କିଙ୍ଗ୍ସ ଏକାଦଶକୁ ହରାଇଲା ସନ୍ରାଇଜର୍ସ
ହାଇଦରାବାଦ : ସୋମବାର ଚଳିତ ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦରାବାଦ ବିଜୟୀ ହୋଇଛି। କିଙ୍ଗ୍ସ ଏକାଦଶ ପଞ୍ଜାବକୁ ୪୫ ରନ୍ରେ ପରାସ୍ତକରି ପ୍ଲେଅଫ୍ ଖେଳିବାର କ୍ଷୀଣ ଆଶା ବଜାୟ ରଖିଛି ସନ୍ରାଇଜର୍ସ। ଡେଭିଡ୍ ୱାର୍ଣ୍ଣରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ସନ୍ରାଇଜର୍ସ ହାଇଦରାବାଦ ୬ ୱିକେଟ ହରାଇ ୨୧୨ ରନ୍ କରିଥିଲା। ପରେ କେ.ଏଲ୍. ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ କିଙ୍ଗ୍ସ ଏକାଦଶ ୮ ୱିକେଟରେ ୧୬୭ ରନ୍ କରି ପାରିଥିଲା। ୧୨ଶ ମ୍ୟାଚ୍ରେ ଏହା ସନ୍ରାଇଜର୍ସର ୬ଷ୍ଠ ବିଜୟ। ପଞ୍ଜାବ ୧୨ଶ ମ୍ୟାଚ୍ରେ ୭ମ ପରାଜୟ ବରଣ କରିଛି।
କିଙ୍ଗ୍ସ ଏକାଦଶ ପଞ୍ଜାବ ଧିମାଗତିରେ ୨୧୩ ରନ୍ ଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଦଳ ପାଇଁ ଶକ୍ତ ଧକ୍କା ଥିଲା କ୍ରିସ୍ ଗେଲ୍ ୪ ରନ୍କରି ଆଉଟ ହୋଇଯିବା। ପରେ କେ.ଏଲ୍. ରାହୁଲ ଓ ମୟଙ୍କ ଅଗ୍ରୱାଲ ସ୍କୋର୍କୁ ଆଗେଇ ନେଇଥିଲେ। ୨ୟ ୱିକେଟ ପାଇଁ ୬୦ ରନ୍ର ଭାଗିଦାରୀ ପରେ ୧୮ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୭ ରନ୍କରି ମୟଙ୍କ ଅଗ୍ରୱାଲ ଆଉଟ ହୋଇ ଯାଇଥିଲେ। ୧୦ ଓଭରରୁ ୧୩୨ ରନ୍ ଆବଶ୍ୟକ ଥିବା ବେଳେ ୧୧ଶ ଓଭରରେ ୪ଟି ବଲ୍ରେ ୧୪ ରନ୍ ମାରିବା ପରେ ନିକୋଲାସ୍ ପୁରନ୍ ଆଉଟ ହୋଇଥିଲେ। ପୁରନ୍ ୧୦ ବଲ୍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୧ ରନ୍ କରିଥିଲେ। ୧୩ଶ ଓଭରରେ କ୍ରମାଗତ ୨ଟି ବଲ୍ରେ ୨ଟି ୱିକେଟ ନେଇଥିଲେ ରସିଦ୍ ଖାଁ। ଡେଭିଡ୍ ମିଲର ୧୧ ଓ ଆର୍. ଅଶ୍ବିନ ବିନା ସ୍କୋର୍ରେ ଆଉଟ ହୋଇଥିଲେ। ରାହୁଲ ଏହାପରେ ଏକା ଲଢ଼ିଥିଲେ। ୧୯ଶ ଓଭରରେ ଆଉଟ ହେବା ପୂର୍ବରୁ ରାହୁଲ ୫୬ ବଲ୍ରୁ ୫ଟି ଛକା ଓ ୪ଟି ଚୌକା ସହ ୭୯ ରନ୍ କରିଥିଲେ। ପ୍ରଭସିମ୍ରନ୍ ସିଂହ ୧୬ ରନ୍ କରିଥିଲେ। ରସିଦ୍ ଖାଁ ଓ ଖଲିଲ ଅହମ୍ମଦ ୩ଟି ଲେଖାଏଁ ଏବଂ ସନ୍ଦୀପ ଶର୍ମା ୨ଟି ୱିକେଟ ନେଇଥିଲେ।
କିଙ୍ଗ୍ସ ଏକାଦଶ ପଞ୍ଜାବ ଟସ୍ ଜିତି ଫିଲ୍ଡିଂର ନିଷ୍ପତ୍ତି ନେବା ପରେ ପ୍ରତିପକ୍ଷ ସନ୍ରାଇଜର୍ସର ଓପ୍ନର ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ। ଫଳରେ ୬ ଓଭର ପାୱରପ୍ଲେ ଶେଷରେ ସନ୍ରାଇଜର୍ସ ୭୭ ରନ୍ କରି ପାରିଥିଲା। ଋଦ୍ଧିମାନ ଶାହା ୧୩ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ଦ୍ରୁତ ୨୮ ରନ୍କରି ବିଦାୟ ନେଇଥିଲେ। ୨ୟ ୱିକେଟ ପାଇଁ ଡେଭିଡ୍ ୱାର୍ଣ୍ଣର ଓ ମନୀଷ ପାଣ୍ଡେ ୯ ଓଭରରେ ୮୨ ରନ୍ ଯୋଗ କରିଥିଲେ। ପାେଣ୍ଡ ତାଙ୍କ ଚମତ୍କାର ଫର୍ମ ବଜାୟରଖି ୨୫ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ଆକର୍ଷଣୀୟ ୩୬ ରନ୍କରି ବିଦାୟ ନେଇଥିଲେ। ସେହି ଓଭରରେ ୱାର୍ଣ୍ଣର ମଧ୍ୟ ଆଉଟ ହୋଇ ଯାଇଥିଲେ। ଚଳିତ ଆଇପିଏଲ୍ର ସର୍ବାଧିକ ସ୍କୋରର ୱାର୍ଣ୍ଣର ୫୬ ବଲ୍ରୁ ୨ଟି ଛକା ଓ ୭ଟି ଚୌକା ସହ ୮୧ ରନ୍ କରିଥିଲେ। ମହମ୍ମଦ ନବି ୧୦ ବଲ୍ରୁ ୨ଟି ଛକା ସହ ୨୦ ଏବଂ ଅଧିନାୟକ କେନ୍ ୱିଲିୟମ୍ସନ ୭ଟି ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ରନ୍ କରିଥିଲେ। ୧୮ଶ ଓଭରରେ ୨୬ ରନ୍ ହୋଇଥିବା ବେଳେ ଶେଷ ୨ ଓଭରରୁ ମାତ୍ର ୧୭ ରନ୍ ହୋଇଥିଲା। ରବିଚନ୍ଦ୍ରନ ଅଶ୍ବିନ ଓ ମହମ୍ମଦ ସାମି ୨ଟି ଲେଖାଏଁ ୱିକେଟ ନେଇଥିଲେ।
Comments are closed.