ନୀଳଗିରି: ବୁଲାକୁକୁରଙ୍କ ଆକ୍ରମଣରେ ଭୟଭୀତ ହୋଇ ଦୌଡୁଥିବା ହରିଣଟି ନିଜ ପ୍ରାଣ ବଞ୍ଚାଇବାକୁ ଜଙ୍ଗଲ ଭିତରେ ସଂଘର୍ଷ କରିଛି। ଖାଦ୍ୟ ଆଉ ଖାଦକ ଭିତରେ ହୋଇଥିବା ଏହି ଲଢ଼େଇରେ ଗୋଟିଏ କୁକୁରକୁ ଶିଙ୍ଘରେ ଭୁଶି ମାରିବା ପରେ ନିଜେ ହରିଣ ପ୍ରାଣବଳି ଦେବା ଘଟଣା ହଟଚମଟ ସୃଷ୍ଟି କରିଛି। ଏଭଳି ଏକ ବିରଳ ଘଟଣା ଘଟିଛି ବାଲେଶ୍ୱର ଜିଲା ଅଧୀନ ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟରେ।
କୁଲଡିହା ଅଭୟାରଣ୍ୟ ଅଧୀନ ତଥା ହାତୀଖୋଲିଆ-କୁନ୍ଦୁଡ଼ି ରାସ୍ତାରେ ଶୁକ୍ରବାର ୩ଟି ବୁଲାକୁକୁର ହରିଣଟେ ଚରୁଥିବା ଦେଖି ତା’ ଉପରକୁ ଲମ୍ଫ ଦେଇଥିଲେ। ପ୍ରାଣ ବଞ୍ଚାଇବା ପାଇଁ ହରିଣଟି ଘଞ୍ଚ ଜଙ୍ଗଲ ଭିତରେ ଦୌଡ଼ିଥିଲା। କିନ୍ତୁ କୁକୁରମାନେ ତା’ ପଛଗୋଡ଼କୁ କାମୁଡ଼ି କ୍ଷତାକ୍ତ କରି ଦେଇଥିଲେ। ନିଜ ପ୍ରାଣ ଚାଲିଯିବା ସୁନିଶ୍ଚିତ ଜାଣି ଉକ୍ତ ହରିଣଟି ଗୋଟିଏ କୁକୁର ସହ ଲଢ଼ି ତାକୁ ଶିଙ୍ଘରେ ଭୁଶି ମାରି ଦେବା ପରେ ନିକଟରେ ଏକ ଟ୍ରେଞ୍ଚ ବା ନାଳରେ ପଡ଼ି ତା’ର ମୃତ୍ୟୁ ଘଟିଛି। ପାଟ୍ରୋଲିଂରେ ଯାଇଥିବା ସବୁଜବାହିନୀ କର୍ମଚାରୀ ଏଭଳି ବିରଳ ଘଟଣା ଦେଖି ତଟସ୍ଥ ହୋଇଯିବା ସହ ଅନ୍ୟ ଦୁଇଟି କୁକୁରକୁ ମଧ୍ୟ ସେମାନେ ପିଟି ପିଟି ମାରି ଦେଇଥିବା ସୂଚନା ମିଳିଛି। ଖବରପାଇ ଘଟଣାସ୍ଥଳରେ କୁଲଡିହା ରେଞ୍ଜର ଲକ୍ଷ୍ମଣ ପ୍ରଧାନ, ଫରେଷ୍ଟର ପରମାନନ୍ଦ ନାୟକ, ଗାର୍ଡ଼ ହୃଷିକେଶ ପ୍ରଧାନ ପ୍ରମୁଖ ପହଞ୍ଚିଥିଲେ। ଅପରାହ୍ଣରେ ନୀଳଗିରି ପ୍ରାଣୀ ଚିକିତ୍ସାଧିକାରୀ ଡା. ତପନ ଦ୍ୱିବେଦୀ ପହଞ୍ଚି ମୃତଦେହ ବ୍ୟବଛେଦ କରିବା ପରେ ସେଠାରେ ମୃତଦେହକୁ ପୋତି ଦିଆଯାଇଥିବା ଜଣାଯାଇଛି।



