ପୃଥକ ଦୁର୍ଘଟଣାରେ ୬ ବାଇକ୍‍ ଆରୋହୀ ମୃତ

0

େନ୍ଦୁଝର/ପଣ୍ଡାପଡ଼ା/କେନ୍ଦୁଝରଗଡ଼/ ଢ଼େଙ୍କିକୋଟ (ନି.ପ୍ର)/ଯୋଡ଼ା: କେନ୍ଦୁଝର ଜିଲାର ୪ଟି ପୃଥକ୍‍ ସ୍ଥାନରେ ୪ଟି ଦୁର୍ଘଟଣା ଘଟି ସମୁଦାୟ ୬ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ଟି ଗାଈ ମଧ୍ୟ ପ୍ରାଣ ହରାଇଛନ୍ତି। ଏହି ଘଟଣା ଜିଲାରେ ଶୋକାକୁଳ ପରବେଶ ସୃଷ୍ଟି କରିଛି। ଜିଲା ପ୍ରଶାସନ ଦୁର୍ଘଟଣା କମାଇବା ପାଇଁ ଅନେକ ପଦକ୍ଷେପ ନେଉଥିଲେ ହେଁ ଦୁର୍ଘଟଣା ହ୍ରାସ ପାଉନାହିଁ। ତେଣୁ ଆହୁରି ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆଜିକାର ଦୁର୍ଘଟଣାର ମୁଖ୍ୟ କଥାହେଲା ଶୁକ୍ରବାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ମଧ୍ୟରୁ ୫ ଜଣ ହେଲମେଟ ପିନ୍ଧି ନ ଥିଲେ।
ଶୁକ୍ରବାର ଘଟିଯାଇଥିବା ଦୁର୍ଘଟଣାର ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତ୍ରିରେ ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ଅଣ୍ଡରପାସ ଠାରେ ଏକ ଟ୍ରକକୁ ଓଭରଟେକ କରିବା ସମୟରେ ୨ଜଣ ବାଇକ୍‍ ଆରୋହୀ ଭାରସାମ୍ୟ ହରାଇ ଟ୍ରକରେ ପିଟି ହୋଇ ଛିଟିକି ପଡିଥିଲେ। ଏହି ଦୁର୍ଘଟଣାରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ୨ଜଣ ହେଲେ ତୁରୁମୁଙ୍ଗା ଥାନା ଅଞ୍ଚଳର ସରାଶପଶି ଗ୍ରାମର ଟଙ୍କଧର ମହାନ୍ତ(୪୫) ଓ ନିନୁଆଁ ଗ୍ରାମର ନବକିଶୋର ସିଂ (୪୬)। ସେମାନେ ଘଟଗାଁରୁ ବାଇକରେ ନିଜ ଗାଁକୁ ଫେରିବା ବାଟରେ ଢେଙ୍କିକୋଟ ଓଭରବ୍ରିଜରେ ଏହି ଦୁର୍ଘଟଣା ଘଟିଥିଲା। ଏ ସମ୍ପର୍କରେ ଘଟଗାଁ ଥାନା କେଶ ନଂ ୧୧୩, ୨୦ା୭ା୨୦୧୮ରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଦୁର୍ଘଟଣାରେ ସଂପୃକ୍ତ ଉଭୟ ଗାଡିକୁ ପୁଲିସ ଜବତ କରିବା ସହିତ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇଛି।
ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ସଦର ଥାନା ପଳାଶପଙ୍ଗା ସ୍ପଞ୍ଜ ଆଇରନ ଛକରେ ଶୁକ୍ରବାର ସକାଳେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ଅନୁସାରେ, ସକାଳ ୯ଟା ସମୟରେ ବାମେବାରୀ ଖଣ୍ଢବନ୍ଧ ଅଞ୍ଚଳର ସୋରେନ ହେମ୍ବ୍ରମ ଏବଂ ସଦର ବ୍ଲକ ଜଡିପଦା ଝଲରା ସାହିର ଲକ୍ଷ୍ମଣ ବାନ୍ଦରା(୪୦) ଏକ ହିରୋ ବାଇକ୍‍ରେ କେନ୍ଦୁଝର ଆଡକୁ ଆସିବା ପାଇଁ ସ୍ପଞ୍ଜ ଛକ ପାର ହେଉଥିବାବେଳେ ଯୋଡା ଆଡୁ ଜାତୀୟ ରାଜପଥ ନଂ୨୦ରେ କେନ୍ଦୁଝର ଆଡକୁ ଯାଉଥିବା ଲୁହାପଥର ବୋଝେଇ ଟ୍ରକ ଉକ୍ତ ବାଇକକୁ ଧକ୍କା ଦେଇଥିଲା। ଫଳରେ ଟ୍ରକଟି ଉଭୟ ବାଇକ ଆରୋହୀଙ୍କ ଗୋଡ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ବାଇକ ଆରୋହୀ ସୋରେନ ହେମ୍ବ୍ରମ(୩୫)ଙ୍କ ମୃତ୍ୟୁ ଘଟିଥିବାବେଳେ ଲକ୍ଷ୍ମଣ ବାନ୍ଦ୍ରାକୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମଣର ମୃତ୍ୟୁ ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ସଦର ଥାନା ପୁଲିସ ୧୭୬, ୨୦ା୭ା୧୮ରେ ଏକ ମାମଲା ରୁଜ୍ଜୁ କରି ଉଭୟ ଗାଡିକୁ ଜବତ କରିଥିବାବେଳ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇଛି। ଏହି ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ପୁଲିସ କହିଛି।
