www.samajalive.in
Friday, December 5, 2025
20.1 C
Bhubaneswar

୧୯ ଜିଲାପାଳଙ୍କୁ ସତର୍କତା ; ୪ଜିଲାର ସ୍କୁଲ, କଲେଜ, ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ୱର : ବାତ୍ୟା ‘ତିତ୍‍ଲି’ ଭୟଙ୍କର ରୂପ ନେବାର ସମ୍ଭାବନା ଥିବାରୁ ଏଥିରେ ଅଧିକ ପ୍ରଭାବିତ ହେବାକୁ ଥିବା ୪ଟି ଜିଲା ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଧବାରଠାରୁ ଛୁଟି ଘୋଷଣା କରାଯାଇଛି।
ସଚିବାଳୟଠାରେ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ପରେ ଏହା ଘୋଷଣା କରାଯାଇଛି। ଆବଶ୍ୟକ ସ୍ଥଳେ ବାତ୍ୟାରେ ପ୍ରଭାବିତ ହେବାର ସମ୍ଭାବନା ଥିବା ଅନ୍ୟ ଜିଲାରେ ପରିସ୍ଥିତିକୁ ଦୃଷ୍ଟିରେ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ସମୀକ୍ଷା ପରେ ସୂଚନା ଦିଆଯାଇଛି। ବାତ୍ୟା ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରିବା, ସ୍ୱାସ୍ଥ୍ୟସେବା ଓ ପାନୀୟଜଳ ଯୋଗାଣ ଅବ୍ୟାହତ ରଖିବାକୁ ଜେନେରେଟର ଓ ପାୱାର ବ୍ୟାଙ୍କ କାର୍ଯ୍ୟକ୍ଷମ ସ୍ଥିତିରେ ରଖିବାକୁ ନିର୍ଦେଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ସହରରେ ଅସ୍ଥାୟୀ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପମ୍ପସେଟ ରଖିବା, ତୁରନ୍ତ ବୁଦ୍ୟତ୍‍ ସଂଯୋଗ ପୁନଃସ୍ଥାପନ ପାଇଁ ଆବଶ୍ୟକ ସରଞ୍ଜାମ ଓ ମାନବସମ୍ବଳ ପ୍ରସ୍ତୁତ ରଖିବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଛି। ବିପର୍ଯ୍ୟୟବେଳେ ଶୂନ୍ୟ ମୃତ୍ୟୁ ସଂକ୍ରାନ୍ତ ରାଜ୍ୟ ସରକାରଙ୍କ ନିୟମାବଳିକୁ କଡ଼ାକଡ଼ି ଅନୁପାଳନ ପାଇଁ ନିର୍ଦେଶ ଦିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ କରିବା, ସୁରକ୍ଷା କର୍ମୀ ଓ ପୁଲିସ ମୁତୟନ, ନଦୀବନ୍ଧ ସୁପରିଚାଳନା, ଜରୁରୀକାଳୀନ ସେବା, ପଶୁ ଖାଦ୍ୟ ଓ ଚିକିତ୍ସା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ସଫା ଓ ଯୋଗାଯୋଗ ପୁନଃସ୍ଥାପନ, ମହିଳା ଓ ଶିଶୁଙ୍କ ପାଇଁ ଜରୁରୀ ବ୍ୟବସ୍ଥା, ପ୍ରଭାବିତ ଅଞ୍ଚଳରେ ଖାଦ୍ୟଦ୍ରବ୍ୟ ମହଯୁଦ ପାଇଁ ବିଭିନ୍ନ ବିଭାଗକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ଅନୁଷ୍ଠିତ ବୈଠକରେ ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ, ପୁଲିସ ମହାନିର୍ଦେଶକ ଡ.ରାଜେନ୍ଦ୍ରପ୍ରସାଦ ଶର୍ମା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢ଼େଙ୍କାନାଳ, ଭଦ୍ରକ, ବାଲେଶ୍ୱର, ରାୟଗଡ଼ା, କୋରାପୁଟ, କନ୍ଧମାଳ, ବୌଦ୍ଧ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୧୯ଟି ଜିଲାରେ ୯ରୁ ୧୨ତାରିଖ ମଧ୍ୟରେ ବର୍ଷା ଜାରି ରହିବାର ସୂଚନା ଥିବାରୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏସଆରସି ବିଷ୍ଣୁପଦ ସେଠୀ ସବୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।
