www.samajalive.in
Monday, December 15, 2025
26.1 C
Bhubaneswar

୧୫ ଦିନ ପାଇଁ ଗୃହ ଅଚଳ, ମଙ୍ଗଳବାର ପର୍ଯ୍ୟନ୍ତ ଲୋକସଭା ମୁଲତବୀ

ନୂଆଦିଲ୍ଲୀ : ବିରୋଧି ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଶୁକ୍ରବାରକୁ ମିଶାଇ ୧୫ ଦିନ ପାଇଁ ସଂସଦର କାର୍ଯ୍ୟଧାରାରେ ଅଚଳାବସ୍ଥା ଲାଗି ରହିଛି। ଗୃହକାର୍ଯ୍ୟ ଆରମ୍ଭ ହେବାର କେଇ ମିନିଟ୍‍ ପରେ ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ କରି ଦିଆଯାଇଛି।ରାଜ୍ୟସଭାକୁ ସୋମବାର ଏବଂ ଲୋକସଭାକୁ  ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ରାଜ୍ୟସଭାରେ ତେଲୁଗୁଦେଶମ୍‍, ଏଆଇଏଡିଏମ୍‍କେ ଏବଂ କଂଗ୍ରେସ ସଦସ୍ୟମାନେ ବିଭିନ୍ନ ସ୍ଲୋଗାନ ଦେଇ ଗୃହର ମଧ୍ୟ ଭାଗକୁ ଚାଲିଆସି ନିଜର ଦାବି ସଂପର୍କରେ ଦୋହରାଇଥିଲେ। ପୂର୍ବ ଦିନଗୁଡିକ ଭଳି ଶୁକ୍ରବାର ମଧ୍ୟ ତେଲୁଗୁଦେଶମ୍‍ ପାର୍ଟି ପକ୍ଷରୁ ଆନ୍ଧ୍ର୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ଓ ଏଆଇଏଡିଏମ୍‍କେ ପକ୍ଷରୁ କାବେରୀ ଜଳ ପରିଚାଳନା ବୋର୍ଡ଼ ଗଠନ ଦାବି କରାଯାଇଥିଲା। କଂଗ୍ରେସ ପକ୍ଷରୁ ତଫସିଲ୍‍ଭୁକ୍ତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନକୁ ନେଇ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗ ଉଠାଯାଇ ଦଳିତମାନଙ୍କ ସୁରକ୍ଷା ନିମନ୍ତେ ସରକାର ଦୃଢ଼ ପଦକ୍ଷେପ ନେଉ ନ ଥିବାର ଅଭିଯୋଗ କରାଯାଇଥିଲା। ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ କ୍ରମାଗତ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଗୃହକାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି ହେଉଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ଏହା ଦୁଃଖଦାୟକ ଘଟଣା ବୋଲି କହିଥିଲେ। ପରେ ବିରୋଧି ସଦସ୍ୟମାନେ ପ୍ଲାକାର୍ଡ଼ ପ୍ରଦର୍ଶନ ସହ ବିଭିନ୍ନ ସ୍ଲୋଗାନ ଦେଇ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ। ଫଳରେ ଶ୍ରୀ ନାଇଡୁ ଆଜି ଦିନକ ପାଇଁ ଗୃହକୁ ମୁଲତବୀ କରିଦେଇଥିଲେ।

- Advertisement -

ଲୋକସଭାର ପରିସ୍ଥିତିରେ ମଧ୍ୟ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନ ଥିଲା। କାବେରୀ ଜଳ ପରିଚାଳନା ବୋର୍ଡ଼ ଗଠନ ଦାବିରେ ଏଆଇଏଡଏମ୍‍କେ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ହୋ ହାଲ୍ଲା କରୁଥିବା ବେଳେ ଟିଡିପି ସଦସ୍ୟମାନେ ସେମାନଙ୍କ ଆସନରେ ଛିଡ଼ାହୋଇ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ପାଇଁ ସ୍ଲୋଗାନ ଦେଇଥିଲେ। ବାଚସ୍ପତି ସୁମିତ୍ରା ମହାଜନ ପ୍ରଥମେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଥିଲେ। ୧୨ଟାରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ  ହେବାପରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ସଦସ୍ୟମାନ ନିଜ ନିଜ ଆସନକୁ ଚାଲିଯିବାକୁ ବାଚସ୍ପତି ବାରମ୍ବାର ଅନୁରୋଧ କରି  ବିଫଳ ହୋଇଥିଲେ। ଏହାପରେ ବାଚସ୍ପତି ଗୃହକୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ।

ରାମ ନବମୀ ପାଳନପାଇଁ ସଦସ୍ୟମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀ ଗସ୍ତ କରିବାକୁ ଚାହୁଁଥିବାରୁ ସୋମବାର ଦିନ ଗୃହ କାର୍ଯ୍ୟ ବନ୍ଦ୍‍ ରଖିବାପାଇଁ କିଛି ସଦସ୍ୟ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ତେବେ ସୋମବାର ଦିନ ରାଜ୍ୟସଭାର ବୈଠକ ବସିବ ବୋଲି ଜଣାପଡ଼ିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories