ମହାପ୍ରଭୁଙ୍କ ’ଅଧରପଣା’ ନୀତି : ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼
ପୁରୀ: ଳୀଳାମୟ ମହାପ୍ରଭୁଙ୍କ ବିଚିତ୍ର ଲୀଳା। କୋଟି ବ୍ରହ୍ମାଣ୍ଡର ମଉଡମଣି,ଭାବ ବିନୋଦିଆ କାଳିଆ ଠାକୁର ଲୀଳା ଲଗାଇ ବଡ଼ ଦେଉଳରୁ ଆସିଥିଲେ। ଦିନକ ପରେ ପୁଣି ରତ୍ନ ସିଂହାସନକୁ ବିଜେ କରିବେ । ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ସୋମବାର ସିଂହଦ୍ବାର ସମ୍ମୁଖରେ ରଥ ଉପରେ ’ଅଧରପଣା’ ନୀତି ଶେଷ ହୋଇଛି । ତିନି ଠାକୁରଙ୍କ ନିକଟରେ ଅଧର ଉଚ୍ଚାର ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଛି । ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶାଇ ଏହି ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥିଲା। ପରେ ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ, ସେବକ ତିନି ରଥରେ ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଅଧରପଣା ହାଣ୍ଡିକୁ ଭଙ୍ଗାଯାଇଛି । ଚଣ୍ଡି, ଚାମଣ୍ଡା, ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗା ଯିବାର ପରମ୍ପରା ରହିଛି । ରଥର ପାର୍ଶ୍ବ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ଭୋଗ ପାଇବା ପଇଁ ଚଣ୍ଡୀ, ଚାମୁଣ୍ଡା ଉଦ୍ଦେଶ୍ୟରେ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଇଛି। ରଥ ଉପରେ ଅନୁଷ୍ଠିତ ହେଉଥିବା ଏହି ନୀତି ଦେଖିବା ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲ୍ଲକ୍ଷିତ ହୋଇଛି ।
ନବଦିନାତ୍ମକ ଯାତ୍ରା ଶେଷ କରି ମହାପ୍ରଭୁ ବାହୁଡି ଆସିଛନ୍ତି। ସିଂହଦ୍ବାରା ନିକଟରେ ସୁନାବେଶରେ ରଥ ଉପରୁ ସାଧାରଣ ଭକ୍ତଙ୍କୁ ଦର୍ଶନ ଦେଇ ସାରିଛନ୍ତି ମହାପ୍ରଭୁ। ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଧରପଣା ଭୋଗ କରାଯାଇଛି। ମଧ୍ୟାହ୍ନଧୂପ ପରେ ଶ୍ରୀଜୀଉଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ତିନୋଟି ଲେଖାଏଁ ମାଟିହାଣ୍ଡି ତିନିରଥରେ ରଖାଯାଇଥିଲା। ମହାସୁଆର ସେବକ ସେଥିରେ କ୍ଷୀର, ସର, ଛାଚି, କଦଳୀ, ଛେନା, ଗୋଲମରିଚଗୁଣ୍ଡ, କର୍ପୂର ଏବଂ ଜାଇଫଳ ପକାଇଥିଲେ। ପାଣିଆ ଆପଟଙ୍କ ଦ୍ୱାରା ଛାଉଣିମଠ କୂଅରୁ ଗରାରେ ପାଣି ଅଣାଯାଇ ଅଧରହାଣ୍ଡିରେ ଯୋଗାଯାଇଥିଲା। ମହାସୁଆର ଅଧରପଣା ପ୍ରସ୍ତୁତ କରିଥିଲେ। ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପୂଜା ପାଠ କରିଥିଲେ। ପୂଜାପଣ୍ଡା ସେବକଙ୍କ ଦ୍ୱାରା ପଞ୍ଚୋପଚାରରେ ମହାପ୍ରଭୁଙ୍କୁ ପଣାଭୋଗ କରାଯାଇଥିଲା।
