୮ ଥରରେ ୪ କୋଟି ଟଙ୍କାର ସୁନା ଜବତ

0

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରକୁ ସିଧାସଳଖ କୁଆଲାଲୁମ୍ପୁର ଏବଂ ବ୍ୟାଙ୍କକ୍‍ରୁ କୁଆଲାଲୁମ୍ପୁର ବାଟ ଦେଇ ବିମାନ ଚଳାଚଳ କରିବା ପରଠାରୁ ସୁନା ଚୋରା ଚାଲାଣ ଭଳି ଘଟଣା ପଦାକୁ ଆସିଛି। ୬ ମାସ ମଧ୍ୟରେ ୮ ଥରରେ ବିଜୁପଟ୍ଟନାୟକ ବିମାନବନ୍ଦରରୁ ୪ କୋଟି ଟଙ୍କାର ସୁନା ଜବତ ହେଲାଣି। ମେ ୭ରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ୩ ଜଣ ଯାତ୍ରୀଙ୍କଠାରୁ ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟର ଅଧିକାରୀମାନେ ୫.୮୮୨ କିଲୋଗ୍ରାମ ଓଜନର ୬ ଖଣ୍ଡ ସୁନା ବିସ୍କୁଟ୍‍ ଜବତ କରିଥିଲେ। ଯାହାର ମୂଲ୍ୟ ୧,୮୮,୬୬ ,୨୯୧ ଟଙ୍କା ବୋଲି ଆକଳନ କରାଯାଇଥିଲା। ଯାହା ଏପର୍ଯ୍ୟନ୍ତ ଜବତ ହୋଇଥିବା ସବୁଠାରୁ ଅଧିକ ପରିମାଣର ସୁନା ଥିଲା। ଏହା ବ୍ୟତୀତ ଅଧିକାଂଶ ଥର ସୀମାଶୁଳ୍କ ଆୟୋଗ ଅଧିକାରୀମାନେ ସୁନା ଜବତ କରିଛନ୍ତି।

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ୨୦୧୭ ନଭେମ୍ବର ୧୪ରେ ପ୍ରଥମ ଥର ଲାଗି କୁଆଲାଲୁମ୍ପୁରରୁ ଜଣେ ବ୍ୟକ୍ତି ସ୍କ୍ରୁ-ଡ୍ରାଇଭର ଭିତରେ ୬୬୧.୫ ଗ୍ରାମ ଓଜନର ୩୪ ଖଣ୍ଡ ସୁନା ଭର୍ତ୍ତି କରି ଆଣିବା ବେଳେ ଧରାପଡିଥିଲେ। ଏହି ସୁନାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ଥିଲା। ସେହିପରି ଚଳିତ ବର୍ଷ ମାର୍ଚ୍ଚ ୬ ତାରିଖରେ କୁଆଲାଲୁମ୍ପୁରରୁ ଆସୁଥିବା ଏୟାର ଏସିଆର ବିମାନରେ ଜଣେ ଯାତ୍ରୀ ୬୦୦ ଗ୍ରାମ ଓଜନର ୫ ଖଣ୍ଡ ସୁନା ବିସ୍କୁଟ ମଳଦ୍ୱାର ଭିତରେ ଲୁଚାଇ ଆଣୁଥିବା ବେଳେ ଧରାପଡିଥିଲେ। ଏହାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଥିଲା। ମାର୍ଚ୍ଚ ୧୦ରେ ବ୍ୟାଙ୍କକ୍‍ରୁ ଆସୁଥିବା ୪ ଜଣ ଯାତ୍ରୀଙ୍କଠାରୁ ବିଦେଶୀ ମୁଦ୍ରା ସହିତ ଚୋରା ସୁନାରେ ତିଆରି ଚେନ୍‍, ମୁଦି ଓ ଡେଉଁରିଆ ଆଦି ଜବତ କରାଯାଇଥିଲା। ଯାହାର ମୂଲ୍ୟ ୨୨ ଲକ୍ଷ ଟଙ୍କା ଥିଲା। ଏହା ପୂର୍ବରୁ ୪ ଥରରେ ପ୍ରାୟ ୭୨ ଲକ୍ଷ ଟଙ୍କାରୁ ଅଧିକ ସୁନା ଅଳଙ୍କାର ଜବତ ହୋଇଥିଲା।

