ଆରଡି: ଲଘୁଚାପ ପ୍ରଭାବରେ ୩ଦିନ ହେଲା ଲଗାଣ ବର୍ଷା ସହ ଅମାବାସ୍ୟା ଯୋଗୁ ଜୁଆର ଢେଉରେ ମଙ୍ଗଳବାର ଉଛୁଳି ପଡିଥିଲା ବୈତରଣୀ ଓ ସାଳନ୍ଦୀ ନଦୀ। ଯାହାର ପ୍ରଭାବରେ ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳ ସମସ୍ତ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ପଡିବା ସହ ବିଭିନ୍ନ ମାହାରା ଓ ନଈଯୋର ଦେଇ ଚାଷଜମିକୁ ପ୍ରବେଶ କରିଥିଲା ଜୁଆର ପାଣି। ବିଶେଷକରି ଆରଡି ନିକଟସ୍ଥ ଶୀତଳପୁର ଠାରେ ଦୀର୍ଘବର୍ଷ ହେବ ନଦୀବନ୍ଧ ମୁକୁଳା ପଡିଥିବାରୁ ସେହି ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀର ପାଣି ସିଧାସଳଖ ଭାବେ ଗାଁ ମଧ୍ୟକୁ ପ୍ରବେଶ କରିଥିଲା। ଏପରିକି ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରେ ଜୁଆରପାଣି ଲହଡି ଭାଙ୍ଗିବା ଫଳରେ ନିକଟସ୍ଥ ବିଦ୍ୟାଳୟକୁ ପ୍ରାୟ ୪୦ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଯାଇ ପାରିନଥିଲେ।
ଗାଁ ଲୋକଙ୍କ କହିବା ଅନୁଯାୟୀ ନଦୀ ଗାଁ ଠାରୁ ୫ଶହ ମିଟର ଦୂରରେ ଥିବା ବେଳେ ଦୀର୍ଘ ୮/୧୦ବର୍ଷ ହେବ ନଦୀ ତାର ଗତିପଥ ବଦଳାଇ ଗାଁ ଆଡକୁ ମୁହାଁଇବାରେ ଲାଗିଛି। ଏପରିକି ବନ୍ୟା ଓ ଜୁଆରପାଣିରେ ନଦୀ କୂଳ ଖାଇ ବନ୍ଧକୁ ଗ୍ରାସ କରିବା ଫଳରେ ଗତ କିଛିବର୍ଷ ହେବ ଗାଁକୁ ସୁରକ୍ଷା ଦେବା ପାଇଁ ଥିବା କଂକ୍ରିଟ ରାସ୍ତାକୁ ନଦୀ ସମ୍ପର୍ଣ୍ଣ ଧୋଇ ନେଇଥିଲା। ଫଳରେ ବର୍ଷାଦିନରେ ସାମନ୍ୟ ଜୁଆରପାଣି ଆସିଲେ ଗାଁ ଦାଣ୍ଡରେ ଲହଡି ମାରିବା ସହ ବନ୍ୟା ଓ ସାମୁଦ୍ରିକ ଉଚ୍ଚ ଜୁଆରପାଣି ଆସିଲେ ଗାଁ ଲୋକ ଭୟରେ ଜୀବନ ବିତାଇଥାନ୍ତି। ଅନ୍ୟପଟେ ଗାଂ ଲୋକ କୁମ୍ଭୀର ଭୟରେ ନଦି କଡରେ ଜାଲ ବାନ୍ଧିଥିବା ପଡିଛି।