ଅନ୍ୟ ଏକ ଦୁର୍ଘଟଣାରେ ଶୁକ୍ରବାର ୧୦ଟା ସମୟରେ ସହରର ଜାମୁହତା ନିକଟରେ ଏକ ଘରୋଇ ବସ୍‍ ଜଣେ ବାଇକ ଆରୋହୀଙ୍କୁ ଚାପି ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବାରିପଦାରୁ କେନ୍ଦୁଝର ଆସୁଥିବା ପାୟଲ ବସ୍‍ ସକାଳ ୯ଟା୫୦ରେ କେନ୍ଦୁଝର ଟାଉନଥାନା ଅନ୍ତର୍ଗତ ଜାମୁହତା ତୈଳିକ ସମାଜ ସମ୍ମୁଖରେ ଏକ ବାଇକକୁ ଓଭରଟେକ କରୁଥିଲା। ଏହି ସମୟରେ ସମ୍ମୁଖଭାଗରୁ ଆସୁଥିବା ଅନ୍ୟ ଏକ ବାଇକ ସହ ଉକ୍ତ ବାଇକର ଧକ୍କା ହେବାରୁ ଉଭୟ ଛିଟିକି ପଡିଥିଲେ। ଯଶିପୁର ଗଡାପଳାସା ଗ୍ରାମର ରବିନ୍ଦ୍ର ମହାନ୍ତ ବସର ପଛ ଚକା ତଳେ ପଡିଯାଇଥିଲେ। ତେଣୁ ତାଙ୍କ ମୁଣ୍ଡ ଉପରେ ବସ୍‍ଟି ଚଢି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ରବିନ୍ଦ୍ର ମହାନ୍ତଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଟାଉନ ପୁଲିସ ବସ ଡ୍ରାଇଭର ନରୋତ୍ତମ ନାୟକଙ୍କୁ ଗିରଫ କରିଥିବାବେଳେ ବସ ଏବଂ ଦୁର୍ଘଟଣାଗସ୍ତ ବାଇକୁ ଜବତ କରିଛି। ଅପରପକ୍ଷରେ ଶୁକ୍ରବାର ୧୦.୩୦ରେ ପଣ୍ଡାପଡା ଥାନ ଅଧୀନସ୍ଥ ଜୁଙ୍ଗା ହାଇସ୍କୁଲ ଛକରେ ସେହି ଗ୍ରାମର କରୁଣାକର ନାୟକଙ୍କ ପୁଅ ପ୍ରଫୁଲ୍ଲ ନାୟକ ବାଇକରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଏକ ନିମ୍ବ ଗଛରେ ପିଟି ହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବାବେଳେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପଣ୍ଡାପଡା ପୁଲିସ ଏକ ମାମଲା ରୁଜ୍ଜୁ କରି ମୃତକଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।
ସେହିପରି ଶୁକ୍ରବାର ସକାଳେ କମାରଯୋଡାସ୍ଥିତ ପ୍ରାଣୀ ଚିକିତ୍ସାଳୟ ନିକଟ ରାଜ୍ୟ ରାଜପଥ ଉପରେ ଏକ ଗାଡି ଧକ୍କାରେ ୨ଟି ଗାଈଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗାଈର ଅବସ୍ଥା ଗୁରୁତର ଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସକ ମାଧବ ଚୌଧୁରୀ ପହଞ୍ଚି ଗାଈଟିର ଚିକିତ୍ସା ଜାରି ରଖିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ କୌଣସି ଟ୍ରକ ଏହି ଗାଈ ଗୁଡିକୁ ଧକ୍କା ଦେଇଥିବା କୁହାଯାଉଥିବା ବେଳେ ଏଥିନେଇ ଘଟଣାସ୍ଥଳରେ ଗାଈର ମାଲିକ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଉତ୍ତେଜନା ଦେଖାଦେଇଛି। ଏଥିନେଇ ସକାଳୁ ଟ୍ରକ ଚଳାଚଳ ବନ୍ଦ ଥିବା ବେଳେ ଯୋଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ମୃତ ଗାଈ ଗୁଡିକୁ ରୋଡ କଡକୁ ସ୍ଥାନାନ୍ତରିତ କରିବା ପରେ ଯାନବାହାନ ଚଳାଚଳ ସ୍ୱଭାବିକ ହୋଇଛି। ଏହି ଦୁର୍ଘଟଣା ନେଇ ପୁଲିସ ଯାଞ୍ଚ କରୁଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଠାବ କରାଯାଇପାରିନାହିଁ।

Leave A Reply