ଆପ୍‍-କଂଗ୍ରେସ ମେଣ୍ଟ ସମ୍ଭବ ନୁହେଁ: ଅଜୟ ମାକେନ

0

ନୂଆଦିଲ୍ଲୀ : କଂଗ୍ରେସ ୨୦୧୫ରେ ବିହାରରେ ମହାମେଣ୍ଟ ଏବଂ ୨୦୧୮ ମେ’ରେ କର୍ଣ୍ଣାଟକରେ ଜେଡିଏସ୍‍ ସହ ମେଣ୍ଟ କରିବା ପରେ ଏବେ ଦଳ ଦିଲ୍ଲୀରେ ଆମ୍‍ ଆଦମୀ ପାର୍ଟି (ଆପ୍‍)କୁ ନିଜ ଶିବିରରେ ସାମିଲ କରିବାକୁ ଯାଉଛି ବୋଲି ଗଣମାଧ୍ୟମରେ ଆଲୋଚନା ହୋଇଛି। ଏହି ମେଣ୍ଟ ଗଠନ ନେଇ ଉଭୟ ଦଳର ନେତୃବୃନ୍ଦଙ୍କ ମଧ୍ୟରେ ମେ ୨୪ରେ ଅନୌପଚାରିକ ଆଲୋଚନା ହୋଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ମାତ୍ର ଆପ୍‍-କଂଗ୍ରେସ ମେଣ୍ଟ ସମ୍ଭବ ନୁହେଁ ବୋଲି କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ ଶନିବାର ସ୍ପଷ୍ଟ କରିଛନ୍ତି। ରାଷ୍ଟ୍ରୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍‍ଥାନ ପାଇଁ ମାକେନ୍‍ ଆପ୍‍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଦାୟୀ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୀବ୍ର ସମାଲୋଚନା କରିବା ସହିତ ଦେଶବାସୀ ମନମୋହନ ସିଂହଙ୍କ ପରି ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀଙ୍କୁ ଝୁରୁଛନ୍ତି ବୋଲି କେଜରିୱାଲ ମେ ୩୧ରେ ଟ୍ୱିଟ୍‍ କରିଥିଲେ। ଏହାର ଉତ୍ତର ଦେଇ ମାକେନ୍‍ ଉଲ୍ଲେଖ କରିଛନ୍ତି ଯେ ଦିଲ୍ଲୀବାସୀ କେଜରିୱାଲ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଚାଲିଥିବାବେଳେ କଂଗ୍ରେସ କାହିଁକି ଏହି ଦଳକୁ ସମର୍ଥନ କରିବ? ଅନ୍ୟପଟେ ଦିଲ୍ଲୀରେ କଂଗ୍ରେସର ମୁଖ୍ୟ ମୁଖପାତ୍ର ଶର୍ମିଷ୍ଠା ମୁଖାର୍ଜୀ ମଧ୍ୟ ଆପ୍‍କୁ ସମାଲୋଚନା କରିଛନ୍ତି। ସଙ୍କଟ ଦେଇ ଗତି କରୁଥିବା ଆପ୍‍ କଂଗ୍ରେସ ସହିତ ମେଣ୍ଟ କରିବାକୁ ଉଦ୍ୟମ କରିବା ଆଶ୍ଚର୍ଯ୍ୟଜନକ ନୁହେଁ ବୋଲି ସେ ଟ୍ୱିଟ୍‍ କରିଛନ୍ତି। କୈରାନା ଉପନିର୍ବାଚନରେ ବିଜେପିର ପରାଜୟ ପରେ ବିରୋଧୀ ଦଳଗୁଡିକ ମଧ୍ୟରେ ମେଣ୍ଟ ସମ୍ଭାବନା ସୃଷ୍ଟି ହୋଇଥିଲା। ଦିଲ୍ଲୀ, ହରିୟାଣା ଓ ପଞ୍ଜାବରେ କଂଗ୍ରେସ ଆପ୍‍ର ସମର୍ଥନ ଲୋଡୁଛି ବୋଲି ଦଳୀୟ ନେତା ଦିଲୀପ ପାଣ୍ଡେ କହିଥିଲେ। ଏହାକୁ ନେଇ ପାଣ୍ଡେ ଏବଂ ମାକେନ୍‍ଙ୍କ ମଧ୍ୟରେ ଅନ୍‍ଲାଇନ୍‍ ବାକ୍‍ଯୁଦ୍ଧ ହୋଇଥିଲା।

Leave A Reply