ଗୁଣମାନର ଉତ୍କର୍ଷ
ଧର୍ମାନନ୍ଦ ଷଡ଼ଙ୍ଗୀ
କୌଣସି ବସ୍ତୁ କ୍ରୟ କରିବା ସମୟରେ କିମ୍ବା କୌଣସି ସେବାଲାଭ କରିବା ସମୟରେ ଆମେ ସାଧାରଣତଃ ଉକ୍ତ ବସ୍ତୁ ବା ସେବାର ଉଚ୍ଚ ଗୁଣ ଓ ମାନ ଆଶା କରିଥାଉ, ଯଦିଚ ଗୁଣ ଓ ମାନ ବିଷୟରେ ସାଧାରଣତଃ ଆମର ଚିନ୍ତାଧାରା କିଛିଟା ଅସ୍ପଷ୍ଟ ଥାଏ । ସରକାରୀ ଉଦ୍ୟମରେ ନିର୍ମିତ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ, ବିଭିନ୍ନ ଉତ୍ପାଦିତ ସାମଗ୍ରୀ ଓ ଉପଲବ୍ଧ ସେବାର ଗୁଣ ଓ ମାନ ସମ୍ପର୍କିତ ଆଲୋଚନାରେ ସାଧାରଣତଃ ମତବ୍ୟକ୍ତ ହୁଏ ଯେ ଦୁର୍ନୀତି ନିକୃଷ୍ଟ ଗୁଣମାନ ନିମିତ୍ତ ଦାୟୀ।
ଆମ ଦେଶରେ କିନ୍ତୁ ଏହା ବହୁଳ ଭାବେ ଦେଖାଯାଏ ଯେ ବିଭିନ୍ନ ବେସରକାରୀ ଉଦ୍ୟମ, ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷ ଦ୍ବାରା ଉତ୍ପାଦିତ ସାମଗ୍ରୀ କିମ୍ବା ପ୍ରଦତ୍ତ ସେବାର ଗୁଣମାନ ନିକୃଷ୍ଟ। ଅବଶ୍ୟ ସୂଚନା ପ୍ରଯୁକ୍ତି ସେବା ଓ ବିପିଓ ସେବାରେ କାର୍ଯ୍ୟରତ ଭାରତୀୟ ବ୍ୟାବସାୟିକ ଉଦ୍ୟୋଗମାନଙ୍କର ସେବାର ଗୁଣମାନ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତ। ନାସକମ୍ ଦ୍ବାରା ପରିଚାଳିତ ସର୍ବେକ୍ଷଣ ଓ ଗବେଷଣାରୁ ଏହା ଜଣାଯାଏ ଯେ ସୂଚନା ପ୍ରଯୁକ୍ତି ଓ ବିପିଓ କ୍ଷେତ୍ରରେ କାର୍ଯ୍ୟରତ ଭାରତୀୟ ଉଦ୍ୟୋଗମାନେ ଗ୍ରାହକ ଆବଶ୍ୟକତା ଓ ଗ୍ରାହକ ସନ୍ତୁଷ୍ଟିକୁ ପ୍ରାଧାନ୍ୟ ଦେଇଥାନ୍ତି ଓ ଏଥିପାଇଁ ବିଭିନ୍ନ ପ୍ରକ୍ରିୟା, ନିୟନ୍ତ୍ରଣ କୌଶଳ ଅନୁସରଣ କରିଥାନ୍ତି। ତେବେ ସାମଗ୍ରିକ ସ୍ତରରେ ଗୁଣ ଓ ମାନ ଅଧଃପତନର କାରଣ ପର୍ଯ୍ୟାଲୋଚନା କରିବା ଓ ଗୁଣମାନର ବିକାଶ ନିମିତ୍ତ ଆବଶ୍ୟକ ପ୍ରୟାସ ସମ୍ବନ୍ଧରେ ସମ୍ୟକ ଆଲୋଚନା କରିବା ଏ ପ୍ରବନ୍ଧର ଉଦ୍ଦେଶ୍ୟ ।
