ନିରାପତ୍ତା ଆମ ଜୀବନର ଅଂଶବିଶେଷ ହେବା ଦରକାର : ମୋଦି

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ଦେଶରେ ଘଟୁଥିବା ଦୁର୍ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାକୃତିକ ଦୁର୍ବିପାକକୁ ଛାଡିଦେଲେ ଅନ୍ୟ ସମସ୍ତ ଦୁର୍ଘଟଣା ଆମର ଅସାବଧାନତା ଯୋଗୁଁ ହୋଇଥାଏ। ଯଦି ଏହି ଅସାବଧାନତାକୁ ଆମେ ଏଡାଇ ପାରିବା ତେବେ ଦୁର୍ଘଟଣାରୁ ବର୍ତ୍ତିପାରିବା। ଅସାବଧାନତାକୁ ଏଡାଇବା ପାଇଁ ନିରାପତ୍ତା ନିୟମକୁ ପାଳନ କରିବା ଦରକାର। ଜୀବନର ପ୍ରତ୍ୟେକ ମୂହୁର୍ତ୍ତରେ ଆମେ ନିରାପତ୍ତା ନିୟମକୁ ଅନୁସରଣ କଲେ ଆମ ଜୀବନ ସୁରକ୍ଷିତ ହୋଇପାରିବ। ସୁରକ୍ଷିତ ଜୀବନ ଯାପନ ପାଇଁ ଆମେ ପ୍ରତିବର୍ଷ ମାର୍ଚ୍ଚ ୪ରେ ଜାତୀୟ ସୁରକ୍ଷା ଦିବସ ପାଳନ କରୁଛେ। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆମେ ନିଜକୁ ସୁରକ୍ଷିତ ରଖିବା ପାଇଁ ସୁରକ୍ଷା ନିୟମ ପାଳନ କରିବା ଦରକାର। ଏଥିପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଆବଶ୍ୟକ ପ୍ରଶିକ୍ଷଣ ଦେଉଛନ୍ତି।
ଭିନ୍ନକ୍ଷମଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ପ୍ରଧାନମନ୍ତ୍ରୀ ଦେଶର ବୈଜ୍ଞାନିକଙ୍କୁ ନିବେଦନ କରିଛନ୍ତି। ବୈଜ୍ଞାନିକ ଜ୍ଞାନକୌଶଳ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ ଦ୍ୱାରା ଭିନ୍ନକ୍ଷମ (ଦିବ୍ୟାଙ୍ଗ) ଭାଇ ଓ ଭଉଣୀଙ୍କ ଜୀବନରେ କିପରି ଉନ୍ନତି ଆସିପାରିବ ସେ ଦିଗରେ ଆମର ବୈଜ୍ଞାନିକମାନେ ଉଦ୍ୟମ କରିବା ଦରକାର। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୈଷୟିକ ଜ୍ଞାନକୌଶଳ ଓ ବିଜ୍ଞାନ ଗରିବ ଓ ଅନଗ୍ରସରଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଉପଯୋଗ ହେବା ଦରକାର।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ଅପରିହାର୍ଯ୍ୟ। ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଯୋଗଦାନକୁ ନିଶ୍ଚିତ କରିବା ଆମ ସମସ୍ତଙ୍କର ମୌଳିକ କର୍ତ୍ତବ୍ୟ ହେବା ଦରକାର। ମହିଳାମାନେ ସଶକ୍ତ ହୋଇପାରିଲେ ନୂଆ ଭାରତ ଗଠନ ନିଶ୍ଚିତ ହୋଇପାରିବ। ଦେଶର ବିକାଶରେ ମହିଳମାନେ ସମାନ ଅଂଶୀଦାର ହେବା ଦରକାର। ମହିଳାଙ୍କୁ ସଶକ୍ତ କରିବା ପାଇଁ ଆମେ ପ୍ରତିବର୍ଷ ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରୁଛେ। ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ‘ପରଫେକ୍ଟ ଓମ୍ୟାନହୁଡ’ ‘ପରଫେକ୍ଟ ଇଣ୍ଡିପେଣ୍ଡେନ୍ସ’କୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ। ଆମେ ଏପରି ସଂସ୍କୃତି ଓ ପରମ୍ପରାର ଅଂଶ ଯେଉଁଠାରେ ପୁରୁଷମାନେ ମହିଳାଙ୍କ ଦ୍ୱାରା ପରିଚିତ ହୋଇଥାନ୍ତି। ଯେପରିକ ଯଶୋଦା ନନ୍ଦନ, କୌଶଲ୍ୟା ନନ୍ଦନ ଓ ଗାନ୍ଧାରି ପୁତ୍ର।
ପ୍ରଧାନମନ୍ତ୍ରୀ ତାଙ୍କର ଏହି ରେଡିଓ କାର୍ଯ୍ୟକ୍ରମରେ ଗୋବର (ଗାଈ ମଳ)ର ଉପଯୁକ୍ତ ବିନିଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ଗୋବରକୁ ଗୋବର ଧନ ବୋଲି କହିଛନ୍ତି। ଗୋରୁ ଗାଈଙ୍କ ମଳ ଓ କୃଷି ଆବର୍ଜନାକୁ ଉପଯୋଗ କରି ବାୟୋଗ୍ୟାସ ଉତ୍ପାଦନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଗ୍ରାମାଞ୍ଚଳର ସ୍ୱଚ୍ଛତା ବୃଦ୍ଧି ପାଇବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଭାରତରେ ଏବେ ପ୍ରାୟ ୩୦କୋଟି ଗୋରୁ ଗାଈ ଅଛନ୍ତି। ଯାହା ବିଶ୍ୱରେ ସବୁଠାରୁ ଅଧିକ। ଏହି ଗୋରୁଗାଈଙ୍କ ଠାରୁ ପ୍ରତିଦିନ ୩୦ ଟନ ଗୋବର ଉତ୍ପାଦନ ହେଉଛି। ମାତ୍ର ଏହି ଗୋବରକୁ ଠିକ୍‌ ଭାବେ ଉପଯୋଗ କରାଯାଇପାରୁ ନାହିଁ। ୟୁରୋପ ସମେତ ଚୀନ ଭଳି ରାଷ୍ଟ୍ର ପଶୁ ମଳ ଓ ଅନ୍ୟ ଆବର୍ଜନାକୁ ଉପଯୋଗ କରି ପ୍ରଚୁର ଶକ୍ତି ଉତ୍ପାଦନ କରୁଛନ୍ତି। ଭାରତରେ ପଶୁ ମଳ ଓ ଅନ୍ୟ କୃଷି ଆବର୍ଜନାକୁ କିପରି ଉପଯୁକ୍ତ ବିନିଯୋଗ କରାଯିବ ସେ ନେଇ ସରକାର ‘ଗୋବର ଧନ ଯୋଜନା’ ନାମରେ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ତାଙ୍କ ବଜେଟ୍‌ ଅଭିଭାଷଣ କାଳରେ ଏହି ଯୋଜନା ବାବଦରେ କହିଥିଲେ। ଏହି ଯୋଜନା ମାଧ୍ୟମରେ ଏକ ଅନଲାଇନରେ କୃଷକଙ୍କ ଠାରୁ ଗୋବର ସଂଗ୍ରହ କରାଯିବ। ଶେଷରେ ପ୍ରଧାନମନ୍ତ୍ରୀ ରଙ୍ଗର ଉତ୍ସବ ହୋଲି ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

Leave A Reply