ଜାମ୍ମୁ: ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଶନିବାର ସକାଳେ ଜିଲାର ନୌସେରା ସେକ୍ଟରରେ ପାକ୍ ସେନା ପକ୍ଷରୁ ଗୋଳାବାରୁଦ ବର୍ଷଣ କରାଯାଇଛି। ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର କଡା ଜବାବ ଦିଆଯାଇଛି।
ସେନା ମୁଖପାତ୍ର ଲ୍ୟୁଟ୍ନାଣ୍ଟ କଲୋନେଲ ଦେବେନ୍ଦ୍ର ଆନନ୍ଦଙ୍କ ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ସାଢେ ୬ଟା ବେଳେ ରାଜୌରୀ ଜିଲ୍ଲାର ନୌସେରା ସେକ୍ଟରରେ ପାକ୍ ସେନା ପକ୍ଷରୁ ଗୁଳି ବର୍ଷଣ କରାଯାଇଥିଲା । ଗୁଳି ବିନିମୟ ସମୟରେ ଭାରତୀୟ ସେନାର ଜଣେ ଯବାନ ସନ୍ଦୀପ ଥାପ୍ପା ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ସହିଦ ଯବାନ ସନ୍ଦୀପ ଥାପ୍ପା ଡେରାଡୁନର ବାସିନ୍ଦା ବୋଲି ଜଣାପଡିଛି । ଭାରତୀୟ ସେନା ଜବାବମୂଳକ କାର୍ଯ୍ୟାନୁଷ୍ଠାନରେ ପାକ୍ର ବ୍ୟାପକ କ୍ଷୟକ୍ଷତି ହୋଇଛି।



