www.samajalive.in
Friday, December 12, 2025
15.1 C
Bhubaneswar

ତୁମୁଡିବନ୍ଧରେ ପ୍ରବଳ ବର୍ଷା; ଧୋଇଗଲା ଡାଇଭର୍ଶନ, କନ୍ଧମାଳ-କଳାହାଣ୍ଡି ପୁଣି ବିଚ୍ଛିନ୍ନ

ତୁମୁଡିବନ୍ଧ : ମଙ୍ଗଳବାର ସକାଳୁ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା। ମାତ୍ରଧିକ ବର୍ଷା ହେବାରୁ କନ୍ଧମାଳ ଜିଲା ସହ କଳାହାଣ୍ଡି ଜିଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୂର୍ବରୁ ୫୯ ନମ୍ବର ଜାତୀୟ ରାଜପଥର ମୁଣ୍ଡିଗଡ଼ ଓ ମଣ୍ଡଳପଦର ଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ଧୋଇଯିବାରୁ କନ୍ଧମାଳ ଜିଲା ସହ କଳାହାଣ୍ଡି ଜିଲାକୁ ଦୀର୍ଘ ୨ଦିନ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ପୁଣି ଆଜି ସକାଳୁ ମଣ୍ଡଳପଦର ନିକଟରେ ଥିବା ଏକ ଅସ୍ଥାୟୀ ରାସ୍ତା ଧୋଇ ହୋଇଯାଇଛି। ଫଳରେ ପୁଣି କନ୍ଧମାଳ ଜିଲା ସହ ପଡୋଶୀ କଳାହାଣ୍ଡି ଜିଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେପଟେ କୁର୍ତ୍ତମଗଡ଼ ଠାରୁ ସିର୍ଲା ପଞ୍ଚାୟତ ଯିବା ରାସ୍ତାର ସ୍ଲିକି ଠାରେ ଥିବା ପୋଲଟି ଭାଙ୍ଗିଯାଇଛି। ଫଳରେ ସିର୍ଲା, ପାରିଗଡ଼ ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସେପଟେ ଉତ୍ତେଇ ନଦୀରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଲଙ୍କାଗଡ଼, ଭଣ୍ଡାରଙ୍ଗୀ ପଞ୍ଚାୟତ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ବେଲଘର-ଝିରିପାଣି ରାସ୍ତାରେ ଚାଉଳଧୁଆ ନଦୀରେ ଅଧିକ ବର୍ଷା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଝିରିପାଣି ପଞ୍ଚାୟତ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ତୁମୁଡିବନ୍ଧ ବ୍ଲକ ଅଞ୍ଚଳର ୫ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି।
ତୁମୁଡିବନ୍ଧ ବ୍ଲକର ବିଭିନ୍ନ ସ୍ଥାନରେ(RKD) ଠିକାସଂସ୍ଥା ଦ୍ଵାରା ଜାତୀୟ ରାଜପଥ କାର୍ଯ୍ୟ ଚାଲୁରହିଥିଲା। କିଛି ସ୍ଥାନରେ ପୋଲ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିଲେ ମଧ୍ୟ ପ୍ରଶାସନ ଅଣଦେଖା କରି ଆସୁଥିବା ବେଳେ ଆଜି ସକାଳୁ ସକାଳୁ ଧୀରେ ଧୀରେ ବର୍ଷା ଆରମ୍ଭ ହୋଇଥିଲା। କିଛି ସମୟ ପରେ ବର୍ଷାର ମାତ୍ରା ବଢିବାକୁ ଲାଗିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗିରହିବା ଯୋଗୁଁ ୫୯ନମ୍ବର ଜାତୀୟ ରାଜପଥର ମଣ୍ଡଳପଦର ଠାରେ ଏକ ଅପ୍ରୋଚ ରାସ୍ତା ଧୋଇଯିବା ଫଳରେ ମଧ୍ୟାହ୍ନରୁ କନ୍ଧମାଳ ଜିଲ୍ଲା ସହ କଳାହାଣ୍ଡି ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଫଳରେ ଭବାନୀପାଟଣା-ବ୍ରହ୍ମପୁର, ମ.ରାମପୁର-କଟକ, ଧର୍ମଗଡ଼-ଭୁବନେଶ୍ୱର, ତୁମୁଡିବନ୍ଧ-ବଲାଙ୍ଗୀର ରାସ୍ତା ର ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରହିଛି। ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦୀର୍ଘ ଦିନ ହେବ କୁର୍ତ୍ତମଗଡ଼-ସିର୍ଲା ରାସ୍ତା ମରାମତି କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ଅଣଦେଖା କରି ଚାଲିଥିଲେ। ମଙ୍ଗଳବାର ସକାଳରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଥିବା ଯୋଗୁଁ କୁର୍ତ୍ତମଗଡ଼ ନିକଟରେ ଥିବା ସ୍ଲିକିର ଏକ ବ୍ରିଜ ଭୁଶୁଡ଼ିଗଲା। ବ୍ରିଜ ଉପରେ ଠିଆ ହୋଇଥିବା ଗୋଟିଏ ଛେଳି ଓ ଗୋଟିଏ କୁକୁର ଜଳ ଶ୍ରୋତରେ ଭାସିଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ବ୍ରିଜ ଭୁଶୁଡ଼ିଯିବାରୁ ଉକ୍ତ ରାସ୍ତାରେ କୁର୍ତ୍ତମଗଡ଼ ଠାରୁ ଯାତାୟାତ କରୁଥିବା ସିର୍ଲା ଓ କୋଟଗଡ ବ୍ଲକର ପାରିଗଡ଼ ପଞ୍ଚାୟତକୁ ସବୁ ଗାଡି ଚଳାଚଳ ସମ୍ପୂଣ୍ଣ ଭାବେ ବନ୍ଦ ହୋଇଛି। ଉକ୍ତ ରାସ୍ତା ଦେଇ ବିଦ୍ୟାଳୟକୁ ଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଗାଡ଼ି ଗୁଡିକୁ ବ୍ରିଜର ଉପର ପାର୍ଶ୍ୱରେ ରଖି ଚାଲି ଚାଲି ଆସିଥିଲେ। ବେଲଘର-ଝିରିପାଣି ରାସ୍ତାରେ ଝିରିପାଣି ପଞ୍ଚାୟତକୁ ଯିବାକୁ ହେଲେ ଚାଉଳଧୁଆ ନଦୀକୁ ୭ଥର ଅତିକ୍ରମ କରିବାକୁ ପଡିଥାଏ। ଦୀର୍ଘ ଦିନ ହେବ ଚାଉଳଧୁଆ ନଦୀ ଉପରେ ରାସ୍ତାର ବିଭିନ୍ନ ସ୍ଥାନରେ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ପ୍ରଶାସନର ଅଣଦେଖା ଯୋଗୁଁ ଦୀର୍ଘ ୪ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହିଛି। ମଙ୍ଗଳବାର ଦିନ ତମାମ ବର୍ଷା ହୋଇଥିବାରୁ ପାହାଡ଼ରୁ ପାଣିଆସି ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଗମନାଗମନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଫଳରେ ଝିରିପାଣି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ତୁମୁଡିବନ୍ଧ-ଝିରିପାଣିକୁ ଯାଉଥିବା ସମସ୍ତ ଗାଡି ଚଳାଚଳ ବନ୍ଦ ରହିଛି। ସେପଟେ ଉତ୍ତେଇନଦୀରେ ମଧ୍ୟ ଏକ ବଡ଼ ବ୍ରିଜ ଦୀର୍ଘ ଦିନ ହେବ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ବର୍ଷା ଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ତୁମୁଡିବନ୍ଧ-ଲଙ୍କାଗଡ଼, ତୁମୁଡିବନ୍ଧ-ଭଣ୍ଡାରଙ୍ଗୀ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ତୁମୁଡିବନ୍ଧ ବ୍ଲକରେ ୨୦୩.୪ ମି.ମି. ବର୍ଷା ରେକର୍ଡ କରାଯାଇଥିବା ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟଦେବ ଦାସ ସୂଚନା ଦେଇଛନ୍ତି। ତୁମୁଡିବନ୍ଧ ବ୍ଲକରେ ବନ୍ୟା ପରିସ୍ଥିତି ନଥିବା କହିଛନ୍ତି ଶ୍ରୀ ଦାସ। ସବୁ ପଞ୍ଚାୟତ ମାନଙ୍କରେ ଭିଏଲଡବ୍ଲୁମାନଙ୍କୁ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବିଡ଼ିଓ ଶ୍ରୀ ଦାସ। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ବ୍ଲକ ସହ ଯୋଗାଯୋଗ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏବଂ ସବୁ ସରପଞ୍ଚ ମାନଙ୍କ ସହ ବିଡ଼ିଓ ଶ୍ରୀ ଦାସ କଥା ହୋଇଥିବା କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories