ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରେଟ୍ସରେ ଅଟକି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଗୁରୁବାର ଦୁଇଟି ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ କେରଳରୁ ଯାତ୍ରା କରିଛି। କୋଭିଡ -୧୯ କାରଣରୁ ବାଧ୍ୟତାମୂଳକ ବନ୍ଦ ହେତୁ ସେମାନେ ବାଇ ଅଞ୍ଚଳରେ ଫସି ରହିଛନ୍ତି।
ଏହି ବିମାନଗୁଡ଼ିକ ସହିତ ଗୁରୁବାର ବିଳମ୍ବିତ ରାତି ସୁଦ୍ଧା ଆବୁଧାବି ଏବଂ ଦୁବାଇରେ ଫସି ରହିଥିବା ପ୍ରାୟ ୩୪୦ ଭାରତୀୟ କୋଚି ଏବଂ କୋଜିକୋଡେରେ ପହଞ୍ଚିବେ। ଏହି ଯାତ୍ରୀମାନଙ୍କ ମଧ୍ୟରେ ଗର୍ଭବତୀ ମହିଳା, ନବଜାତ ଶିଶୁ ଏବଂ ରୋଗୀମାନେ ରହିଛନ୍ତି। ଆବୁଧାବିରେ ଥିବା ଅଧିକାଂଶ ଯାତ୍ରୀ କେରଳର ବୋଲି ଜଣାପଡିଛି।
ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରଥମ ବିମାନ ଅପରାହ୍ନ ୪.୧୫ରେ ଆବୁଧାବିରୁ ଉଡାଣ ଭରିଛି ଏବଂ ରାତି ୯.୪୦ ରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ। ସେହି ଦ୍ବିତୀୟ ବିମାନ ଅପରାହ୍ନ ୫ ଟାରୁ ଦୁବାଇରୁ ଯାତ୍ରା ଆରମ୍ଭ କରି ପରଦିନ ସକାଳ ୧୦.୪୦ ରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ। ଏଥିସହ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ୩ଟି ନୌସେନା ଜାହାଜ ମଧ୍ୟ ମାଳଦ୍ୱୀପ ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ପଠାଯାଇଛି।
ରାଜ୍ୟର ମୁଖ୍ୟ ଶାସନ ସଚିବ ଟମ ଜୋସେ କହିଛନ୍ତି ଯେ, କେବଳ କୋଭିଡ -୧୯ ନେଗେଟିଭ୍ ଥିବା ଲୋକଙ୍କୁ ବିମାନରେ ଚଢିବା ପାଇଁ ଅନୁମତି ଦିଆଯାଇଛି। ସେମାନେ ଫେରିବା ପରେ ଗର୍ଭବତୀ ମହିଳା, ଶିଶୁ ଏବଂ ବୃଦ୍ଧଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ସାତ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରଖାଯିବ। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏହି ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ୮ଟି ବିମାନ, ୬୦ ପାଇଲଟ ଏବଂ ୧୨୦ କ୍ରୁ ମେମ୍ବର ସାମିଲ ରହିଛନ୍ତି।



