କଚ୍ଛରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍‍ ମୃତ

0

କଚ୍ଛ : ଭାରତୀୟ ବାୟୁସେନାର ଏକ ଜାଗୁଆର୍‍ ବିମାନ ମଙ୍ଗଳବାର ଗୁଜରାତର କଚ୍ଛଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବିମାନର ପାଇଲଟ୍‍ ଏୟାର କମାଣ୍ଡର ସଞ୍ଜୟ ଚୌହାନ ପ୍ରାଣ ହରାଇଛନ୍ତି। ଜାମନଗରରୁ ନିୟମିତ ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ମୁନ୍ଦ୍ରା ପାଖାପାଖି ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ପରେ ପୂର୍ବାହ୍ଣ ୧୦ଟା ୩୦ ମିନିଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ କଚ୍ଛ ଅନ୍ତର୍ଗତ ବାରୋଜା ଗ୍ରାମ ନିକଟରେ ଖଣ୍ଡ ବିଖଣ୍ଡିତ ହୋଇ ଖସି ପଡିଥିଲା। ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ବିଧ୍ୱଂସ ହୋଇଯାଇଛି। ଏହାର ଧ୍ୱଂସାବଶେଷ ଉକ୍ତ ଗ୍ରାମର ବହୁସ୍ଥାନରେ ବିଚ୍ଛୁରିତ ହୋଇପଡିଛି। ସ୍ଥାନୀୟ ପୁଲିସ, ଉଦ୍ଧାରକାରୀ ଦଳ ଏବଂ ଜାମନଗର ବାୟୁସେନା ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ପାଇଲଟ୍‍ ଚୌହାନ୍‍ଙ୍କ ଜୀବନ ରକ୍ଷା କରାଯାଇ ପାରି ନ ଥିଲା। ବାୟୁ ସେନା ପକ୍ଷରୁ ଏହି ଘଟଣାର ତଦନ୍ତ (କୋର୍ଟ ଅଫ୍‍ ଇନ୍‍କ୍ୱାରୀ) ନିର୍ଦେଶ ଦିଆଯାଇଛି।

Leave A Reply