ଖାତାରେ ୧୫ ଲକ୍ଷ ଲେଖାଏଁ ଜମା କରାଯିବ ବୋଲି କେବେ କୁହାଯାଇନାହିଁ: ରାଜନାଥ ସିଂହ

ନୂଆଦିଲ୍ଲୀ : ଲୋକଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଲେଖାଏଁ ଟଙ୍କା ଜମା କରାଯିବ ବୋଲି କେବେ ବି କୁହାଯାଇନାହିଁ। ୨୦୧୪ ଲୋକସଭା ନିର୍ବାଚନ ସମୟରେ ଏଭଳି କୌଣସି ପ୍ରତିଶ୍ରୁତି ଦିଆଯାଇନଥିଲା ବୋଲି ଗୃହ ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର କହିଛନ୍ତି। ନ୍ୟୁଜ୍‍ ଏଜେନ୍ସି ‘ଏଏନ୍‍ଆଇ’କୁ ଦେଇଥିବା ସାକ୍ଷାତକାରରେ ରାଜନାଥ କହିଛନ୍ତି ଯେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଲେଖାଏଁ ଟଙ୍କା ପଠାଯିବ ବୋଲି କେବେ ବି କୁହାଯାଇନାହିଁ। ଆମେ କଳାଧନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲୁ ଓ କରିଛୁ ମଧ୍ୟ। ଆମ ସରକାର କଳାଧନ ବିରୋଧରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି) ଗଠନ କରିଛି।
ପ୍ରକାଶଯୋଗ୍ୟ ଯେ ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତିକୁ ନେଇ ବିରୋଧୀ ଦଳ ଗୁଡ଼ିକ ବିଜେପିକୁ ଟାର୍ଗେଟ କରୁଥିବାବେଳେ ରାଜନାଥ ଏହି ଟିପ୍ପଣୀ ଦେଇଛନ୍ତି। ମୋଦୀ ଏକ ନିର୍ବାଚନୀ ର‍୍ୟାଲିରେ ସମସ୍ତ ନାଗରିକଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଲେଖାଏଁ ଟଙ୍କା ଜମା କରାଯିବ କହିଥିଲେ ବୋଲି କଂଗ୍ରେସ ଦାବି କରିଛି। ତେବେ ମୋଦୀ କୌଣସି ବି ର‍୍ୟାଲିରେ ଏଭଳି ପ୍ରତିଶ୍ରୁତି ଦେଇନଥିଲେ ବୋଲି ପୂର୍ବରୁ ବିଜେପି ପକ୍ଷରୁ କୁହାଯାଇଛି। ସମସ୍ତ କଳାଧାନ ଟଙ୍କା ଫେରାଇ ଅଣାଗଲେ ମୁଣ୍ଡ ପିଛା ୧୫ ଲକ୍ଷ ଲେଖାଏଁ ଟଙ୍କା ହେବ ବୋଲି କୁହାଯାଇଥିଲା। ଏଥିରେ କାହାକୁ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇନଥିଲା।
ଏହାସହ ରାଜନାଥ କହିଛନ୍ତି ଯେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସହଯୋଗୀ ଏବଂ ସମ୍ପର୍କୀୟଙ୍କ ଠିକଣା ଉପରେ ହୋଇଥିବା ଆୟକର ବିଭାଗ ଚଢାଉ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। ଠୋସ୍‍ ସୂଚନା ଆଧାରରେ ଆୟକର ବିଭାଗ ଏହି ଚଢାଉ କରିଛି ଓ ଏହା ଏକ ସ୍ୱାୟତ୍ତ ସଂସ୍ଥା ଅଟେ। ଏହି ଏଜେନ୍ସି ଉପରେ ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଲାଗୁ ହୁଏ ନାହିଁ। ବିଭାଗ ନିଜ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛି, ତାକୁ ଆମେ ଅଟକାଇବୁ କେମିତି।

Comments are closed.