ଭୁବନେଶ୍ୱର: ରାଜ୍ୟର ଶିଳ୍ପ ସଂସ୍ଥା ସ୍ଥାପନ ପାଇଁ ସରକାର ଅନେକ ସୁବିଧା ସୁଯୋଗ ଦେବା ସହ ବିଭିନ୍ନ ଅନୁଷ୍ଠାନ ସହ ବୁଝାମଣା ପତ୍ର ମଧ୍ୟ ସ୍ଵାକ୍ଷର କରିଛନ୍ତି କିନ୍ତୁ ସେହି ସବୁ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ମିଳିବା ନେଇ ମଙ୍ଗଳବାର ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ପ୍ରଶ୍ନୋତ୍ତର କାଳରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ ଏହି ପ୍ରସଙ୍ଗ ଉଠାଇ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଦାବି କରିଥିଲେ।
ମନ୍ତ୍ରୀ ସୁଶାନ୍ତ ସିଂହ ଗୃହରେ ଉତ୍ତର ରଖି କହିଥିଲେ ଯେ ରାଜ୍ୟର ୫୫୦ଟି ଶିଳ୍ପ ସଂସ୍ଥାରେ ନିଯୁକ୍ତ ୨ ଲକ୍ଷ ୬୬ ହଜାର ୮୫୪ ଜଣ କର୍ମଚାରୀଙ୍କ ମଧ୍ୟରୁ ୩୯ ହଜାର ୮୯୩ ଜଣ ବାହାର ରାଜ୍ୟର। ସ୍ଥାନୀୟ ନିଯୁକ୍ତି ପାଇଁ କୁଶଳୀ ବର୍ଗରେ ୬୦ ପ୍ରତିଶତ, ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀଙ୍କ ବର୍ଗରେ ୯୦ପ୍ରତିଶତ ଓ ପରିଚାଳନା ଅଧିକାରୀଙ୍କ ପାଇଁ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିବା ମନ୍ତ୍ରୀ କହିଥିଲେ। ତେବେ ପାରାଦୀପର ଆଇଓସିଏଲ୍, ଇଫ୍କୋ, ପିପିଟି ଓ ପିପିଏଲ୍ରେ କେତେ ସ୍ଥାନୀୟ ଲୋକ ନିଯୁକ୍ତି ପାଇଛନ୍ତି ମନ୍ତ୍ରୀ ତା’ର ଉତ୍ତର ଦେଇ ପାରିନଥିଲେ।



