ପିପିଲି : ଅଗ୍ରଣୀ ନାଗରିକ ସଂଗଠନ ଜନସ୍ୱାର୍ଥ ସୁରକ୍ଷା ସମିତି ପକ୍ଷରୁ ଦାଣ୍ଡମୁକୁନ୍ଦପୁର ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସୁଆଣ୍ଡୋ ସ୍ଥିତ ବାସଗୃହକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ କରିବା ଓ ସତ୍ୟବାଦୀ ବନବିଦ୍ୟାଳୟର ପୁନଃରୁଦ୍ଧାର କରି ଶିକ୍ଷାକ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ପିପିଲିସ୍ଥିତ ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତୀରେ ପ୍ରତ୍ୟୁଷରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ସମିତିର ମୁଖ୍ୟ ସଂଯୋଜକ ଶିକ୍ଷାବିତ୍ ସନ୍ତୋଷ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବନବିହାରୀ ପଣ୍ଡା, ଯୋଗଗୁରୁ ବଂଶୀଧର ସାହୁ, ସମାଜସେବୀ ପ୍ରଦୀପ୍ତ ଦାସ, ସଦାଶିବ ମହାନ୍ତି, ଶିକ୍ଷାବିତ୍ ପ୍ରସନ୍ନ ଦାସ, ତାପସ କୁମାର ଦାସ, ଚିତ୍ତରଞ୍ଜନ ସାହୁ, ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନଦର୍ଶନ ଓ ବହୁମୁଖି ପ୍ରତିଭା ସଂପର୍କରେ ଆଲୋକପାତ କରିବା ସହ ସତ୍ୟବାଦୀ ବନବିଦ୍ୟାଳୟର ପୁନଃରୁର୍ଦ୍ଧାର କରି ଶିକ୍ଷାକ୍ଷେତ୍ରରେ ସଂସ୍କାର ଆଣିବା ଓ ଗୋପବନ୍ଧୁଙ୍କ ସୁଆଣ୍ଡୋ ସ୍ଥିତ ବାସଗୃହକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ କରିବାକୁ ଦାବି କରିଥିଲେ ।
ସରକାରଙ୍କ ପକ୍ଷରୁ ଗୋପବନ୍ଧୁଙ୍କ କବିତାକୁ ଭାଷାନ୍ତର କରି ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ ଦ୍ୱାରା ରେକଡିଂ କରାଇ ଦେଶ ବିଦେଶରେ ପ୍ରସାର କରାଇବାକୁ ଶ୍ରୀ ମିଶ୍ର ଦାବି ରଖିଥିଲେ । ଉପରୋକ୍ତ ଦାବି ସଂପର୍କିତ ଏକ ସ୍ମାରକପତ୍ରକୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ନିକଟକୁ ପଠାଯିବା ପାଇଁ ଉକ୍ତ ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ଅବସରରେ ଗୋପବନ୍ଧୁଙ୍କ କବିତା ଓ ସଂକ୍ଷୀପ୍ତ ଜୀବନୀ ପାଠ କରାଯାଇଥିଲା ।



