ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ‘ଅହିଂସା ରଥ’ ପରିକ୍ରମା: ଶୋଭାଯାତ୍ରା, ଚରଖା ବଣ୍ଟନ ଓ ଦେଶାତ୍ମବୋଧକ ସ୍ଳୋଗାନ୍ ମଧ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ପାଳିତ ହୋଇଆସୁଛି ଆଜାଦି କା ଅମ୍ରିତ ମହୋତ୍ସବ । ଆମ ରାଜ୍ୟ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଛି । ଅହିଂସା ରଥ ପରିକ୍ରମା ମହାତ୍ମା ଗାନ୍ଧୀଙ୍କ ସତ୍ୟ ଅହିଂସା ନୀତି ସହ ସ୍ୱାଧୀନତା ସଂଗ୍ରାମର ଅଭୁଲା ଇତିହାସକୁ ପୁନର୍ଜୀବିତ କରିଛି ଜନସାଧାରଣଙ୍କ ମନରେ । ଏହି କ୍ରମରେ ତୃତୀୟ ଦିନରେ ଅହିଂସା ରଥ କଟକ ଓ ଖୋର୍ଦ୍ଧା ଜିଲା ପରିକ୍ରମା କରିଛି ।
ବାଲିପାଟଣା ଓ ବନମାଳୀପୁରରେ ଅହିଂସା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ଅହିଂସା ରଥ ବାଳକାଟୀ ପ୍ରତାପଶାସନ ପଂଚାୟତରୁ ବାହାରି ପୋଲିସ ସୁରକ୍ଷା ମଧ୍ୟରେ ବାଲିପାଟଣା ବ୍ଲକ ଅଂଚଳରେ କାର୍ଯ୍ୟକ୍ରମ ପାଇଁ ଗସ୍ତ କରିଥିଲା । ବାଲିପାଟଣା ଛକଠାରେ ରଥ ପହଂଚିବା ପରେ ସେଠାରେ ବାଲିପାଟଣା ପଂଚାୟତ ସମିତି ତରଫରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରେ ବିଧାୟକ ଅରବିନ୍ଦ ଢାଲି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣ, ସମାଜସେବୀ, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଶିଶୁ ଅନନ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ବହୁସଂଖ୍ୟାରେ ଅଂଶଗ୍ରହଣ କରିଥିଲେ ।
ବ୍ଲକ ଅଧ୍ୟକ୍ଷ ହରପ୍ରିୟା ଦାସ, ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ଜେନା, ବିଡିଓ ଆଦିକନ୍ଦ ବେହେରା, ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ, ଜିଲା ପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ, ଗଙ୍ଗାଧର ମଲ୍ଲିକ, ସଭ୍ୟା ସୁକନ୍ୟା ସେଠୀ ପ୍ରମୁଖ ଶୋଭାଯାତ୍ରାରେ ଯାଇ ବ୍ଲକ କାର୍ଯ୍ୟାଳୟଠାରେ ଆୟୋଜିତ ଅହିଂସା ରଥକୁ ସମ୍ବର୍ଦ୍ଧନା ପରିପ୍ରେକ୍ଷୀରେ ଏକ ସାଂସ୍କୃତିକ ସଭାରେ ଯୋଗଦେଇଥିଲେ । ବିଡିଓ ଶ୍ରୀ ବେହେରା ଅହିଂସା ରଥ ଯାତ୍ରାର ଅଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଗାନ୍ଧିଜୀ ଏବଂ ଓଡିଶା ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏଠାରେ ଓଡିଶୀ (ଗୀତଗୋବିନ୍ଦ ) ଓ ଚିତ୍ତାକର୍ଷକ ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା ।