ଆଇଏସଓ ୮୪୦୨ ଅନୁଯାୟୀ ପ୍ରଦତ୍ତ ଗୁଣମାନର ସଂଜ୍ଞା ‘ଗୋଟିଏ ଉତ୍ପାଦିତ ଦ୍ରବ୍ୟ ବା ସେବାର ସାମଗ୍ରିକ ବୈଶିଷ୍ଟ୍ୟ ଓ ବିଶେଷତ୍ବ ଯାହାକି ନିର୍ଦିଷ୍ଟ ଆବଶ୍ୟକତା ପରିପୂରଣକୁ ସକ୍ଷମ କରାଏ।’ ଦ୍ବିତୀୟ ବିଶ୍ବଯୁଦ୍ଧରେ ଧ୍ବସ୍ତବିଧ୍ବସ୍ତ ଜାପାନ ଅତ୍ୟନ୍ତ ସ୍ୱଳ୍ପ ସମୟରେ ଆନ୍ତର୍ଜାତିକ ବାଣିଜ୍ୟରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିବା ସହ ସ୍ବୟଂ ଅର୍ଥନୀତିରେ ଅଭୂତପୂର୍ବ ସଫଳତା ହାସଲ କରିବା ସମସ୍ତେ ଜାଣନ୍ତି, କିନ୍ତୁ ଏହି ସଫଳତାର ପୃଷ୍ଠଭାଗରେ ଯେ ଜଣେ ଆମେରିକୀୟ ପରିଚାଳନା ଗୁରୁଙ୍କର ସାମାନ୍ୟ ଭୂମିକା ଥିଲା ତାହା ଖୁବ କମ ଲୋକ ଜାଣନ୍ତି। ସେହି ପରିଚାଳନା ଗୁରୁ ଏଡ୍ୱାର୍ଡ ଡେମିଙ୍ଗଙ୍କ ନାମରେ ନାମିତ ଡେମିଙ୍ଗ ପୁରସ୍କାର ଆଜି ଜାପାନରେ ପରିଚାଳନାଗତ ଉତ୍କର୍ଷ ପାଇଁ କୌଣସି ବ୍ୟବସାୟ ଉଦ୍ୟୋଗକୁ ମିଳୁଥିବା ସର୍ବୋଚ୍ଚ ପୁରସ୍କାର। ଡେମିଙ୍ଗଙ୍କର ୧୪ଟି ବିନ୍ଦୁ ବିଶିଷ୍ଟ ସମ୍ପୂର୍ଣ୍ଣ ଗୁଣମାନ ପରିଚାଳନା ତତ୍ତ୍ବ ଜାପାନରେ ଉତ୍ପାଦିତ ସାମଗ୍ରୀର ଗୁଣମାନ ବୃଦ୍ଧି ଓ ପ୍ରତିଯୋଗିତାପୂର୍ଣ୍ଣ ବଜାରରେ ଅନୁକୂଳ ସ୍ଥିତି ସୃଷ୍ଟି କରିବାରେ ବିଶେଷ ସହାୟକ ହୋଇଥିଲା। ଡେମିଙ୍ଗଙ୍କର ଦ୍ବିତୀୟ ତତ୍ତ୍ବ ଅନୁସାରେ ଏକ ବ୍ୟବସାୟ ଉଦ୍ୟୋଗର ‘ଉଇନ-ଉଇନ’ ଦର୍ଶନ ଆପଣେଇବା ଦରକାର ଯେଉଁଥିରେ ଗ୍ରାହକ, ବ୍ୟବସାୟ ଉଦ୍ୟୋଗର କର୍ମଚାରୀ, ବ୍ୟବସାୟ ଉଦ୍ୟୋଗର ଯୋଗାଣକାରୀ ସଂସ୍ଥା ଓ ସ୍ବୟଂ ବ୍ୟବସାୟ ଉଦ୍ୟୋଗ ଲାଭବାନ ହୋଇ ପାରିବେ। ଡେମିଂଙ୍କର ଚେନ ରିଆକସନ୍ ବା କ୍ରମାନ୍ବୟ ପ୍ରତିକ୍ରିୟାର ଆଧାର ଗୁଣମାନର ଉତ୍କୃଷ୍ଟତା। ସେ ପ୍ରମାଣିତ କରିଛନ୍ତି ଯେ ଉଚ୍ଚ ଗୁଣମାନ ପରିଶେଷରେ ଉତ୍ପାଦିତ ସାମଗ୍ରୀର ଦାମ କମାଇବା, ବଜାର ଅଂଶ କରଗତ କରିବା, ଅଧିକ ନିଯୁକ୍ତି ସୃଷ୍ଟି କରିବା ଏବଂ ଲାଭ ଅର୍ଜନ କରିବାରେ ସହାୟକ ହୋଇଥାଏ ।
ତେବେ ଭାରତରେ ଗୁଣମାନର ଅବକ୍ଷୟ ପାଇଁ ଦାୟୀ କଣ? ଦୁର୍ନୀତି, ସ୍ୱଳ୍ପ କଷ୍ଟରେ ଅଧିକ ଲାଭ ହାସଲ କରିବାର ମାନସିକତା, ଗ୍ରାହକକୁ ନିର୍ବୋଧ ବିଚାର କରିବା ବା ଆଉ କିଛି। ଏ ଲେଖକ ମତରେ ଦୁଇଟି କାରଣ ମୁଖ୍ୟତଃ ଦାୟୀ। ଗୁଣମାନର ପରିଭାଷା ସମ୍ପର୍କରେ ଗ୍ରାହକର ଅଜ୍ଞତା ଓ ଡେମିଙ୍ଗଙ୍କ ଚେନ୍ ରିଆକ୍ସନ୍ ତତ୍ତ୍ବକୁ ଦ୍ରବ୍ୟ ଉତ୍ପାଦନ ବା ସେବା ପ୍ରଦାନକାରୀ ବ୍ୟବସାୟିକ ଉଦ୍ୟୋଗମାନଙ୍କର ଉପେକ୍ଷା। ଗୁଣମାନର ଉଚିତ ପରିବେଶ ସୃଷ୍ଟି ନିମିତ୍ତ ଭାରତର ବିଶାଳ ଗ୍ରାହକ ସମୁଦାୟକୁ ବିଭିନ୍ନ ଉତ୍ପାଦିତ ଦ୍ରବ୍ୟ ଓ ସେବାର ଗୁଣମାନ ବିଷୟରେ ଅବଗତ କରାଇବା ଆବଶ୍ୟକ। ତେବେ ଯାଇ ଗ୍ରାହକ ଉଚ୍ଚଗୁଣମାନର ଦ୍ରବ୍ୟ ଓ ସେବା ଦାବି କରିପାରିବ। ସାଂପ୍ରତିକ ସମାଜରେ ଶିକ୍ଷାର ସ୍ତର, ବିଜ୍ଞାପନକୁ ନ ପରଖି ବିଶ୍ବାସ କରିଯିବାର ମାନସିକତା ପରିପ୍ରେକ୍ଷୀରେ ଗ୍ରାହକକୁ ଶିକ୍ଷିତ ଏବଂ ଜାଗ୍ରତ କରିବା ପାଇଁ ଏକ ବିପ୍ଲବ ଦରକାର। ଏଥିପାଇଁ ଉଭୟ ସରକାରୀ ବିଭାଗ, ଗ୍ରାହକ ସଂଘ ଏବଂ ଅନ୍ୟାନ୍ୟ ବେସରକାରୀ ସଂସ୍ଥାମାନେ ବିଧିବଦ୍ଧ ଉଦ୍ୟମ କରିବା ଆବଶ୍ୟକ ।
