ନୂଆଦିଲ୍ଲୀ: ଏୟାର ଇଣ୍ଡିଆର A320neo ବିମାନକୁ ମୁମ୍ବାଇ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ଟାଟା ଗ୍ରୁପ୍ ଦ୍ବାରା ପରିଚାଳିତ ଏୟାରଲାଇନର ଏହି ବିମାନ ଉଡ଼ାଣ ଭରିବା ପରେ ମୁମ୍ବାଇ ବିମାନବନ୍ଦରକୁ ଫେରି ଆସିଥିଲା, କାରଣ ଯାନ୍ତ୍ରିକ ସମସ୍ୟା କାରଣରୁ ଏହାର ଏକ ଇଞ୍ଜିନ ହଠାତ୍ ବନ୍ଦ ହୋଇଯାଇଥିଲା।
ଏ ସମ୍ପର୍କରେ ଜାରି ହୋଇଥିବା ଏକ ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ବିମାନ ଉଡ଼ାଣ ଭରିବାର ଠିକ୍ ୨୭ ମିନିଟ୍ ପରେ ବିମାନବନ୍ଦରକୁ ଫେରି ଆସିଥିଲା। ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ, ବିମାନ ବଦଳାଇବା ପରେ ଯାତ୍ରୀମାନଙ୍କୁ ବେଙ୍ଗାଲୁରୁର ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ, ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଏହି ଘଟଣାର ଯାଞ୍ଚ କରୁଛି। ଏଠାରେ ଉଲ୍ଲେଖଯୋଗ୍ୟ, ଏୟାରଇଣ୍ଡିଆର A320neo ବିମାନରେ ସିଏଫଏମର ଲିପ୍ ଇଞ୍ଜିନ ଲାଗିଥାଏ।



