ଶୋଇଥିବା ସମୟରେ ଚଢିଗଲା ଗାଡି, ଘଟଣାସ୍ଥଳରେ ଚାଳକ ମୃତ

ଯୋଡା : କେଉଁଠି ସତର୍କତାର ଅଭାବ ତ ଆଉ କେଉଁଠି ବେପରୁଆ ଗାଡି ଚାଳନା କାରଣରୁ ଖଣି ଅଞ୍ଚଳରେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣା କ୍ରମଶଃ ଚିନ୍ତାର କାରଣ ପାଲଟିଛି। ବୁଧବାର ବଡି ଭୋର ସମୟରେ ଜାତୀୟ ରାଜମାର୍ଗ-୫୨୦ ଅନ୍ତର୍ଗତ ଯୋଡା ଖଣି ଉପନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ସନ୍ନିକଟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ସମ୍ମୁଖରେ ଏଭଳି ଏକ ଦୁଃଖଦ ମର୍ମନ୍ତୁଦ ସଡକ ଦୁର୍ଘଟଣା ସ୍ଥାନୀୟ ବାସୀନ୍ଦାଙ୍କ ମଧ୍ୟରେ ଭୟ ସଞ୍ଚାର କରିଛି। ଏକ ଅଜଣା ଗାଡି ଧକ୍କାରେ ଗାଡି ପାର୍ଶ୍ବରେ ଶୋଇଥିବା ଜୈନିକ ଚାଳକଙ୍କର ଅଭାବନୀୟ ମୃତ୍ୟୁ ଘଟଣା ସାଧାରଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।
ସୂଚନାରୁ ପ୍ରକାଶ, ମଙ୍ଗଳବାର ରାତିରେ ସିଜି-୦୮ଜେଡ୍‍-୨୩୧୧ ନମ୍ବର ରତ ଏକ ଚଉଦ ଚକିଆ ଭାରୀଯାନ ଖଣିରୁ କଞ୍ଚାମାଲ ବୋଝେଇ ଉଦ୍ଦେଶ୍ୟରେ ଘଟଣା ସ୍ଥଳରେ ରାସ୍ତା ପାର୍ଶ୍ବରେ ଠିଆ ହୋଇଥିଲା। ସମ୍ପୃକ୍ତ ଗାଡିର ହେଲପର ଲେଖଚାନ୍ଦ ଠାକୁର ଓ ଚାଳକ ଦ୍ୱାରିକା ପ୍ରସାଦ ଯାଦବ ଉଭୟ ରାତ୍ରି ଭୋଜନ ପରେ ଗାଡି ମଧ୍ୟରେ ଶୋଇଥିଲେ। ବୁଧବାର ସକାଳ ୫ଟା ସମୟରେ ହେଲପର ଲେଖଚାନ୍ଦ ନିଦରୁ ଉଠି ଗାଡିରୁ ଓହ୍ଲାଇ ଗାଡିପାର୍ଶ୍ବରେ ଗାଡିର ଚାଳକ ଦ୍ୱାରିକା ପ୍ରସାଦଙ୍କ ମୃତଦେହ ଦେଖିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇ ରହିଯାଇଥିଲେ। ଗାଡି ମଧ୍ୟରେ ପ୍ରବଳ ଗରମ ହେଉଥିବା କାରଣରୁ ଖୋଲା ଆକାଶ ତଳେ ବିଶ୍ରାମ ନେବା ଅବସରରେ ଦ୍ୱାରିକା ପ୍ରସାଦ ଯାଦବଙ୍କ ଉପରେ କୌଣସି ଅଜଣା ଗାଡି ଚଢି ଯାଇଥିବା କାରଣରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ହେଲପର ଲେଖଚାନ୍ଦଙ୍କ ଅଭିଯୋଗକ୍ରମେ ଯୋଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିô ସମସ୍ତ ଦିଗରୁ ତଦନ୍ତ ଚଳାଇଥିବା ସହ ହେଲପରକୁ ଅଧିକ ପଚରା ଉଚୁରା ଜାରି ରଖି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବଡବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଖବର ମିଳିଛି। ମୃତ ଚାଳକ ଦ୍ୱାରିକା ପ୍ରସାଦ ଯାଦବଙ୍କ ଘର ଛତିଶଗଡ ରାଜ୍ୟ ବାଲଦ ଜିଲା ଅନ୍ତର୍ଗତ ଅର୍ଜ୍ଜୁନଦା ଗ୍ରାମରେ ବୋଲି ହେଲପର ଲେଖଚାନ୍ଦ ବୟାନରୁ ପ୍ରକାଶ।

Comments are closed.