ନବୀନଙ୍କୁ ଭେଟିପାରନ୍ତି ଶାହା

ଗୃହମନ୍ତ୍ରୀଙ୍କ ଦୁଇଦିନିଆ ଓଡ଼ିଶାଗସ୍ତ

ଭୁବନେଶ୍ବର : ମଣିପୁରର ମହିଳା ବଳାତ୍କାର ପ୍ରସଙ୍ଗକୁ ନେଇ ସଂସଦ ୧୦ଦିନ ଧରି ଅଚଳ ରହିବା ଯୋଗୁଁ ବିରୋଧୀ ‘ଇନ୍‌ଡିଆ’ ପକ୍ଷରୁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ଆସନ୍ତା ୮, ୯ ଓ ୧୦ ତାରିଖରେ ଏହି ପ୍ରସ୍ତାବ ଉପରେ ସଂସଦରେ ଆଲୋଚନା ରହିଛି । ଏହାପୂର୍ବରୁ ବିଜେଡି ବିଜେପିକୁ ସମର୍ଥନ ଦେବ ବୋଲି ଘୋଷଣା କରିଛି । ଏତିକି ବେଳେ କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବିରୋଧୀ କଂଗ୍ରେସ ଉଭୟ ବିଜେପି-ବିଜେଡିକୁ ସମାଲୋଚନା କରିଥିବାବେଳେ ବିଜେଡି ଏହା ତାଙ୍କ ଦଳୀୟ କାର୍ଯ୍ୟକ୍ରମ କହି କଥା ଏଡାଇ ଦେଇଛି। ଅନ୍ୟପକ୍ଷରେ ବିଜେପି ଏହାର କଡ଼ା ଜବାବ ରଖିଛି। ଦଳୀୟ ସୂଚନା ଅନୁଯାୟୀ,ଶୁକ୍ରବାରଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଶ୍ରୀ ଶାହା ଆସିବାର କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ରାତି ୧୦ଟା ୪୦ ମିନିଟରେ ସେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ମେ’ ଫେୟାର ହୋଟେଲ ଯାଇ ସେଠାରେ ରାତ୍ରିଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଶନିବାର ପୂର୍ବାହ୍ନ ୧୧ଟାରୁ ୧୨ଟା ଯାଏ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବେ। ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ ପର୍ଯ୍ୟନ୍ତ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗ ଦେବେ। ଏହାପରେ ଦଳୀୟ ବୈଠକ ଅନୁଷ୍ଠିତ ହେବ। ଦଳୀୟ ବୈଠକ ଶେଷ ପରେ ୧.୨୦ରୁ ୨ଟା ପର୍ଯ୍ୟନ୍ତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ। ସନ୍ଧ୍ୟା ୬ଟାରେ ଶ୍ରୀ ଶାହା ଭୁବନେଶ୍ୱର ଛାଡିବା ପୂର୍ବରୁ ବିମାନ ବନ୍ଦର ଲାଉଞ୍ଜରେ ବି ଦଳୀୟ କର୍ମୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଶ୍ରୀ ଶାହା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିଲେ ହେଁ ବିଶ୍ବସ୍ତସୂତ୍ରରୁ ଜଣାଯାଇଛି। ଶ୍ରୀ ଶାହାଙ୍କ ଏହି ଦୁଇଦିନିଆ ଗସ୍ତକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଏନ୍‌ଡିଏ ବିରୋଧରେ ଆସିଥିବା ଅନାସ୍ଥା ବିଲ୍‌କୁ ବିଜେଡିର ସମର୍ଥନ ଓ ଅନାସ୍ଥାକୁ ବିରୋଧ ପରେ ନବୀନ ପଟ୍ଟନାୟକଙ୍କୁ ବଧେଇ ଦେବାକୁ ଶ୍ରୀ ଶାହା ଆସିଛନ୍ତି। ବିରୋଧୀ ମେଣ୍ଟ ‘ଇନ୍‌ଡିଆ’ ଗଠନ ପରେ ବିଜେପି ଭୟଭୀତ ହୋଇ ପଡିଛି। ଏଥିପାଇଁ ଶ୍ରୀ ଶାହା ଓଡ଼ିଶା ଗସ୍ତ କରି ବଳ ଗୋଟାଉଛନ୍ତି।
ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମାଓଦମନ ହେଉ କିମ୍ବା ଦେଶର ସୁରକ୍ଷା ପ୍ରସଙ୍ଗ ନେଇ ସେ କେତେବେଳେ ବି ଗସ୍ତ କରିପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସର୍ବୋଚ୍ଚ ନେତା। ସେ ଯାହା ବି ନିଷ୍ପତ୍ତି ନେଇଛନ୍ତି ସେଥିରେ ରାଜ୍ୟ ତଥା ଦେଶର ଭଲ ହେବ।
ଅନ୍ୟପକ୍ଷରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଓଡ଼ିଶାରେ ନିଜ ସ୍ଥିତି ବଞ୍ଚାଇବାକୁ କଂଗ୍ରେସ ଏପରି ପନ୍ଥା ଗ୍ରହଣ କରୁଛି, ହେଲେ ବିଜେପି ନିଜ ବାଟରେ ଅଛି। ବିଜେପି ନିଜ ନୀତି, ଆଦର୍ଶ, କାର୍ଯ୍ୟଧାରା ଉପରେ ଗୁରୁତ୍ବ ଦେଉଛି। ଆଗାମୀ ଦିନରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ ଜୋରଦାର ହେବ।

Comments are closed.