www.samajalive.in
Wednesday, December 10, 2025
23.1 C
Bhubaneswar

ଭାରତୀୟ କ୍ରିକେଟ ପ୍ରଶିକ୍ଷକ ସଂକ୍ଷିପ୍ତ ତାଲିକାରେ ୬ ଜଣ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଏକ ୬ ଜଣିଆ ସଂକ୍ଷିପ୍ତ ତାଲିକା ରବିବାର ସୁଦ୍ଧା ପ୍ରସ୍ତୁତ ହୋଇସାରିଛି। ଏହି ୬ ଜଣଙ୍କ ମଧ୍ୟରୁ ଜଣେ ଆଗାମୀ ଦିନରେ ଭାରତୀୟ କ୍ରିକେଟ ଦଳକୁ ଦିଗ୍‌ଦର୍ଶନ ଦେବା ନିଶ୍ଚିତ। ଏହି ୬ ଜଣ ହେଲେ ବର୍ତ୍ତମାନ ମୁଖ୍ୟ ପ୍ରଶିକ୍ଷକ ଥିବା ରବି ଶାସ୍ତ୍ରୀ, ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଶିକ୍ଷକ ମାଇକ୍ ହେସନ୍, ଅଷ୍ଟ୍ରେଲିଆର ପୂର୍ବତନ ଅଲ୍‌ରାଉଣ୍ଡର ତଥା ଶ୍ରୀଲଙ୍କାର ପ୍ରଶିକ୍ଷକ ଟମ୍ ମୁଡି, ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଓପ୍‌ନର ତଥା ଆଫ୍‌ଗାନିସ୍ତାନର ପ୍ରଶିକ୍ଷକ ଫିଲ୍‌ ସିମନ୍‌ସ, ଭାରତୀୟ ଦଳର ପୂର୍ବତନ ମ୍ୟାନେଜର ଲାଲଚାନ୍ଦ ରାଜପୁତ ଓ ଭାରତୀୟ ଦଳର ପୂର୍ବତନ ଫିଲ୍‌ଡିଂ ପ୍ରଶିକ୍ଷକ ରବିନ୍ ସିଂହ। ସପ୍ତାହକ ମଧ୍ୟ​‌ରେ‌ ନୂତନ ଭାରତୀୟ ମୁଖ୍ୟ ପ୍ରଶିକ୍ଷକଙ୍କ ନାମ ଘୋଷଣା ହୋଇପାରେ।
କପିଳଦେବଙ୍କ ନେତୃତ୍ବାଧୀନ କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ସଂକ୍ଷିପ୍ତ ତାଲିକାରେ ଥିବା ଉପରୋକ୍ତ ୬ ଜଣଙ୍କର ସାକ୍ଷାତ୍‌କାର ନେବ। ଏମାନେ ସିଏସି ସଦସ୍ୟଙ୍କ ନିକଟରେ ଭାରତୀୟ କ୍ରିକେଟ ଦଳର ପ୍ରଦର୍ଶନରେ ଉନ୍ନତି ଲାଗି ସେମାନଙ୍କ ଯୋଜନା ଉପସ୍ଥାପନ କରିବେ। ସିଏସିରେ କପିଳଙ୍କ ସହ ପୂର୍ବତନ ଭାରତୀୟ ଓପ୍‌ନର ଅଂଶୁମାନ ଗାଏକ୍‌ୱାଡ୍ ଓ ପୂର୍ବତନ ମହିଳା କ୍ରିକେଟ ଅଧିନାୟିକା ଶାନ୍ତା ରଙ୍ଗସ୍ବାମୀ ରହିଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବା ପୂର୍ବରୁ ରବି ଶାସ୍ତ୍ରୀ ଦଳର ପ୍ରଶିକ୍ଷକ ରହିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ ଅଧିନାୟକ ବିରାଟ କୋହଲି। କୋହଲି-ଶାସ୍ତ୍ରୀ ଯୋଡ଼ି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିନଥିଲେ ବି ଉଭୟଙ୍କ ସମୟରେ ଭାରତ ଭଲ ପ୍ରଦର୍ଶନ କରିଛି ଏବଂ ଟେଷ୍ଟ ମାନ୍ୟତାର ୧ନଂ ସ୍ଥାନକୁ ଉଠିବା ସହ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ଟେଷ୍ଟ ସିରିଜ୍ ଜିତିଛି। ଜଣେ କ୍ରିକେଟ ପ୍ରଶିକ୍ଷକ ଭାବେ ଟମ୍ ମୁଡିଙ୍କର ବେଶ୍ ଅଭିଜ୍ଞତା ରହିଛି। ହେସନ୍ ୬ ବର୍ଷ ଲାଗି ନ୍ୟୁଜିଲାଣ୍ଡ ଦଳର ପ୍ରଶିକ୍ଷକ ଥିଲେ ଏବଂ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ଆଶାରେ ଆଇପିଏଲ୍‌ ଦଳ କିଙ୍ଗ୍‌ସ ଏକାଦଶ ପଞ୍ଜାବର ପ୍ରଶିକ୍ଷକ ଦାୟିତ୍ବରୁ ଅବ୍ୟାହତି ନେଇଥିଲେ। ୨୦୧୬ ଟ୍ବେଣ୍ଟି୨୦ ବିଶ୍ବକପ୍‌ ୱେଷ୍ଟଇଣ୍ଡିଜ୍ ଜିତିଥିବା ବେଳେ ଫିଲ୍‌ ସିମନ୍‌ସ ଏହାର ପ୍ରଶିକ୍ଷକ ଥିଲେ। ସେ ମଧ୍ୟ ଆୟରଲାଣ୍ଡ ଓ ଆଫ୍‌ଗାନିସ୍ତାନ ଦଳର ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ଭାରତ ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପ୍ ଚମ୍ପିଆନ୍ ହୋଇଥିବା ବେଳେ ଲାଲଚାନ୍ଦ ରାଜପୁତ ଭାରତର ପ୍ରଶିକ୍ଷକ ଥିଲେ। ପୁଣି ରାଜପୁତ ଆଫ୍‌ଗାନିସ୍ତାନ ଓ ଜିମ୍ବାୱେ ଦଳର ପ୍ରଶିକ୍ଷକ ଭାବେ ମଧ୍ୟ କାମ କରିଛନ୍ତି। ରବିନ୍ ସିଂହ ଭାରତୀୟ ଦଳର ଫିଲ୍‌ଡିଂ ପ୍ରଶିକ୍ଷକ ଭାବେ କାମ କରି ସାରିଛନ୍ତି। ୨୦୧୭ରେ ଅନୀଲ କୁମ୍ବଲେଙ୍କ ବିଦାୟ ପରେ ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହୋଇଥିଲେ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories