ଦୁବାଇ: ଏସିଆ କପ କ୍ରିକେଟ-୨୦୨୫ର ରବିବାର ଆଉ ଏକ ହାଇଭୋଲଟେଜ ମ୍ୟାଚରେ ଭାରତ ଓ ପାକିସ୍ତାନ ମୁହଁାମୁହିଁ ହେବେ । ସୁପର-୪ରେ ଦୁଇ ଦଳ ଦୁବାଇରେ ମୁହଁାମୁହିଁ ହେବାକୁ ଯାଉଛନ୍ତି। ଲିଗ୍ ପର୍ଯ୍ୟାୟରେ ଦୁଇ ଦଳ ଗ୍ରୁପ-ଏ ରେ ସ୍ଥାନ ପାଇଥିଲେ। ଭାରତ ୩ଟି ମ୍ୟାଚରୁ ୩ଟି ବିଜୟ ସହ ୬ ପଏଣ୍ଟ ପାଇ ଗ୍ରୁପର ଶୀର୍ଷ ଓ ପାକିସ୍ତାନ ୩ଟି ମ୍ୟାଚରୁ ଦୁଇଟି ବିଜୟ ଓ ଗୋଟିଏ ପରାଜୟ ସହ ୪ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନ ସହ ସୁପର-୪ରେ ପହଞ୍ଚିଛି। ଲିଗ୍ ପର୍ଯ୍ୟାୟରେ ଭାରତ ୭ ୱିକେଟେର ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତୀୟ ବୋଲର ପାକିସ୍ତାନ ବ୍ୟାଟିଂ ଲାଇନକୁ ବିଧ୍ବସ୍ତ କରିଦେଇଥିଲେ। ବୋଲିଂରେ କୁଳଦୀପ ଯାଦବ ୩ଟି,ଅକ୍ଷର ପଟେଲ ୨ଟି , ଯଶପ୍ରୀତ ବୁମରା ୨ଟି, ହାର୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ବ୍ୟାଟିଂରେ ଅଭିଷେକ ଶର୍ମା ୧୩ଟି ବଲରୁ ୩୧,ତିଳକ ବର୍ମା ୩୧ଟି ବଲରୁ ୩୧ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୪୭ରନ କରି ଅପରାଜିତ ରହିଥିଲେ। ପାକିସ୍ତାନ ଉଭୟ ବ୍ୟାଟିଂ ଓ ବୋଲିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ସୈମ ଆୟୁବ ଏକମାତ୍ର ବୋଲର ଭାବେ ୩ଟି ଯାକ ୱିକେଟ ନେଇଥିବାବେଳେ ଅନ୍ୟ ସମସ୍ତେ ପ୍ରଭାବହୀନ ପ୍ରଦର୍ଶନ କରିଥିଲେ । ଲିଗ୍ ମ୍ୟାଚରେ ଦୁଇ ଭାରତୀୟ ସ୍ପିନର କୁୂଳଦୀପ ଯାଦବ ଓ ଅକ୍ଷର ପଟେଲ ପାକିସ୍ତାନ ପାଇଁ ଘାତକ ସାଜିଥିଲେ। ସୁପର-୪ରେ କୁଳଦୀପ ଓ ଅକ୍ଷର ପୁଣି ଚମକ ଦେଖାଇବା ଲକ୍ଷ୍ୟ ରଖିଥିବାବେଳେ ପାକିସ୍ତାନ ଉକ୍ତ ଦୁଇ ସ୍ପିନରଙ୍କୁ କିଭଳି ମୁକାବିଲା କରୁଛି ତାହା ଦେଖିବାକୁ ବାକି ରହିଛି।
ଏସିଆ କପର ଟ୍ବେଣ୍ଟି୨୦ ଫର୍ମାଟରେ ଦୁଇ ଦଳ ଏପର୍ଯ୍ୟନ୍ତ ୪ଥର ମୁହଁାମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୩ଥର ଓ ପାକିସ୍ତାନ ଗୋଟିଏ ମ୍ୟାଚ ଜିତିଛି। ୨୦୧୬ରେ ମୀରପୁରରେ ଦୁଇ ଦଳ ଏସିଆ କପର ଟ୍ବେଣ୍ଟି୨୦ ଫର୍ମାଟରେ ପ୍ରଥମ ଥର ମୁହଁାମୁହିଁ ହୋଇଥିଲେ। ଏଥିରେ ଭାରତ ୫ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା। ୨୦୨୨ରେ ଏସିଆ କପ୍ ଟ୍ବେଣ୍ଟି୨୦ ଫର୍ମାଟରେ ଦ୍ବିତୀୟ ଥର ପାଇଁ ଖେଳାଯାଇଥିଲା। ଭାରତ ଓ ପାକିସ୍ତାନ ଗ୍ରୁପ-ଏରେ ସ୍ଥାନ ପାଇଥିଲେ। ଦୁବାଇରେ ଖେଳାଯାଇଥିବା ଲିଗ୍ ମ୍ୟାଚରେ ଭାରତ ୫ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା। ଦୁଇ ଦଳ ସୁପର-୪ରେ ପୁଣି ମୁହଁାମୁହିଁ ହୋଇଥିଲେ। ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ୫ ୱିକେଟରେ ଭାରତକୁ ପରାସ୍ତ କରିଥିଲା। ୨୦୨୫ର ଲିଗ୍ ମ୍ୟାଚରେ ଦୁଇ ଦଳ ମୁହଁାମୁହିଁ ହୋଇଥିଲେ। ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ଭାରତ ୭ ୱିକେଟରେ ବିଜୟ ହାସଲ କରିଥିଲା। ୪ଟି ଯାକ ମ୍ୟାଚରେ ରନକୁ ପିଛା କରିଥିବା ଦଳ ବିଜୟ ହାସଲ କରିଛି।



