ଆମ୍ବୁଲାନ୍ସ ଦ୍ୱାର ନଖୋଲିବାରୁ ଶିଶୁର ମୃତ୍ୟୁ

0

 

ରାୟପୁର : ଛତିଶଗଡ଼ର ସ୍ଥିତ ରାୟପୁର ଠାରେ ଡ଼ାକ୍ତରଖାନା ନେଉଥିବା ସମୟରେ ଆମ୍ବୁଲାନ୍ସର ଦ୍ୱାର ନଖୋଲିବାରୁ ଅଢେଇ ମାସ ଶିଶୁର ମୃତ୍ୟୁ ଘଟିଛି। ବିହାରର ଗୟା ଜିଲାରେ ବାସ କରୁଥିବା ଅମ୍ବିକା ସିଙ୍ଗ୍‍ଙ୍କ କହିବା ଅନୁସାରେ, ତାଙ୍କ ଅଢେଇ ମାସର ଶିଶୁକୁ ହୃଦ୍‍ରୋଗ ସମସ୍ୟା ରହିଥିଲା। ତା’ର ଚିକିତ୍ସା କରାଇବାକୁ ସେ ତାଙ୍କ ପତ୍ନୀଙ୍କ ସହ ମଙ୍ଗଳବାର ରାୟପୁର ପହଞ୍ଚିଥିଲେ। ରାୟପୁରରେ ପହଞ୍ଚିବା ପରେ ଶିଶୁର ସ୍ୱାସ୍ଥ୍ୟ ଅଧିକ ଖରାପ ଆଡ଼କୁ ଗତି କରୁଥିବା ଜଣାପଡ଼ିଲା। ଶିଶୁର ସ୍ୱାସ୍ଥ୍ୟବସ୍ଥା ଦେଖି ସେ ମାଗଣା ଆମ୍ବୁଲାନ୍ସ ସେବା ସଞ୍ଜୀବନୀ ଏକ୍ସପ୍ରେସ୍‍ ୧୦୮ ସହ ଯୋଗାଯୋଗ କରିଥିଲେ ଓ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା।
ତାଙ୍କ କହିବା ଅନୁସାରେ, ଯେତେବେଳେ ସେ ଆମ୍ବୁଲାନ୍ସରେ ଶିଶୁକୁ ନେଇ ନିକଟସ୍ଥ ଭୀମରାଓ ଆମ୍ବେଦକର ଡ଼ାକ୍ତରଖାନାରେ ପହଞ୍ଚିଲେ ସେତେବେଳେ ଆମ୍ବୁଲାନ୍ସର ଦ୍ୱାର ଖୋଲି ନଥିଲା ଓ ସେମାନେ ଭିତରେ ଫସି ରହିଥିଲେ। ଭିତରେ ୪୦ ମିନିଟ୍‍ ଫସି ରହିବା ପରେ ସେ ଆମ୍ବୁଲାନ୍ସର ଝରକା କାଚ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ହେଲେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ଏପରି କରିବାକୁ ମନା କରିଥିଲେ। ବହୁଚେଷ୍ଟା ପରେ ଦ୍ୱାର ନଖୋଲିବାରୁ ସେମାନେ ଝରକା ବାଟ ଦେଇ ବାହାରକୁ ବାହାରି ଶିଶୁକୁ ଡ଼ାକ୍ତରଙ୍କୁ ଦେଖାଇଥିଲେ ଓ ଡ଼ାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ।
ଅପରପାର୍ଶ୍ବରେ ଆମ୍ବୁଲାନ୍ସ ସେବାର କର୍ମଚାରୀମାନେ, ବିଳମ୍ବ ଯାଏ ଦ୍ୱାର ନଖୋଲିବା ଓ ସେହି କାରଣରୁ ଶିଶୁର ମୃତ୍ୟୁ ହେବା ବିଷୟକୁ ଗ୍ରହଣ କରିନାହାନ୍ତି। ରାଜ୍ୟରେ ସଞ୍ଜୀବନୀ ଏକ୍ସପ୍ରେସ ସୁବିଧା ଯୋଗାଉଥିବା କମ୍ପାନୀ ଜିଭିକେ ଇଏମ୍‍ଆର୍‍ଆଇ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିବୁ କୁମାରଙ୍କ କହିବା ଅନୁସାରେ, ମଙ୍ଗଳବାର ସକାକୁ ୧୦.୧୫ ସମୟରେ ଶିଶୁର ଅସୁସ୍ଥତା ନେଇ ୧୦୮କୁ ଏକ ଫୋନ ଆସିଥିଲା। ଫୋନ ଆସିବା ପରେ ୧୦.୧୮ ସମୟରେ ଆମ୍ବୁଲାନ୍ସ ରେଳ ଷ୍ଟେସନରେ ପହଞ୍ଚିଥିଲା। ଆମ୍ବୁଲାନ୍ସରେ ଥିବା କର୍ମଚାରୀ ପ୍ରଥମେ ଶିଶୁର ହୃତ୍‍ ସ୍ପନ୍ଦନ ପରୀକ୍ଷା କରିଥିଲେ ହେଁ ତାଙ୍କୁ କୌଣସି ପ୍ରକାର ପ୍ରତିକ୍ରିୟା ମିଳିନଥିଲା। ତା’ପରେ ଶିଶୁକୁ ଆମ୍ବୁଲାନ୍ସରେ ଆମ୍ବେଦକର ଡ଼ାକ୍ତରଖାନା ନିଆ ଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପରେ କିଛି ଯାନ୍ତ୍ରିକ ସମସ୍ୟା ଯୋଗୁଁ ଆମ୍ବୁଲାନ୍ସର ଦ୍ୱାର ଖୋଲି ନଥିଲା। ସେତେବେଳେ କୌଣସି ବିଳମ୍ବ ନକରି ଶିଶୁ ଓ ପରିଜନଙ୍କୁ ଝରକା ବାଟେ ବାହାରକୁ ବାହାର କରି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Leave A Reply