବିଜେପି ୪୦୦ଆସନ ପାରିହେବା ସୁନିଶ୍ଚିତ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଜିଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଲୋକସଭା ପ୍ରାର୍ଥୀ ଅନନ୍ତ ନାୟକ, ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା, ତେଲକୋଇ ବିଧାୟକ ପ୍ରାର୍ଥୀ ଡାକ୍ତର ଫକୀର ନାୟକ, ପାଟଣା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ, ଘସିପୁରା ବିଧାୟକ ପ୍ରାର୍ଥୀ ଶମ୍ଭୁନାଥ ରାଉତ ଓ ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଆଲୋକ କୁମାର ସେଠୀ ପ୍ରମୁଖ ଯୋଗଦେଇ ରାଜ୍ୟ ବିଜେଡି ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ମତବ୍ୟକ୍ତ କରିବା ସହ ନିଜ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଫଗନ ସିଂ କୁଲସ୍ତେ, ସାଂସଦ ଚୁନିଲାଲ ଗୋରାସିଆ, ସନ୍ତୋଷ ପାଣ୍ଡେ, ବିଜେପି ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା, ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁଙ୍କ ସମେତ ବହୁ ନେତା ମଞ୍ଚାସୀନ ଥିଲେ।

Comments are closed.