ବିଶେଷ କରି ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଆଦି ୫ଟି ଜିଲାରେ ବାତ୍ୟା ଭୟଙ୍କର ରୂପନେବାର ସମ୍ଭାବନା ଥିବାରୁ ଏସବୁ ଜିଲାରେ ରେର୍ଡ଼ ଆଲର୍ଟ ଜାରି କରାଯାଇଛି। ବାତ୍ୟା କିମ୍ବା ବର୍ଷାରେ ଯେପରି କୌଣସି ଅଞ୍ଚଳରେ ଜୀବନ ହାନି ନଘଟେ ସେ ଦିଗରେ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀର ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ଆବଶ୍ୟକ ସ୍ଥଳେ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ କଚା ଘର ଓ କୁଡ଼ିଆରେ ରହୁଥିବା ଲୋକ ବାତ୍ୟାରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବାରୁ ସେମାନଙ୍କୁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥାଳକୁ ସ୍ଥାନାନ୍ତର ପାଇଁ ନିର୍ଦେଶ ଦିଆଯାଇଛି। ଅନ୍ୟ ଜିଲାର ଜିଲାପାଳମାନେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନାନ୍ତର କାର୍ଯ୍ୟ ହାତକୁ ନେବାକୁ କୁହାଯାଇଛି। ଆଶ୍ରୟସ୍ଥଳରେ ରନ୍ଧା ଓ ଶୁଖିଲା ଖାଦ୍ୟ ତଥା ଅନ୍ୟାନ୍ୟ ରିଲିଫ ଯୋଗାଇଦେବାକୁ ନିର୍ଦେଶ ଦିଆଯାଇଛି।
ଗୃହପାଳିତ ପ୍ରାଣୀଙ୍କୁ କଚା ଘରେ ନରଖି ନିରାପଦ ସ୍ଥାନକୁ ସ୍ଥାନାନ୍ତର ସହିତ ଜିଲା ଜରୁରୀକଳୀନ ପରିଚାଳନା କେନ୍ଦ୍ର ୨୪ଘଣ୍ଟା ଖୋଲା ରଖିବାକୁ କୁହାଯାଇଛି। ବାତ୍ୟା ଓ ବର୍ଷା ପରେ ବନ୍ୟା ଆଶଙ୍କା ରହିଥିବାରୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।
ବାତ୍ୟାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଏବଂ ଏନଡ଼ିଆରଏଫ ଟିମକୁ ସଜାଗ ରଖାଯାଇଛି। ରାଜ୍ୟରେ ଥିବା ୮୭୯ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ୩୦୦ ଡ଼ଙ୍ଗା ପ୍ରସ୍ତୁତ ରଖାଯାଇଥିବାବେଳେ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି। ଗଜପତି, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଆଦି ୬ଟି ଜିଲାକୁ ଏନଡ଼ିଆରଫ ଟିମ ପଠାଯାଇଛି। ସେହିପରି ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ବାଲେଶ୍ୱର, ମୟୂରଭଞ୍ଜ ଓ କଳାହାଣ୍ଡି ଆଦି ୭ଟି ଜିଲାକୁ ଓଡ୍ରାଫ ଟିମ ପଠାଯାଇଛି ବୋଲି ଯୁଗ୍ମ ରିଲିଫ କମିଶନର ପ୍ରଭାତ ମହାପାତ୍ର ସୂଚନା ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories