ନୂଆଦିଲ୍ଲୀ : ‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ମୁକ୍ତିଲାଭ ମାମଲାରେ ଚୁଡ଼ାନ୍ତ ନିଷ୍ପତ୍ତି ନେବାକୁ ସୋମବାର ସୁପ୍ରିମ କୋର୍ଟ ନିିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ ଦେଖିବା ପରେ ଏହାର ମୁକ୍ତିଲାଭରେ ସ୍ଥଗିତାଦେଶ ଜାରି କରାଯିବ କି ନାହିଁ ତା’ର ନିଷ୍ପତ୍ତି ନେବାକୁ କୁହାଯାଇଛି। ସୁପ୍ରିମକୋର୍ଟ ଏଥିପାଇଁ ନିର୍ବାଚନ ଆୟୋଗଙ୍କୁ ୨୨ ଏପ୍ରିଲ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଲୋକସଭା ନିର୍ବାଚନ ସମୟରେ ଚଳଚ୍ଚିତ୍ରର ମୁକ୍ତିଲାଭକୁ ନେଇ ଅନେକ ରାଜନୈତିକ ଦଳ ଅସନ୍ତୋଷ ପ୍ରକାଶ କରିଥିଲେ। ଚଳଚ୍ଚିତ୍ର ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ କରି ମୁକ୍ତିଲାଭ ଉପରେ କଟକଣା ଲଗାଇବାକୁ ସେମାନେ ଦାବି କରିଥିଲେ। ତେବେ ଲୋକସଭା ନିର୍ବାଚନରେ ଚଳଚ୍ଚିତ୍ରର ଯେପରି କୌଣସି ପ୍ରଭାବ ନପଡ଼େ ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ଚଳଚ୍ଚିତ୍ର ନିର୍ମାତା ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମ କୋର୍ଟ ଚଳଚ୍ଚିତ୍ର ନିର୍ମାତା ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି।