ରଥ ବାଲିପାଟଣା ବଜାର ପରିକ୍ରମା ପରେ ସ୍ଥାନୀୟ ବୁଦ୍ଧନାଥ ହାଇସ୍କୁଲ ଗସ୍ତ କରିଥିଲା । ସେଠାରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନେ, ଶଙ୍ଖ, ଦୀପ, ବେଦଧ୍ୱନୀ, ଫୁଲ, ଚନ୍ଦନ, ଆଳତି କରି ଅହିଂସା ରଥକୁ ସ୍ୱାଗତ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ମହାପୁରୁଷଙ୍କ ବେଶପୋଷାକରେ ସଜ୍ଜିତ ହୋଇ ସ୍ୱାଧୀନତାର ସ୍ମୃତିକୁ ଉଦ୍ରେକ କରାଇଥିଲା । ଛାତ୍ରଛାତ୍ରୀମାନେ ଗାନ୍ଧିଜୀଙ୍କ ଓଡିଶା ଆଗମନ ଏବଂ ଅହିଂସାର ବାର୍ତ୍ତା ସମ୍ପର୍କିତ ଚଳଚ୍ଚିତ୍ର ଦେଖିଥିଲେ ।
ପରେ ଅହିଂସା ରଥ ବନମାଳୀପୁର ଗସ୍ତ କରିଥିଲା ବନମାଳୀପୁର କୁଶଭଦ୍ରା ନଦୀ ସେତୁଠାରୁ ବିରାଟ ପଟୁଆରରେ ଅହିଂସା ରଥକୁ ନିଆଯାଇ ସ୍ଥାନୀୟ ବନମାଳୀପୁର ହାଇସ୍କୁଲରେ ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟରେ ଉପସ୍ଥିତ ଥିବା ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ଗାନ୍ଧିଜୀ ଏବଂ ଓଡିଶା ତଥା ବାଜି ରାଉତ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ଜିଲ୍ଲା ଶିଳ୍ପ କେନ୍ଦ୍ର, ଖୋର୍ଦ୍ଧା ତରଫରୁ ୫ ଜଣ ହିତାଧିକାରୀଙ୍କୁ ଚରଖା ବଣ୍ଟନ କରାଯାଇଥିଲା ଓ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏଠାରେ ବାଲିପାଟଣା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସମ୍ପୃକ୍ତ ସମସ୍ତ ଜିଲା ପରିଷଦ ସଦସ୍ୟ, ସଦସ୍ୟା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଅଜୟ କୁମାର ସାହୁ, ପ୍ରଧାନ ଶିକ୍ଷକ କପିଳେନ୍ଦ୍ର ସ୍ୱାଇଁ, ସିଆରସିସି ରଶ୍ମିରଞ୍ଜନ ପଣ୍ଡା, ନିରଞ୍ଜନ କୁଣ୍ଡଙ୍କ ସମେତ ଅଭିଭାବକମାନେ ଉପସ୍ଥିତ ଥିଲେ ।
ଉଭୟ ବାଲିପାଟଣା ଓ ବନମାଳିପୁରରେ ଘଣ୍ଟ, ବୀରବାଦ୍ୟ, ଘୋଡାନାଚ, ସଂକୀର୍ତ୍ତନ, ସ୍କୁଲ କଲେଜ ଏନସିସି, ସ୍କାଉଟ, ଗାଇଡ ଆଦି ଛାତ୍ରଛାତ୍ରୀମାନେ ବହୁସଂଖ୍ୟାରେ ଯୋଗଦେଇ ସ୍ଲୋଗାନ ଦେବା ସହ ଅହିଂସା ରଥକୁ ସ୍ୱାଗତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ରାମଧୂନ ପରିବେଷଣ କରାଯାଇ ଅହିଂସା ରଥ ସହ ପରିକ୍ରମା କରିଥିଲା । ସମସ୍ତ ସ୍ଥାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପଠାଣି ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ଆବଶ୍ୟକ ସହାୟତା କରିଥିଲେ ।
