www.samajalive.in
Saturday, December 13, 2025
26.1 C
Bhubaneswar

ବିପିନଙ୍କ ପାଇଁ ସବୁଆଡୁ ପ୍ରଶଂସାର ସୁଅ; ବିପିନ ବାବୁଙ୍କ ସଚ୍ଚୋଟପଣିଆକୁ ସଲାମ: ଧର୍ମେନ୍ଦ୍ର

କଟକ : ‘ସମାଜ’ ବୁଧବାର ସଂସ୍କରଣର ପ୍ରଥମ ପୃଷ୍ଠାରେ ପ୍ରକାଶିତ ‘ଭିକାରିଙ୍କ ସାଧୁତା; ‘ସମାଜ’ର ବିଶ୍ବସନୀୟତା’: ରାସ୍ତାରୁ ପର୍ସ ପାଇ ଫେରାଇଲେ’ ଖବରକୁ ନେଇ ଚାରିଆଡୁ ‘ସମାଜ’ ଅଫିସ ଜରିଆରେ ପର୍ସ ଫେରାଇଥିବା ବିପିନ ନାୟକଙ୍କ ପ୍ରତି ପ୍ରଶଂସା ଓ ସମବେଦନାର ସୁଅ ଛୁଟିବାରେ ଲାଗିଛି। ବିପିନଙ୍କ ସଚ୍ଚୋଟତା ଓ ସାଧୁତାକୁ ବହୁ ବୁଦ୍ଧିଜୀବୀ ଭୂୟସୀ ପ୍ରଶଂସା କରିଛନ୍ତି। ବିପିନ ଜଣେ ଦିବ୍ୟାଙ୍ଗ ଭିକ୍ଷୁକ ହୋଇ ବି ରାସ୍ତାରୁ ପାଇଥିବା ପର୍ସ ଓ ସେଥିରେ ଥିବା ନଗଦ ୧୨,୫୦୦ ଟଙ୍କା ତଥା ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମାଜ କାର୍ଯ୍ୟାଳୟକୁ ଆସି ଫେରାଇବା ଏବଂ ସମାଜ ଜରିଆରେ ପର୍ସ ହଜାଇଥିବା ମହିଳାଙ୍କୁ ଏହା ପ୍ରଦାନ କରିବା ଘଟଣାକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।
‘ସମାଜ’ରେ ପ୍ରକାଶିତ ଖବର ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ବିପିନଙ୍କ କାର୍ଯ୍ୟକୁ ଶତତ ପ୍ରଶଂସା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଏଥିରେ ଲେଖିଛନ୍ତି ଯେ, ‘‘ବିପିନ ବାବୁ ନିଜ ମାନବିକତାର ପରିଚୟ ଦେଇ ରାସ୍ତାରୁ ଅନ୍ୟର ପର୍ସ ପାଇ ଫେରାଇବା ସାଧୁତା ଓ ସଚ୍ଚୋଟପଣିଆକୁ ପ୍ରମାଣିତ କରୁଛି। ନିଃସ୍ବ ହୋଇ ମଧ୍ୟ ବିଶ୍ବକୁ ଦେଇଥିବା ତାଙ୍କର ନିର୍ଲୋଭପଣିଆର ବାର୍ତ୍ତା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ’’ ଉକ୍ତ ଖବରକୁ ଶ୍ରୀ ପ୍ରଧାନ ତାଙ୍କ ଟ୍ବିଟର ପେଜ୍‌ରେ ସଂଲଗ୍ନ ମଧ୍ୟ କରିଛନ୍ତି। ବୁଧବାର ଏହି ଖବର ପ୍ରକାଶିତ ହେବାପରେ ରାଜ୍ୟର ବିଭିନ୍ନକୋଣ ଅନୁକୋଣରୁ ବହୁ ବରିଷ୍ଠ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ‘ସମାଜ’ କାର୍ଯ୍ୟାଳୟକୁ ଫୋନ୍‌ କରି ବିପିନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ‘ସମାଜ‘ର ଏଭଳି ଖବର ପ୍ରକାଶନକୁ ବେଶ୍‌ ସାଧୁବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି କଟକ ଜୋବ୍ରାରୋଡ଼ସ୍ଥିତ ମୁରାଦ ଖାଁ ପାଟଣାର ୫୫ ବର୍ଷ ବୟସ୍କ ଦିବ୍ୟାଙ୍ଗ ବିପିନ ନିଜ ତିନିଚକିଆ ସାଇକଲରେ ଭିକ ମାଗୁଥିବାବେଳେ ମାତାମଠ ସ୍ଥିତ ରାସ୍ତାରୁ ଏକ ପର୍ସ ପାଇଥିଲେ। ପର୍ସରେ ୧୨,୫୦୦ ଟଙ୍କା ଓ କେତେକ କାଗଜପତ୍ର ଥିଲା। ତାହାକୁ ସେ ‘ସମାଜ’ କାର୍ଯ୍ୟାଳୟକୁ ଆସି ଦେବା ସହ ପର୍ସ ହଜାଇଥିବା ବ୍ୟକ୍ତିଙ୍କୁ ଏହା ପହଞ୍ଚାଇବା ଲାଗି ଅନୁରୋଧ କରିଥିଲେ। ପର୍ସରେ ଥିବା କାଗଜପତ୍ରରେ ଠିକଣା ନଥିଲେ ମଧ୍ୟ ଏଟିଏମ ଜରିଆରେ ଠିକଣା ପାଇଁ ପର୍ସ ହଜିଥିବା କଟକ ଗୋବିନ୍ଦପୁରସ୍ଥିତ କୁସୁଦାର ମହିଳା ରାଜଶ୍ରୀ ନାୟକ(୩୫)ଙ୍କ ସହ ଯୋଗାଯୋଗ କରାଯାଇଥିଲା। ଶେଷରେ ରାଜଶ୍ରୀ ସମାଜ କାର୍ଯ୍ୟାଳୟରୁ ତାଙ୍କ ପର୍ସ ସହ ଟଙ୍କା ଓ କାଗଜପତ୍ର ନେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories