ମାର୍ଚ୍ଚ ୨୨ରୁ ତେଲ୍‌ ଆଭିଭ୍‌କୁ ଉଡ଼ିବ ଏୟାର ଇଣ୍ଡିଆ ବିମାନ

0

ମୁମ୍ବଇ : ଆସନ୍ତା ଗୁରୁବାରଠାରୁ ଏୟାର ଇଣ୍ଡିଆ ପକ୍ଷରୁ ନୂଆଦିଲ୍ଲୀରୁ ଇସ୍ରାଏଲର ରାଜଧାନୀ ତେଲ୍‌ ଆଭିଭ୍‌କୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଜଣାପଡିଛି। ୨୫୬ ଆସନ ବିଶିଷ୍ଟ ବୋଇଂ ୭୮୭ (ଡ୍ରିମଲାଇନର) ବିମାନ ସପ୍ତାହକୁ ତିନି ଦିନ ଦିଲ୍ଲୀରୁ ତେଲ୍‌ ଆଭିଭ୍‌ ଯାତ୍ରା କରିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଏହି ଉଡାଣ ନିମନ୍ତେ ସାଉଦି ଆରବ ସରକାର ଇତିମଧ୍ୟରେ ନିଜର ଆକାଶପଥ ବ୍ୟବହାର କରିବାକୁ ଏୟାର ଇଣ୍ଡିଆକୁ ଅନୁମତି ଦେଇଛନ୍ତି। ଫଳରେ ଏହି ବିମାନ ଦିଲ୍ଲୀରୁ ଓମାନ, ସାଉଦି ଆରବ ଓ ଜୋର୍ଡାନ ଦେଇ ଇସ୍ରାଏଲରେ ଅବତରଣ କରିବ। ୨୦୧୭ ମେ’ରେ ଏହି ବିମାନସେବା ଆରମ୍ଭ କରିବାକୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ତେବେ ଇସ୍ରାଏଲ ଆରବ ରାଷ୍ଟ୍ରସମୂହର ପ୍ରଧାନ ଶତ୍ରୁ ହୋଇଥିବାରୁ ସେତେବେଳେ କେତେକ ରାଷ୍ଟ୍ର ନିଜର ଆକାଶପଥ ବ୍ୟବହାର କରିବାକୁ ଏୟାର ଇଣ୍ଡିଆକୁ ଅନୁମତି ଦେଇନଥିଲେ। ୨୨ରେ ଏୟାର ଇଣ୍ଡିଆର ଏହି ବିମାନ ସନ୍ଧ୍ୟା ୬ଟାରେ ନୂଆଦିଲ୍ଲୀରୁ ଉଡାଣ ଆରମ୍ଭ କରି ରାତି ୯.୪୫ରେ ତେଲ୍‌ ଆଭିଭ୍‌ରେ ପହଞ୍ଚିବ। ତେଲ୍‌ ଆଭିଭ୍‌ରୁ ଫେରନ୍ତା ଫ୍ଲାଇଟ୍‌ ରାତି ୧୧.୧୫ରୁ ବାହାରି ନୂଆଦିଲ୍ଲୀରେ ଅପରାହ୍ନ ୪ଟାରେ ପହଞ୍ଚିବ।

Leave A Reply