www.samajalive.in
Saturday, December 6, 2025
14.1 C
Bhubaneswar

ଓଡିଶାରେ ଥାଇଲ୍ୟାଣ୍ଡ ବରକୋଳି ; ନିଜେ ସ୍ୱାବଲମ୍ବୀ ହେବା ସହ ୫ଟି ପରିବାରକୁ ରୋଜଗାର ଯୋଗାଇଛନ୍ତି ଶିକ୍ଷିତ ଯୁବକ

ଆଠଗଡ : ବୈଷୟିକ ଶିକ୍ଷାଲାଭ କରିଥିବା ଯୁବକ ଭଲ ନିଯୁକ୍ତି ପାଇପାରିଥାନ୍ତେ। ଆଇଟିଆଇ ଶିକ୍ଷାଲାଭ କରି ଚାକିରୀ ପଛରେ ନଗୋଡାଇ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବା ପାଇଁ ଆପଣାଇଛନ୍ତି ଚାଷକୁ। ନିଜେ ସ୍ୱାବଲମ୍ବୀ ହେବା ସହ ୫ଟି ପରିବାରକୁ ମଧ୍ୟ ରୋଜଗାର ଯୋଗାଇ ପାରିଛନ୍ତି ଆଠଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟୁକଟା ପଞ୍ଚାୟତ ଅଧିନ ନୂଆବନ୍ଧ ଗ୍ରାମର ଅମୀୟ କୁମାର ଜେନା। ବୈଷୟିକ ଶିକ୍ଷା ଗ୍ରହଣ କଲାପରେ ନିଜେ ଆତ୍ମନିର୍ଭରଶୀଳ ହେବାପାଇଁ ସେ ଚାଷପାଇଁ ମନ ବଳାଇଥିଲେ। ପାରମ୍ପରିକ ପଦ୍ଧତିରେ ଧାନଚାଷ କରିବା ସହ ଅଧିକ ରୋଜଗାର ପାଇଁ ନିଜର ୪ଏକର ଜମିରେ ବିଦେଶୀ ବରକୋଳି ଚାଷ କରି ଏବେ ବାର୍ଷିକ ଲକ୍ଷାଧିକ ଆୟ କରିପାରୁଛନ୍ତି। ତାମିଲନାଡୁରୁ ବିଦେଶୀ ବରକୋଳି, ଥାଇଲ୍ୟାଣ୍ଡ ବେରୀ, ଆପୁଲ ବେରୀ, ବଲସୁନ୍ଦରୀ କିସମର ବରକୋଳି ଚାରା ମଗାଇ ଲଗାଇବା ସହିତ ତାର ଉପଯୁକ୍ତ ଯତ୍ନ ନେବା ପାଇଁ ଉଦ୍ୟମ କରିଥିଲେ।
ସରକାରୀ ସହାୟତାରେ ଗଭୀର ନଳକୂପ ଖୋଳି ଗୁଣ୍ଡା ଜଳସେଚନ ମାଧ୍ୟମରେ ସେଠାରେ ଜଳସେଚନ ବ୍ୟବସ୍ଥା କରିଛନ୍ତି। ଏହି ୪ ଏକର ଜମିରେ ବରକୋଳି ସହିତ ଆନ୍ତଃଚାଷ ଭାବେ ପାଳୁଅ, ହଳଦୀ ଓ ଅଦା ଆଦି ଚାଷ କରି ବେଶ୍‌‌ ଭଲ ଦୁଇପଇସା ଆୟ କରି ପାରୁଛନ୍ତି। ଏଥିସହିତ ଏବେ ସେଠାରେ ଉନ୍ନତ କିସମର ପିଜୁଳି ଓ ଆମ୍ବ ଆଦି ମଧ୍ୟ ଲଗାଇଥିବା ଦେଖାଯାଉଛି।
ତେବେ ବରକୋଳିର ଆଠଗଡ ଅଞ୍ଚଳରେ ଚାହିଦା ସେତେଟା ନଥିବା ଯୋଗୁଁ ତାଙ୍କର ବିକ୍ରିବଟାରେ ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି ଅମୀୟ। ଚାହିଦା ନଥିବା ଯୋଗୁଁ ଦରମଧ୍ୟ ଆଖିଦୃଷ୍ଟିଆ ରହୁନାହିଁ। ନିକଟସ୍ଥ ବଜାର ଢେଙ୍କାନାଳ, କଟକ କିମ୍ବା ଭୁବନେଶ୍ୱରକୁ ନେଇ ଯୋଗାଇବା ଦ୍ୱାରା ଖର୍ଚ୍ଚ ବଢୁଛି ଓ ରୋଜଗାର ମଧ୍ୟ କମୁଛି। ତେବେ ସବୁଠାରୁ ବଡ ସମସ୍ୟା ହେଉଛି। ଏଭଳି ଚାଷ ପାଇଁ ସଠିକ ବୈଷୟିକ ସହାୟତା ମିଳିପାରୁନାହିଁ। ଆଠଗଡ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଏହିପରି ଫଳ ଚାଷ କରୁଥିବା ଚାଷୀଙ୍କୁ ଉପଯୁକ୍ତ ବୈଷୟିକ ସହାୟତା ପାଇଁ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହେଉଛି। ଅନ୍ୟପକ୍ଷରେ ଏହିସବୁ ଚାଷ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବାରୁ ଚାଷପାଇଁ ଆବଶ୍ୟକୀୟ ପ୍ରୋତ୍ସାହନ ମଧ୍ୟ ମିଳିପାରୁନାହିଁ। ସରକାରୀ ପ୍ରୋତ୍ସାହନ, ସହାୟତା ଓ ବୈଷୟିକ ଜ୍ଞାନ ମିଳିଲେ ଅଧିକରୁ ଅଧିକ ଲୋକ ଏହି ବରକୋଳି ସହିତ ଅନ୍ୟାନ୍ୟ ଅର୍ଥକାରୀ ଫଳଚାଷ ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି ଅମୀୟ ମତପ୍ରକାଶ କରିଛନ୍ତି। ଅମୀୟଙ୍କୁ ତାଙ୍କର ବଡଭାଇ ଅଶ୍ୱିନୀ କୁମାର ଜେନା ଆର୍ଥିକ ଓ ବଜାର ବିକ୍ରିବଟାରେ ସହାୟତା ଯୋଗାଇ ଦେଉଛନ୍ତି। ତେବେ ଆଜିର ଶିକ୍ଷିତ ଯୁବସମାଜ ପାଠପଢା ପରେ ଚାକିରୀ ପଛରେ ନଗୋଡାଇ ନିଜର ସ୍ୱଳ୍ପଜମିରେ ଏହିଭଳି ଚାଷ କରି ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଅମୀୟ ମତବ୍ୟକ୍ତ କରିଛନ୍ତି। ଦୁଇ ଶିକ୍ଷିତ ଭାଇ ଅମୀୟ ଓ ବଡଭାଇ ଅଶ୍ୱିନୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ବହୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories