ଏନ୍ଡିଏରେ ସାମିଲ ହେବ ଅଜିତଙ୍କ ଏନ୍ସିପି
୧୮ତାରିଖ ବୈଠକରେ ଯୋଗଦେବେ ଅଜିତ ଓ ପ୍ରଫୁଲ୍, ‘ଝିଅଙ୍କ ସୁରକ୍ଷା ପାଇଁ ଦଳକୁ ଦୁର୍ବଳ କରିଥିଲେ ଶରଦ’
ମୁମ୍ବଇ : ଅଜିତ ପୱାରଙ୍କ ନେତୃତ୍ବାଧୀନ ଏନ୍ସିପି କେନ୍ଦ୍ରର ଶାସକ ମେଣ୍ଟ ଏନ୍ଡିଏରେ ସାମିଲ ହେବାକୁ ଯାଉଛି । ଆସନ୍ତା ୧୮ ତାରିଖରେ ନୂଆଦିଲ୍ଲୀଠାରେ ପ୍ରସ୍ତାବିତ ଏନ୍ଡିଏ ବୈଠକରେ ଅଜିତ ଓ ସହଯୋଗୀ ପ୍ରଫୁଲ୍ ପଟେଲ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ଏନ୍ସିପି ପ୍ରତିଷ୍ଠାତା ସଭାପତି ଶରଦ ପୱାରଙ୍କର ଏକଦା ଘନିଷ୍ଠ ସହଯୋଗୀ ଥିବା ପ୍ରଫୁଲ୍ ପଟେଲ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦଳରେ ବିଭାଜନ ହୋଇନାହିଁ। ଝିଅଙ୍କ ରାଜନୈତିକ ସୁରକ୍ଷା ଚିନ୍ତାରେ ଅନ୍ଧ ପାଲଟି ଯାଇଥିବା ଶରଦଙ୍କ କାର୍ଯ୍ୟକଳାପ ଏନ୍ସିପିର ଭବିଷ୍ୟତକୁ ଅନ୍ଧାକାରାଚ୍ଛନ୍ନ କରିବାକୁ ଯାଉଥିଲା। ଦଳକୁ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଏ ନେଇ ବହୁ ଅପପ୍ରଚାର କରାଯାଉଛି। ଅଜିତଙ୍କ ସମର୍ଥନରେ ଅଧିକାଂଶ ବିଧାୟକ ଅଛନ୍ତି। ଅଜିତଙ୍କୁ ସର୍ବସମ୍ମତିକ୍ରମେ ଦଳର ସଭାପତି ମନୋନୀତ କରାଯାଇଛି। ଏ ବାବଦରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି। ସୂଚନାନୁଯାୟୀ, ଖୁବ୍ ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବ ଏବଂ ଏଥିରେ ଏନ୍ସିପିକୁ ସାମିଲ କରାଯିବ। ପ୍ରଫୁଲ୍ ପଟେଲଙ୍କ ସହ ଦୁଇ ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ସମ୍ଭାବନା ରହିଛି। ଅପରପକ୍ଷରେ ଶରଦ ପୱାରଙ୍କ ଗୋଷ୍ଠୀର ଏନ୍ସିପି ରାଜ୍ୟ ସଭାପତି ଜୟନ୍ତ ପାଟିଲ ଶୁକ୍ରବାର ଅଜିତଙ୍କ ସମର୍ଥକ ପୁଣେ ଜିଲା ସଭାପତି ପ୍ରଦୀପ ଗର୍ତ୍ତକରଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଏଥିସହ ଶରଦ ପୱାର ମନ୍ତ୍ରୀ ହୋଇଥିବା ୯ଜଣଙ୍କୁ ବାଦ୍ ଦେଇ ଅଜିତଙ୍କ ପକ୍ଷରେ ଅନ୍ୟ ସମସ୍ତ ବିଧାୟକଙ୍କୁ ଫେରିଆସିବା ପାଇଁ ପତ୍ର ଲେଖିଛନ୍ତି।
ଏକଦା ଶରଦଙ୍କର ଘନିଷ୍ଠ ଥିବା ଏବଂ ନିକଟରେ ଶରଦଙ୍କ ଦ୍ବାରା ଏନ୍ସିପିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଥିବା ପ୍ରଫୁଲ୍ ଏକ ସାକ୍ଷାତ୍କାରରେ କହିଛନ୍ତି ଯେ ଜୁନ୍ ୩୦ରେ ଅଜିତଙ୍କ ବାସଭବନରେ ବିଧାୟକଙ୍କ ବୈଠକ ବସିଥିଲା। ଏଥିରେ ୪୧ ବିଧାୟକ ଯୋଗଦେବା ସହ ଅଜିତଙ୍କୁ ସମର୍ଥନ ନେଇ ସତ୍ୟପାଠ ଦାଖଲ କରିଥିଲେ। ଅଜିତ ସଭାପତି ନିର୍ବାଚିତ ହୋଇଥିଲେ। ଦଳର ନେତୃତ୍ବ ପରିବର୍ତ୍ତନ ନେଇ ସେହିଦିନ ହିଁ ନିର୍ବାଚନ ଆୟୋଗଙ୍କୁ ନଥିପତ୍ର ପ୍ରଦାନ କରାଯାଇଥିଲା ବୋଲି ପ୍ରଫୁଲ୍ ସ୍ପଷ୍ଟ କରିଛନ୍ତି। ଶରଦ ପୱାର ଅତୀତରେ ବିଜେପି ସହ ମେଣ୍ଟ ପାଇଁ ଅନିଚ୍ଛୁକ ନଥିଲେ। ଦ୍ବିତୀୟରେ ସେ ଝିଅଙ୍କୁ ଲକ୍ଷ୍ୟରଖି ସମସ୍ତ ପଦକ୍ଷେପ ନେଉଥିଲେ ଏବଂ ଏହା ସମସ୍ତଙ୍କ ଉପରେ ଲଦି ଦିଆଯାଉଥିଲା। ଏହି ଦୁଇଟି କାରଣରୁ ତାଙ୍କୁ ନେତୃତ୍ବରୁ ହଟାଇବା ଯୋଜନା ହୋଇଥିଲା। ଅଜିତଙ୍କ ଗୋଷ୍ଠୀର ନେତାମାନେ ଇଡି ଓ ଅନ୍ୟ ମାମଲା ଭୟରେ ବିଜେପି ସହ ହାତ ମିଳାଇଥିବା ପ୍ରଚାରକୁ ସେ ମିଛ ବୋଲି ଦର୍ଶାଇଛନ୍ତି। ୨୦୧୪ରେ ଶରଦ ବିଜେପିକୁ ବାହାରୁ ସମର୍ଥନ ଦେବାକୁ ରାଜି ଥିଲେ। ଏମିତିକି ୨୦୧୯ରେ ଅଜିତ ଉପମୁଖମନ୍ତ୍ରୀ ହେବା ଘଟଣା ଶରଦଙ୍କୁ ଜଣାଥିଲା। ୨୦୨୨ରେ ସେ ନିଜେ ବିଜେପି ସହ ମେଣ୍ଟ ପାଇଁ କଥାବର୍ତ୍ତା କରୁଥିବା କହିଥିଲେ। ତାଙ୍କର ମତିଗତି ନେଇ କର୍ମୀ ଦ୍ବନ୍ଦ୍ବରେ ରହୁଥିଲେ। ଅଜିତଙ୍କୁ ଦଳରେ ଅବହେଳା କରାଯିବା କର୍ମୀଙ୍କୁ ବାଧୁଥିଲା।
Comments are closed.