BJD Bijuli 480×75 Mob

ଆଦିବାସୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା! ସଂସ୍କୃତ ମହାବିଦ୍ୟାଳୟର ୩ ଅଧ୍ୟାପକଙ୍କ ନାଁରେ ଅଭିଯୋଗ

BJD Bijuli 480×75 Mob

ବ୍ରହ୍ମପୁର: ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ଥିବା ଏକ ସଂସ୍କୃତ ମହାବିଦ୍ୟାଳୟର ୩ଜଣ ଅଧ୍ୟାପକଙ୍କ ନାମରେ ସାଂଘାତିକ ଅଭିଯୋଗ ହୋଇଛି। ସେହି କଲେଜର ୩ ଅଧ୍ୟାପକ କିଛି ବର୍ଷ ହେବ ଏକାଧିକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ଘଟଣାର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ରାଜ୍ୟ ଗୃହ ବିଭାଗ ହୋଇ ଓଡ଼ିଶା ପୁଲିସ ଡିଜି ଆଉ ଏବେ ସେହି ଅଭିଯୋଗପତ୍ର ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ଚିଠି ପାଇବା ପରେ ବ୍ରହ୍ମପୁର ଏସପି ଙ୍କ ନିର୍ଦେଶ ପ୍ରକାରେ ସ୍ଥାନୀୟ ପୁଲିସ ଆଜିଠାରୁ ତଦନ୍ତ ଆରମ୍ଭ କରିଛି।

ପାତ୍ରପୁର ବ୍ଳକ ଜରଡା ଥାନା ଅଞ୍ଚଳରେ ଥିବା ଏକ ବେସରକାରୀ ସଂସ୍କୃତ କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ ସଂସ୍କୃତର ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଛି। ଏଠାରେ ବର୍ତ୍ତମାନ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢୁଛନ୍ତି। ତେବେ ସେହି କଲେଜରେ ଯୁକ୍ତ ତିନିରେ ପଢୁଥିବା ଜଣେ ଆଦିବାସୀ ଛାତ୍ରୀ ନିଜ ପରିଚୟ ଗୋପନ ରଖି ପ୍ରଧାନମନ୍ତ୍ରୀଙ୍କ ନିକଟରେ କରିଥିବା ଅଭିଯୋଗ ପ୍ରକାରେ ଏହି କଲେଜରେ ପଢୁଥିବା ଏକାଧିକ ଆଦିବାସୀ ଛାତ୍ରୀଙ୍କୁ ଗତ କିଛି ବର୍ଷ ହେବ ସେଠାକାର ୩ ଜଣ ଅଧ୍ୟାପକ ବିଭିନ୍ନ ସମୟରେ ଯୌନ ନିର୍ଯାତନା ଦେଇଛନ୍ତି। ୨୦୧୬ ଅଗଷ୍ଟରେ ଜଣେ ଅଧ୍ୟାପକ ସଂପୃକ୍ତ ଛାତ୍ରୀଙ୍କୁ ଷ୍ଟାଫ କମନ ରୁମକୁ ଡାକି କେହି ନଥିବାରୁ ସୁଯୋଗ ନେଇ ବଳାତ୍କାର କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ସେହିପରି ୨୦୨୦ ଜାନୁଆରୀ ମାସରେ ଜଣେ ଅଧ୍ୟାପକ ସଂପୃକ୍ତ କଲେଜର ରୁମ ନମ୍ବର-୨ କୁ ସଂପୃକ୍ତ ଛାତ୍ରୀଙ୍କୁ ଡାକିବା ସହ ପ୍ରୋଗେସ ରିପୋର୍ଟ ଦେଖିଥିଲେ। କେହି ନଥିବାର ସୁଯୋଗ ନେଇ ଛାତ୍ରୀଙ୍କ ବିଭିନ୍ନ ଅଙ୍ଗକୁ ସ୍ପର୍ଶ କରିଥିଲେ। ଯଦି ଘଟଣା ବାହାରେ ପ୍ରକଟ ହୁଏ ତେବେ ପରୀକ୍ଷାରେ ଫେଲ କରିବା ସହ କ୍ୟାରିୟର ନଷ୍ଟ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ।

ଗତ ୫ ମାସ ତଳେ କଲେଜର ଅନ୍ୟ କିଛି ଛାତ୍ରୀ ମଧ୍ୟ ଯୌନ ଶୋଷଣର ଶିକାର ହୋଇଥିବା ତାଙ୍କ ନଜରକୁ ଆସିଛି ବୋଲି ଛାତ୍ରୀ ଜଣକ ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏହି ଅଭିଯୋଗପତ୍ରଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗତ ୧ ତାରିଖରେ ଓଡ଼ିଶା ଗୃହ ବିଭାଗକୁ ଆସିବା ପରେ ୨ ତାରିଖରେ ଏହା ଡିଜିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରୁ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟକୁ ଆସିଥିଲା। ଆଉ ବ୍ରହ୍ମପୁର ଏସପି ଏହି ଅଭିଯୋଗର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ତାଙ୍କ କାର୍ଯ୍ୟାଳୟର ଏଚଆରପିସିକୁ ପ୍ରଦାନ କରିଥିଲେ। ଏସପିଙ୍କ ସୁପାରିଶକ୍ରମେ ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ, ଜରଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ସଂପୃକ୍ତ କଲେଜ ଅଞ୍ଚଳକୁ ଯାଇ ତଦନ୍ତ କରିବା ସହ କେତେକଙ୍କୁ ପଚରାଉଚରା କରିଛନ୍ତି। ପ୍ରାଥମିକ ତଦନ୍ତ ମୁତାବକ ପୁଲିସ ଅଭିଯୋଗର ସତ୍ୟତା ନେଇ କୌଣସି ସୁରାକ ପାଇପାରିନି। ଏପଟେ ସଂପୃକ୍ତ ଅଧ୍ୟାପକମାନେ ସ୍ଥାନୀୟ ଅଞ୍ଚଳର ପୁଲିସ ଓ ରାଜନେତା ସହ ଘନିଷ୍ଠ ଥିବାରୁ ନିର୍ଯାତିତ ଛାତ୍ରୀଙ୍କୁ ପ୍ରକୃତ ନ୍ୟାୟ ମିଳିବା ନେଇ ଅଭିଯୋଗକାରୀ ଛାତ୍ରୀ ଜଣକ ଆଶଙ୍କା ପ୍ରକଟ କରିଛନ୍ତି।

Comments are closed.