ବିମାନବନ୍ଦରରେ ହ୍ୱିଲ ଚେୟାର ନ ମିଳିବାରୁ ଯାତ୍ରୀଙ୍କ ମୃତ୍ୟୁ, ସଫେଇ ଦେଲା ଏୟାର ଇଣ୍ଡିଆ

ମୁମ୍ବଇ: ମୁମ୍ବଇ ବିମାନବନ୍ଦରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବୃଦ୍ଧ ବୁକିଂ ପରେ ମଧ୍ୟ ହ୍ୱିଲ ଚେୟାର ପାଇନଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏୟାର ଇଣ୍ଡିଆ ଏହି ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ କହିଛି ଯେ, ଯାତ୍ରୀଙ୍କୁ ହ୍ୱିଲ୍ ଚେୟାର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଥିଲା, କିନ୍ତୁ ସେ ତାଙ୍କ ପତ୍ନୀଙ୍କ ସହ ଚାଲି ଚାଲି ଯିବାକୁ ବିକଳ୍ପ ଭାବେ ବାଛିଥିଲେ।

ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି, ‘‘ଫେବୃଆରୀ ୧୨ରେ ନ୍ୟୁୟର୍କରୁ ମୁମ୍ବଇ ଯାତ୍ରା କରିଥିବା ଆମର ଜଣେ ଅତିଥି ତାଙ୍କ ପତ୍ନୀଙ୍କ ସହ ଇମିଗ୍ରେସନ କ୍ଲିୟର କରିବାକୁ ଯିବାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ବୃଦ୍ଧ ଯାତ୍ରୀ ହ୍ୱିଲ ଚେୟାର ବୁକ୍‌ କରିଥଇଲେ। ହ୍ୱିଲ୍ ଚେୟାରର ଅଧିକ ଚାହିଦା ଯୋଗୁ ଆମେ ଯାତ୍ରୀଙ୍କୁ କିଛି ସମୟ ଅପେକ୍ଷା କରିବାକୁ ଅନୁରୋଧ କଲୁ କିନ୍ତୁ ସେ ତାଙ୍କ ପତ୍ନୀଙ୍କ ସହ ଚାଲିବାକୁ ପସନ୍ଦ କଲେ। ବୃଦ୍ଧ ଜଣକ ଇମିଗ୍ରେସନ କାଉଣ୍ଟର ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ। ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।’’

ସୂଚନାନୁସାରେ, ୮୦ ବର୍ଷୀୟ ବୃଦ୍ଧ ଓ ତାଙ୍କ ପତ୍ନୀ ନ୍ୟୁୟର୍କରୁ ମୁମ୍ବଇ ଅଭିମୁଖେ ଉଡ଼ାଣ ଭରିଥିଲେ। ଏହି ଦମ୍ପତି ନିଜ ପାଇଁ ହ୍ୱିଲ୍ ଚେୟାର ବୁକ୍ କରିଥିଲେ। ଯେତେବେଳେ ଏୟାର ଇଣ୍ଡିଆର ବିମାନ ମୁମ୍ବଇ ବିମାନବନ୍ଦରରେ ଅବତରଣ କଲା, ସେତେବେଳେ ଦମ୍ପତିଙ୍କୁ କେବଳ ଗୋଟିଏ ହ୍ୱିଲ ଚେୟାର ମିଳିଥିଲା। ଏଭଳି ସ୍ଥିତିରେ ସ୍ବାମୀ ନିଜ ବୃଦ୍ଧା ପତ୍ନୀଙ୍କୁ ଏଥିରେ ବସାଇଥିଲେ ଏବଂ ନିଜେ ଚାଲି ଚାଲି ଯାଇଥିଲେ। ବିମାନରୁ ୧.୫ କିଲୋମିଟର ଦୂର ଟର୍ମିନାଲରେ ଅବସ୍ଥିତ ଇମିଗ୍ରେସନ କାଉଣ୍ଟର ପର୍ଯ୍ୟନ୍ତ ବୃଦ୍ଧଙ୍କୁ ଚାଲିବାକୁ ପଡ଼ିଲା। କାଉଣ୍ଟରରେ ପହଞ୍ଚିବା ପରେ ତାଙ୍କ ମୁଣ୍ଡ ବୁଲାଇଥିଲା ଏବଂ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ତୁରନ୍ତ ତାଙ୍କୁ ନାନାବତୀ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

Comments are closed.