ଆଜି ନିଶ୍ଚିନ୍ତକୋଇଲି ଓ କଟକ ସଦର ବ୍ଲକ ଅଞ୍ଚଳରେ ୧୪ଗୋଟି ପଂଚାୟତରେ ଅହିଂସା ରଥ ପରିଭ୍ରମଣ କରିବାବେଳେ ଜନସାଧାରଣ ଓ ଜନପ୍ରତିନିଧିମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେହିଭଳି ଅନ୍ୟ ଏକ ରଥଟିକୁ ସକାଳେ ବାଙ୍କୀର ପୁର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ବାରଙ୍ଗ ବ୍ଲକରେ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ରଥଟି ବାଙ୍କୀ ଅଭିମୁଖେ ଭ୍ରମଣ କରିଥିଲା । ବାଙ୍କୀ ଅଞ୍ଚଳର ୬ଟି ଗ୍ରାମ ପଞ୍ଚାୟତ ଏବଂ ଡମପଡା ବ୍ଲକ ଅଂଚଳର ୬ଟି ଗ୍ରାମ ପଞ୍ଚାୟତ ସହ ବିଜ୍ଞାପିତ ଅଞ୍ଚଳ ପରିଭ୍ରମଣ କରିଥିଲା । ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ପୋଲିସ ଅଧିକାରୀଙ୍କ ସମେତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରମାନେ ଏହି ପରିଭ୍ରମଣ ସମୟରେ ଉପସ୍ଥିତ ଥିଲେ । ମିଶନ ଶକ୍ତି ମା ଓ ମାଉସୀ, ଅଙ୍ଗନବାଡି କର୍ମୀ, ବ୍ଲକ ଓ ପଞ୍ଚାୟତର ସଭ୍ୟସଭ୍ୟାମାନେ ସବୁ ସ୍ଥାନମାନଙ୍କରେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ବେଗୁନିଆ ଓ ବୋଲଗଡ ବ୍ଲକରେ ଆଜି ବୁଲିଛି ଅହିଂସା ରଥ । ପ୍ରଥମେ ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ବୋଲଗଡ ବ୍ଲକକୁ ଅହିଂସା ରଥ ହସ୍ତାନ୍ତର କରାଯିବା ପରେ ଚୁଡାଠାରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ଅହିଂସା ରଥକୁ ବୋଲଗଡସ୍ଥିତ ଖଦି କେନ୍ଦ୍ରକୁ ନିଆଯାଇଥିଲା । ଏଠାରେ ସ୍ୱାଗତ କରାଯିବା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ସହିଦ ଲକ୍ଷଣ ନାୟକଙ୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା । ଚମ୍ପାଇଲଠାରେ ମଧ୍ୟ ଏହି ରଥକୁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ ବେଗୁନିଆ ବ୍ଲକର ଚନ୍ଦକା, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ହଟେକଶ୍ୱର ମହିଳା ମହାବିଦ୍ୟାଳୟ ଠାରେ ମଧ୍ୟ ସ୍ୱାଗତ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ବୋଲଗଡ ବିଡିଓ ଧୋବେଇ ନାୟକ, ଅତିରିକ୍ତ ତହସିଲଦାର ପଙ୍କଜା ମଞ୍ଜରୀ ଭଞ୍ଜ, ଐତିହାସିକ ରବିନ୍ଦ୍ର ପରିଡା, ଶିକ୍ଷାବିତ ଗୋପିନାଥ ଖାଡଙ୍ଗା, ବ୍ଲକ ଶିକ୍ଷାଧିକାରୀ ଡଃ ନିରଞ୍ଜନ ମହାନ୍ତି, ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ, ତହସିଲଦାର ପୃଥ୍ୱୀରାଜ ମଣ୍ଡଳ,ବେଗୁନିଆ କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ମିଶ୍ର, ସିଡିପିଓ ରଞ୍ଜୁବାଳା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରତ୍ୟେକ ସ୍ଥାନରେ ହାତରେ ତ୍ରୀରଙ୍ଗା ପତାକା ଧରି ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ବୁଦ୍ଧିଜୀବୀ, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ, ଆଶା, ଅଙ୍ଗନାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.