ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀଙ୍କ ଉପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ପୁଣି ୪୮ ଘଣ୍ଟା ପାଇଁ କଟକଣା ଜାରି କରାଯାଇଛି । ଦ୍ୱିତୀୟ ଥର ପାଇଁ ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ଏଭଳି କଟକଣା ଜାରି କରାଯାଇଛି। ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ୍ ତାଙ୍କର ତୀବ୍ର ସମାଲୋଚନା କରିଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ୪୮ ଘଣ୍ଟା ପାଇଁ କୌଣସି ନିର୍ବାଚନ ସଭା, ରୋଡ୍ ଶୋ’ କିମ୍ବା ସାକ୍ଷାତ୍କାର କାର୍ଯ୍ୟକ୍ରମରୁ ବାଦ ଦିଆଯାଇଛି। ମେନକା ଗାନ୍ଧୀଙ୍କଦ୍ୱାରା ଏହା ହେଉଛି ଦ୍ୱିତୀୟ ଆଚରଣ ବିଧି ଉଲଙ୍ଘନ। ଭବିଷ୍ୟତରେ ଏଭଳି ଭୁଲ୍ ନ କରିବାକୁ କମିଶନ୍ ତାଙ୍କୁ ଚେତାବନୀ ଦେଇଛି।
ଗତ ୧୪ ତାରିଖରେ ସୁଲ୍ତାନପୁରର ସରକୋଟା ଗ୍ରାମଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବାବେଳେ ସେ ଭୋଟର୍ମାନଙ୍କୁ ତାଙ୍କ ପ୍ରତି ସେମାନଙ୍କ ଭୋଟ୍ ପ୍ରତିଶତ ଅନୁସାରେ ଶ୍ରେଣୀରେ ବିଭାଗ କରିଥିଲେ ଓ ସେହି ଅନୁସାରେ ସେମାନଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଥିଲେ। ମେନକା ଗାନ୍ଧୀଙ୍କର ଏହି ବିବୃତ୍ତି ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ କରୁଛି କରୁଛି ବୋଲି କମିଶନ କହିଛନ୍ତି।



