ବି.ଜେ.ଡି ବିଧାୟକ ପ୍ରାର୍ଥୀଙ୍କ କାରରୁ ୨ଲକ୍ଷ ଟଙ୍କା ଜବତ
କଲମପୁର : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳିର ବି.ଜେ.ଡି ବିଧାୟକ ପ୍ରାର୍ଥୀଙ୍କ କାରରୁ ଆଜି(ବୁଧବାର) ଫ୍ଲାଇଂସ୍କ୍ବାଡ୍ ଦ୍ୱାରା ୨ଲକ୍ଷ ଟଙ୍କା ଜବତ କରାଯାଇଥିବା ଜଣାପଡିଛି। ଏହି ଘଟଣା ସାଧାରଣରେ ଭୋଟ ପାଇଁ ନୋଟ କାରବାର ବୋଲି ଆଲୋଚନା ହେଉଛି।
ପ୍ରାପ୍ତ ସୂଚନା ଅନୁସାରେ, ଆଜି(ବୁଧବାର) ସକାଳ ପ୍ରାୟ ୧୦ଟା ବେଳେ ଲାଞ୍ଜିଗଡ ବିଧାନସଭା ନିର୍ବାଚନ ମଣ୍ଡଳିର ବି.ଜେ.ଡି ବିଧାୟକ ପ୍ରାର୍ଥୀ ବ୍ୟବହାର କରୁଥିବା ଏକ ଇନୋଭା କାର ନଂ(ଓ.ଆର.୦୨ ବିସି ୨୪୪୨)କୁ ନିର୍ବାଚନ ପରିଚାଳନା ଦାଇତ୍ୱରେ ଥିବା ମାଜିଷ୍ଟ୍ରେଟ୍ ତଥା ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଫ୍ଲାଇଂସ୍କ୍ବାଡ୍ ଅଟକାଇ ତଲାସ କରିଥିଲେ। ଏହି ତଲାସୀ ବେଳେ କାରରେ ୨ଲକ୍ଷ ଟଙ୍କା ଥିବା ଜାଣିବା ପରେ ଶ୍ରୀ ମହାପାତ୍ର କାରଟିକୁ ଜୟପାଟଣା ଥାନା ଜିମା ଦେଇଥିଲେ। କାର ଭିତରେ ଖୋଦ ବିଧାୟକ ପ୍ରାର୍ଥୀଙ୍କ ସମେତ କିଛି କର୍ମୀ ଥିଲେ ବୋଲି ସାଧାରଣରେ ଆଲୋଚନା ହେଉଛି। ଦିନକ ପରେ ନିର୍ବାଚନ ହେବାକୁ ଥିବା ବେଳେ ଏତେଗୁଡାଏ ଟଙ୍କା କେଉଁ ଉଦ୍ଦେଶ୍ୟରେ ନିଆଯାଉଥିଲା ? ଟଙ୍କାଟି କାହାର ? ସେନେଇ କୌଣସି ସଠିକ ସୂଚନା ମିଳିନଥିବା ବେଳେ ସାଧାରଣରେ ଏହି ଟଙ୍କା ନୋଟ୍ ବଦଳରେ ଭୋଟ ପାଇଁ ବ୍ୟବହାର ପାଇଁ ଯାଉଥିବା ଆଲୋଚନା ହେଉଛି। ଅନ୍ୟପଟେ ଏହି ଘଟଣାକୁ ଚପାଇ ଦେବା ପାଇଁ ବିଭିନ୍ନ ପ୍ରକାର କ୍ଷମତାର ପ୍ରୟୋଗ କରାଯାଉଥିବା ନେଇ ଜୟପାଟଣା ଅଞ୍ଚଳରେ ଚାପା ଗୁଞ୍ଜରଣ ସୃଷ୍ଟି ହେଉଛି। ତେଣୁ ତୁରନ୍ତ ଏହି ଟଙ୍କା କାହାର ଓ କେଉଁ ଉଦ୍ଦେଶ୍ୟରେ ନିଆଯାଉଥିଲା ତାହାର ସତ୍ୟତା ଅନୁସନ୍ଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି।
ଏନେଇ ଜୟପାଟଣା ଥାନା ଅଧିକାରୀ ଶୁସାନ୍ତ କୁମାର ସାହୁଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସେ କାରରେ ପ୍ରାୟ ୨ଲକ୍ଷ ଟଙ୍କା ଥିବା ସୂଚନା ଦେଇଥିବା ବେଳେ ଅନ୍ୟ କିଛି ସୂଚନା ଦେଇନଥିଲେ।
Comments are closed.