କରତାରପୁର କରିଡ଼ରକୁ ନେଇ ୧୬ରେ ପାକ୍‍-ଭାରତ ବୈଠକ

ନୂଆଦିଲ୍ଲୀ : କରତାରପୁର କରିଡ଼ର ନିର୍ମାଣକୁ ନେଇ ଅପ୍ରେଲ ୧୬ରେ ଡେରାବାବା ନାମକ ଜିରୋ ଲାଇନରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ହେବ। ଏହି ବୈଠକରେ କରିଡ଼ର ନିର୍ମାଣ କାର୍ଯ୍ୟ ସହ ଶ୍ରୀ କରତାରପୁର ସାହିବ ଗୁରୁଦ୍ୱାରକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଇମିଗ୍ରେଶନ ଏବଂ ସୀମା ଶୁଳ୍କ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ପାକିସ୍ତାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମହମ୍ମଦ ଫୈଜଲ ଟ୍ୱିଟ୍‍ କରି ଏହି ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ମାର୍ଚ୍ଚ ୧୯ରେ ଦୁଇ ଦେଶ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ବୈଠକ ହୋଇଥିଲା। ଏଥିରେ ଦୁଇ ଦେଶର ବିଶେଷଜ୍ଞମାନେ ସଡ଼କ ସର୍ବେକ୍ଷଣ, ସୀମାଙ୍କନ ସର୍ମ୍ପିତ ଜ୍ଞାନକୌଶଳ ଭଳି ଅନେକ ବିଷୟରେ ଆଲୋଚନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ଏସବୁ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ଏହି ବୈଠକରେ ଭାରତୀୟ ଭୂମି ଓ ବନ୍ଦର ପ୍ରାଧିକରଣ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ, ସୀମା ଶୁଳ୍କ ବିଭାଗ, ପ୍ରବାସନ ବିଭାଗ, ସେଚନ ବିଭାଗ, ସୀମା ସୁରକ୍ଷା ବଳ (ବିଏସ୍‍ଏଫ) ଆଦି ବିଭାଗର ଅଧିକାରୀମନେ ଭାଗ ନେବେ। ପ୍ରକାଶ ଯେ କରତାରପୁର କରିଡ଼ର ନିର୍ମାଣ ନେଇ ପାକିସ୍ତାନ ପକ୍ଷରୁ ଗଠିତ କମିଟିରେ ଖାଲିସ୍ତାନ ସମର୍ଥକ ଚାୱଲାଙ୍କ ସାମିଲକୁ ନେଇ ଭାରତ ଆପତ୍ତି ଜଣାଇଥିଲା। ପାକିସ୍ତାନ ଏହା ଉପରେ କୌଣସି ପଦକ୍ଷେପ ନନେବାରୁ ଭାରତ ବୈଠକକୁ ସ୍ଥଗିତ ରଖିଥିଲା। ଏବେ ଉଭୟ ଦେଶର ସରକାର ଅପ୍ରେଲ ୧୬ରେ ଆଗାମୀ ବୈଠକ ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଛି।

Comments are closed.