କ୍ବାଲିଟି କାଉନ୍ସିଲ ଅଫ୍ ଇଣ୍ଡିଆର ଦ୍ବିତୀୟ ଜାତୀୟ ଗୁଣମାନ ସଭାରେ ଭାଷଣ ଦେଇ ତତ୍କାଳୀନ ଭାରତର ରାଷ୍ଟ୍ରପତି ଡଃ ଏ. ପି. ଜେ. ଅବଦୁଲ କଲାମ କହିଥିଲେ ଯେ ବିକାଶଶୀଳ ଦେଶରୁ ବିକଶିତ ଦେଶକୁ ଉନ୍ନୀତ ହେବା ପାଇଁ ଆମକୁ ଆନ୍ତର୍ଜାତିକ ବଜାରରେ ପ୍ରତିଦ୍ବନ୍ଦ୍ବିତାରେ ସଫଳ ହେବା ଦରକାର ଓ ଏହି ଲକ୍ଷ୍ୟ ହାସଲର ଏକମାତ୍ର ମାଧ୍ୟମ ଉତ୍ପାଦିତ ଦ୍ରବ୍ୟ ଓ ସେବାର ଉଚ୍ଚତର ଗୁଣମାନ। ଉଚ୍ଚ ଗୁଣମାନ ପାଇଁ ଡେମିଙ୍ଗଙ୍କ ପ୍ରଦର୍ଶିତ ସମୁଦାୟ ଗୁଣମାନ ପରିଚାଳନା ଟୋଟାଲ କ୍ବାଲିଟି ମ୍ୟାନେଜମେଣ୍ଟ ତତ୍ତ୍ବ ହିଁ ଏକମାତ୍ର ରାସ୍ତା।
ଆଇଏସଓ ୮୪୦୨ ଅନୁଯାୟୀ ସମୁଦାୟ ଗୁଣମାନ ପରିଚାଳନାର ସଂଜ୍ଞା ଏକ ସଂଗଠନର ପରିଚାଳନା ସଂକ୍ରାନ୍ତ ଦୃଷ୍ଟିଭଙ୍ଗୀ ଯାହା କି ଗୁଣମାନ ଉପରେ କେନ୍ଦ୍ରିତ ଏବଂ ସଂଗଠନର ସମସ୍ତ ସଦସ୍ୟଙ୍କର ଅଂଶ ଗ୍ରହଣରେ ପରିପୁଷ୍ଟ। ଉତ୍ପାଦିତ ସାମଗ୍ରୀର ଗୁଣମାନ ହାସଲ ପାଇଁ ଭିତ୍ତିଭୂମିର ପ୍ରତ୍ୟେକ ଉପାଦାନ ନିର୍ଦ୍ଧାରିତ ବିବରଣର ପ୍ରୟୋଜନ ପୂରଣ କରିବା ଆବଶ୍ୟକ। ସର୍ବୋଚ୍ଚ ପରିଚାଳକଙ୍କଠାରୁ ଆରମ୍ଭ କରି ସର୍ବନିମ୍ନ କର୍ମଚାରୀ, ପ୍ରତ୍ୟେେକ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଓ ପ୍ରଶିକ୍ଷଣପ୍ରାପ୍ତ ହେବା ଦରକାର। ଉତ୍ପାଦିତ ସାମଗ୍ରୀ ପାଇଁ କଞ୍ଚାମାଲରୁ ଆରମ୍ଭ କରି ଯନ୍ତ୍ରପାତି, ଉତ୍ପାଦନ ଓ ବଜାରକରଣ ପ୍ରକ୍ରିୟା ଉଚିତ ପଦ୍ଧତିରେ ହେବା ଦରକାର। ଗୁଣମାନର ଅଭାବ ଯୋଗୁଁ ଆମର ଅର୍ଥନୀତି ବିପର୍ଯ୍ୟସ୍ତ ହେଉଛି ଏବଂ ଆମେ ମୌଳିକ ବିକାଶ ଇତ୍ୟାଦିରୁ ବଞ୍ଚିତ େହଉଛୁ। ଗ୍ରାହକ ହିସାବରେ ଆମେ ଉଚ୍ଚ ଗୁଣମାନର ଦ୍ରବ୍ୟ, ସେବା ବା ନିର୍ମାଣ ଦାବି କରିବା ଦରକାର।
ନିର୍ଦେଶକ, ଭାରତୀୟ ରାଜମାର୍ଗ
ଅଭିୟନ୍ତା ଅକାଦମୀ
Comments are closed.