ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଏମବିବିଏସ ସିଟରେ ନାମ ଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଫଳ ବୁଧବାର ରାତିରେ ପ୍ରକାଶ ପାଇଛି। ଏଥିରେ ଦିଲ୍ଲୀର ଭବିକ ବଂଶଲ ସର୍ବାଧିକ ନମ୍ବର ରଖି ଟପ୍ପର ହେବା ସହ ପ୍ରଥମ ରାଙ୍କ ହାସଲ କରିଛନ୍ତି। ପରୀକ୍ଷାରେ ସେ ମୋଟ ୭୨୦ ନମ୍ବରରୁ ୭୦୦ ନମ୍ବର ରଖିଛନ୍ତି। ଭବିକ ନୀଟ୍ ପ୍ରବେଶିକା ପରୀକ୍ଷା ୨୦୧୯ରେ ୨ୟ ରାଙ୍କ ପାଇଥିଲେ। ଏମ୍ସ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରୀଛାତ୍ରଙ୍କ ତାଲିକା ଏମ୍ସର ଅଫିସିଆଲ ୱେବସାଇଟ୍ aiimsexams.orgରେ ଉପଲବ୍ଧ ହୋଇଛି।
ସୂଚନାଯୋଗ୍ୟ, ଦେଶବ୍ୟାପୀ ଏମ୍ସର ୧୨୦୭ ଏମବିବିଏସ ସିଟ୍ରେ ନାମ ଲେଖା ପାଇଁ ଗତ ମେ ୨୫ ଏବଂ ୨୬ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୩ ଲକ୍ଷ ୩୮ ହଜାର ୪୫୭ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧ ହଜାର ୩୮୦ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ରାଙ୍କ ପାଇଥିବା ପିଲାଙ୍କ ମଧ୍ୟରେ ୭୩୫୨ ଛାତ୍ର ଏବଂ ୪୦୨୭ ଛାତ୍ରୀ ରହିଛନ୍ତି। ନାମ ଲେଖା ପରେ ଅଗଷ୍ଟ ୧ ତାରିଖରୁ ପାଠପଢ଼ା ଆରମ୍ଭ ହେବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।