ରଥ ଚତୁଃପାର୍ଶ୍ବ ଦେବଦେବୀଙ୍କ ସମେତ ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧରହାଣ୍ଡି ଭଙ୍ଗା ଯାଇଥିଲା। ଅଧରପଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡଓଡ଼ିଆ ମଠ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲେ। ଅଧରପଣା ହାଣ୍ଡି ଭଙ୍ଗାଯିବା ପରେ ରଥଉପର ପରିଷ୍କାର କରାଯାଇଥିଲା। ମହାପ୍ରଭୁ ମହାସ୍ନାନ ହୋଇଥିଲେ। ପୁଣିଥରେ ଶ୍ରୀଜୀଉଙ୍କୁ ବେଶ କରାଯାଇଥିଲା। ଏହାପରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଅନୁଷ୍ଠିତ ହୋଇଥିଲା। ଗରୁଡଶୟନ ନୀତି ପରେ ମହାପ୍ରଭୁଙ୍କୁ ରାତ୍ରପହୁଡ କରାଯାଇଛି।
ରଥଉପରେ ଅଧରପଣା ଭୋଗ ନୀତି ପ୍ରାୟ ୫୦୦ବର୍ଷର ପୁରୁଣା ବୋଲି ଗବେଷକ ମତ ଦିଅନ୍ତି। ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ବାହୁଡା ଦଶମୀ ଦିନ ସିଂହଦ୍ୱାର ସମ୍ମୁଖରେ ତିନିରଥ ପହଞ୍ଚିବା ପରେ ପ୍ରଭୁଙ୍କୁ ଅଧରପଣା ଭୋଗ କରାଯିବା କଥା। ପୂର୍ବରୁ ଏହି ନୀତି କିଛିବର୍ଷ ଏକାଦଶୀ ତିଥିରେ ହୋଇଥିବା ଜଣାପଡେ। ବାହୁଡାଯାତ୍ରା ଦିନ ସମୟ ଅଭାବରୁ ଦ୍ୱାଦଶୀରେ ପ୍ରଭୁଙ୍କୁ ଅଧରପଣା ଅର୍ପଣ କରାଯାଉଛି। କୁମ୍ଭାରପଡାର ପାରମ୍ପରିକ କୁମ୍ଭକାରମାନେ ଅଧରହାଣ୍ଡି ପ୍ରସ୍ତୁତ କରନ୍ତି।
ଘୋଷଯାତ୍ରା ଶେଷକରି ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ଦାରୁବ୍ରହ୍ମ। ରଥଉପରୁ ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିବେ। ସନ୍ଧ୍ୟା ୬ଟା ୩୦ରେ ପହଣ୍ଡି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଘଣ୍ଟ, ଘଣ୍ଟା, କାହାଳି ଓ ମୃଦଙ୍ଗର ତାଳରେ ତାଳ ମିଳାଇ ଝୁଲି ଝୁଲି ନୀଳକନ୍ଦରକୁ ଯିବେ ନୀଳାଦ୍ରିନାଥ। ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରାଇବେ। ଋକ୍ମିଣୀ ବିବାହ ସମୟର ଗଇଁଠାଳ ଫିଟାଯିବ। ପରମ୍ପରା ଅନୁଯାୟୀ ବିଭିନ୍ନ ମଠ ଏବଂ ସେବକ ନିଯୋଗ ପକ୍ଷରୁ ପ୍ରଭୁଙ୍କୁ ପଂକ୍ତିଭୋଗ କରାଯିବ। ଏହାପରଠାରୁ ଶ୍ରୀମନ୍ଦିରରେ ଅନ୍ନ ମହାପ୍ରସାଦ ଉପଲବ୍ଧ ହେବ। ଏହାକୁ ନୀଳାଚଳ ଅବଢା କୁହାଯାଏ।
Comments are closed.