ଭୁବନେଶ୍ୱର: ଫୋନିରେ ଜଙ୍ଗଲ ଅଭୟାରଣ୍ୟ ଧ୍ୱଂସ ବିଧ୍ୱସ୍ତ ହେବା ପରେ ଅଳ୍ପ ସମୟ ମଧ୍ୟରେ ତାକୁ କିପରି ଭରଣା କରାଯାଇପାରିବ ସେନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ଼କୁ ଯୋଜନା ପ୍ରସ୍ତୁତ କରିବା ପାଇଁ କୁହାଯିବ। ସୂଚନା ଓ ଲୋକ ସମ୍ପର୍କ ବିଭାଗର ଶାସନ ସଚିବ ସଂଜୟ ସିଂ ଗୁରୁବାର ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ଜନସାଧାରଣଙ୍କୁ ଠିକ୍ ଦାମରେ ପିଆଜ, ମହମବତୀ, ଦିଆସିଲି ଯୋଗାଇ ଦେବା ପାଇଁ ୬ଟି ମୋବାଇଲ ଭ୍ୟାନ ପଠାଯାଇଛି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଜଙ୍ଗଲ ଓ ଅଭୟାରଣ୍ୟର ୫୩୭ କୋଟି ଟଙ୍କା ହୋଇଥିଲା ବେଳେ ଅନ୍ୟାନ୍ୟ ସ୍ଥାନରେ ଯେଉଁ ଗଛ ନଷ୍ଟ ହୋଇଯାଇଛି ତାର ମୂଲ୍ୟ ୨୪୦ କୋଟି ଟଙ୍କା ହେବ। ଜଙ୍ଗଲ ଓ ଅଭୟାରଣ୍ୟର ଗଛ ନଷ୍ଟ ହେବା ଫଳରେ ପରିବେଶ ଉପରେ ମଧ୍ୟ ପ୍ରଭାବ ପକାଇଛି। ପରିବେଶକୁ କିପରି ରକ୍ଷା କରାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବାପାଇଁ ସରକାର ଚିନ୍ତା କରିଛନ୍ତି।
ଟେଲିକମ୍ ସମ୍ପର୍କରେ ସେ କହିଛନ୍ତି ଯେ, ବର୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ୭୮ ପ୍ରତିଶତ ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଥିଲା ବେଳେ ପୁରୀରେ ୫୨, କଟକରେ ୮୮ ଓ ଭୁବନେଶ୍ୱରରେ ୮୨ ପ୍ରତିଶତ ମୋବାଇଲ ଟାୱାର ଚାଲୁ ହୋଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଥିବା ୯୯ଟି ଟେଲିଫୋନ୍ ଏକ୍ସଚେଂଜ ମଧ୍ୟରୁ ୯୫ଟି କାର୍ଯ୍ୟ କରୁଥିଲା ବେଳେ ପୁରୀରେ ୪୧ ରୁ ୩୨ଟିକୁ କାର୍ଯ୍ୟକ୍ଷମ କରାଯାଇଛି।
ଜିଏସଟିର ରିଟର୍ଣ୍ଣ ଫାଇଲର ସମୟ ସୀମାକୁ ଜୁନ୍ ୧୦ ତାରିଖକୁ ବୃଦ୍ଧି କରାଯାଇଛି। ଇପିଏଫର ସମୟକୁ ଜୁନ୍ ୨୦ ତାରିଖ ଏବଂ ଇଏସଆଇର ସମୟସୀମାକୁ ୧୫ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।