ମାର୍ଚ୍ଚ ୨୯ରେ ବ୍ୟାଙ୍କକ୍‍ରୁ କୁଆଲାଲୁମ୍ପୁର ହୋଇ ଏୟାର ଏସିଆ ବିମାନ(ଏକେ-୩୧) ଆସିଥିବା ଦୁଇ ଜଣ ପଞ୍ଜାବୀ ଯାତ୍ରୀ ମଳଦ୍ୱାରରେ ୧୫ ଖଣ୍ଡ ସୁନାକୁ ଲୁଚାଇ ଆଣି ଆସୁଥିବା ବେଳେ ବିମାନ ବନ୍ଦରରେ ଧରାପଡିଥିଲେ। ୧୧୪୩.୭୮ ଗ୍ରାମ ଓଜନର ଏହି ସୁନାର ମୂଲ୍ୟ ୩୪,୯୦,୮୧୬ ଟଙ୍କା ଥିଲା। ମାର୍ଚ୍ଚ ୨୭ରେ ମହାରାଷ୍ଟ୍ରର ଥାନେ ଅଞ୍ଚଳର ୨ ଜଣ ଯାତ୍ରୀଙ୍କଠାରୁ ୩ଟି ସୁନା ଖଣ୍ଡ ଏବଂ ୧୪୩ଟି ସୁନା ରିଙ୍ଗ ଜବତ କରାଯାଇଥିଲା। ଏସବୁ ଜବତ ସୁନାର ଓଜନ ୩୭୮.୩୭୦ ଗ୍ରାମ ଥିଲା। ଯାହାର ମୂଲ୍ୟ ୧୨,୦୧,୩୨୩ ଟଙ୍କା ବୋଲି ଆକଳନ କରାଯାଇଥିଲା। ଜିନ୍‍ ପ୍ୟାଣ୍ଟ ଓ ସାର୍ଟର ବଟମ୍‍ ଭିତରେ ସୁନା ରିଙ୍ଗ ଆକାରରେ ତିଆରି କରି ଲୁଚାଇ ଆଣୁଥିଲେ। ଏପ୍ରିଲ୍‍ ୨୨ରେ ପ୍ରବାସୀ ଭାରତୀୟ ମହିଳା ଯାତ୍ରୀଙ୍କଠାରୁ ୫୪୫.୦୩୦ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରାଯାଇଛି। ଥାଇଲାଣ୍ଡର ବ୍ୟାଙ୍କକ୍‍ରୁ ଆସୁଥିବା ମହିଳା ଜଣକ ଏକ ସୁନା ଚେନ୍‍ ଏବଂ ସୁନା ଚୁଡ଼ିରେ ରୁପାର ପ୍ରଲେପ ଲଗାଇ ପିନ୍ଧିଥିଲେ। ସେହିପରି ମହିଳାଙ୍କ ଭ୍ୟାନିଟି ବ୍ୟାଗ୍‍ର ଚେନ୍‍ ଓ ହ୍ୟାଣ୍ଡଲ୍‍ ରିଂଗଗୁଡ଼ିକ ମଧ୍ୟ ସୁନାରେ ତିଆରି ହୋଇଥିବା ସୀମାଶୁଳ୍କ ଆୟୋଗର କର୍ମଚାରୀମାନେ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ। ସେହିପରି ଜୁନ୍‍ ୧୪ରେ ୩୫୫.୧୨୦ଗ୍ରାମ ସୁନା ଗୁଣ୍ଡକୁ ପେଷ୍ଟ ତିଆରି କରି କ୍ୟାପ୍‍ସୁଲ୍‍ରେ ଭର୍ତ୍ତି କରି ଆଣୁଥିବା ଜଣେ ଯାତ୍ରୀଙ୍କଠାରୁ ଜବତ ହୋଇଥିଲା। ଯାହାର ମୂଲ୍ୟ ୧୧,୩୭,୦୯୪ ଟଙ୍କା ବୋଲି ସୀମାଶୁଳ୍କ ଆୟୋଗ ପକ୍ଷରୁ କୁହାଯାଇଥିଲା।
ଗତ ୮ ମାସ ହେବ କୁଆଲାଲୁମ୍ପୁର ଏବଂ ବ୍ୟାଙ୍କକ୍‍ରୁ ସିଧାସଳଖ ବିମାନ ଭୁବନେଶ୍ୱରକୁ ଚଳାଚଳ କରୁଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା କୋହଳ ହୋଇଥିବା ଚୋରା ସୁନା ବେପାରୀ(ସ୍ମଗଲର)ମାନେ ଭାରତକୁ ଏକ ପ୍ରବେଶପଥ ବୋଲି ବାଛି ନେଇ ଥାଇପାରନ୍ତି ବୋଲି ଜଣେ ସୀମାଶୁଳ୍କ ଅଧିକାରୀ କହିଛନ୍ତି। ଭାରତର ଅନ୍ୟ ମେଟ୍ରୋ ବିମାନବନ୍ଦରଗୁଡ଼ିକର ସିକ୍ୟୁରିଟି ଓ ଯାଞ୍ଚ ବ୍ୟବସ୍ଥା ଅତ୍ୟନ୍ତ କଡାକଡି ହୋଇଥିବାରୁ ମାଲେସିଆ ଓ ବ୍ୟାଙ୍କକ୍‍ରୁ ଭୁବନେଶ୍ୱର ଦେଇ ଦେଶର ପ୍ରମୁଖ ସହର ଚେନ୍ନାଇ, କଲକାତା, ପଞ୍ଜାବ ଓ ଅନ୍ୟ ସହରକୁ ସୁନା ଚୋରା ଚାଲାଣ ହେଉଥିବା ଅନୁମାନ କରାଯାଉଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଯାଞ୍ଚ ବ୍ୟବସ୍ଥା ମଧ୍ୟ ଅନ୍ୟ ବିମାନବନ୍ଦର ତୁଳନାରେ କମ ନୁହେଁ ବୋଲି ସୀମାଶୁଳ୍କ ଆୟୋଗର ଅଧିକାରୀମାନେ କହିଛନ୍ତି। ତେଣୁ ବାରମ୍ବାର ସ୍ମଗଲରମାନେ ଧରାପଡୁଛନ୍ତି।

Leave A Reply