ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଫୁଲବାଣୀ: ନାବାଳିକା ଦଷ୍କର୍ମ ମାମଲାରେ ଫୁଲବାଣୀ ପୋକ୍‌ସୋ ଅଦାଲତ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ଏଥି ସହିତ ୩୦ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦାୟ ଦୋଷୀକୁ ଅଧିକ ୫ମାସ ଜେଲ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।  ଅଭିଯୁକ୍ତ ଜଣକ ହେଲେ ସାରଙ୍ଗଡ଼ ଥାନା ଅଞ୍ଚଳର ସିଦ୍ଧାନ୍ତ ଦଳବେହେରା ।

ମାମଲାର ବିବରଣୀ ଅନୁସାରେ,  ୨୦୧୮ ଜାନୁୟାରୀ ୧୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଅଭିଯୁକ୍ତ ଜଣକ ଚତୁରତାର ସହିତ ପୀଡ଼ିତା ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତୁମୁଡ଼ିବନ୍ଧ ଥାନା ଅଞ୍ଚଳକୁ ନେଇ ତାଙ୍କର ଜଣେ ବନ୍ଧୁଙ୍କ ଘରେ ରଖିଥିଲେ। ବନ୍ଧୁଙ୍କ ଘରେ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲେ। ନାବାଳିକାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ୧୩ ତାରିଖ ଦିନ ସାରଙ୍ଗଡ଼ ଥାନାରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ନାବାଳିକାଙ୍କୁ ତୁମୁଡ଼ିବନ୍ଧରୁ ଉଦ୍ଧାର କରିଥିଲା। ଏହା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାର ବିଚାର କରି ଫୁଲବାଣୀ ପୋକସୋ ଅଦାଲତ ବିଚାରପତି ରାଜେଶ କୁମାର ଦାସ ୧୧ ଜଣ ସାକ୍ଷୀଙ୍କ ମନ୍ତବ୍ୟ ଓ ଡ଼ାକ୍ତରୀ ରିପୋର୍ଟ ଆଧାରରେ ଦଣ୍ଡାଦେଶ ଶୁଣାଇଛନ୍ତି । ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ସରକାରୀ ଓକିଲ ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।

Comments are closed.