ବିଡମ୍ବନା; ମାତ୍ର ଟଙ୍କାଏ ପାଇଁ ମହିଳାଙ୍କୁ ପିଟି ପିଟି ମାରିଦେଲେ

ସୀତାପୁର : ଉତ୍ତରପ୍ରଦେଶ ସୀତାପୁର ଲହରପୁର କୋତୱାଲି ଅଞ୍ଚଳରେ ମାତ୍ର ଗୋଟିଏ ଟଙ୍କା ଉଧାରକୁ ନେଇ ଜଣେ ମହିଳାଙ୍କୁ ପିଟି ପିଟି ମାରିଦିଆଯାଇଥିବା ଅଭିଯୋଗ ହୋଇଛି। ରବିବାର ଏହି ହତ୍ୟାକାଣ୍ଡ ଘଟିଛି। ଏନେଇ ୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି।
ସୂଚନା ଅନୁସାରେ କୋତୱାଲି ଅଞ୍ଚଳ ପୁନନପୁର ଗ୍ରାମର ରାମପ୍ରସାଦ ନାମକ ଜଣେ ବ୍ୟକ୍ତି ଗ୍ରାମର ରାମଖେଲାୱନ ନାମକ ଜଣେ ବ୍ୟକ୍ତିଙ୍କ ପାନ ଦୋକାନକୁ ପାନ କିଣିବାକୁ ଯାଇଥିଲେ। ସେଠାରେ ଏକ ଟଙ୍କାର ଉଧାରକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। କିଛି ସମୟ ପରେ ରାମ ପ୍ରସାଦ ନିଜ ଘରକୁ ଚାଲିଯାଇଥିଲେ। କେତେ ଘଣ୍ଟା ପରେ ରାମଖେଲାୱନ ନିଜ ସମ୍ପର୍କୀୟଙ୍କ ସହ ରାମପ୍ରସାଦଙ୍କ ଘରକୁ ଯାଇ ଗାଳିଗୁଲଜ କରିଥିଲେ। ରାମପ୍ରସାଦ ଘରେ ନଥିବା ବେଳେ ତାଙ୍କ ୫୦ ବର୍ଷିୟ ପତ୍ନୀ ଏହାର ବିରୋଧ କରିଥିଲେ। ରାମଖେଲୱାନ ଓ ତାର ସହଯୋଗୀ କମଳେଶ, ପିଙ୍କୁ, ସୁରେଶ ଗିରିଧାରୀ ଓ ଅନ୍ୟ ଜଣେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଘରୁ ଟାଣି ଆଣି ନିର୍ଧୁମ ପିଟିଥିଲେ। ଫଳରେ ଗୁରୁତର ଅବସ୍ଥାରେ ରାମପ୍ରସାଦଙ୍କ ପତ୍ନୀଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୋତୱାଲା ଥାନାରେ ଏନେଇ ମାମଲା ରୁଜୁ ହୋଇଛି। ହତ୍ୟାକାରୀଙ୍କୁ ଧରିବାକୁ ପୁଲିସ୍‍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Comments are closed.