ମାଲେସିଆ ଓପନ ବ୍ୟାଡମିଣ୍ଟନ; ଭାରତୀୟ ଅଭିଯାନ ଶେଷ

କୁଆଲା ଲାମ୍ପୁର: ଭାରତର କିଦାମ୍ବୀ ଶ୍ରୀକାନ୍ତ ମାଲେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ସିଙ୍ଗଲ୍ସ କ୍ବାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ୨ୟ ସିଡ୍ ମାନ୍ୟତାପ୍ରାପ୍ତ ଚୀନର ଚେନ୍ ଲଙ୍ଗ୍ ୨୧-୧୮, ୨୧-୧୯ ଗେମରେ ୮ମ ସିଡ୍ ଶ୍ରୀକାନ୍ତଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୪୮ ମିନିଟ ମଧ୍ୟରେ ଶେଷ ହୋଇଥିଲା। ଶ୍ରୀକାନ୍ତ ପ୍ରଥମ ଗେମରେ ୧୬-୧୧ ପଏଣ୍ଟରେ ଆଗୁଆ ରହିଥିଲେ ସୁଦ୍ଧା ଏହି ସୁଯୋଗର ସଦୁପଯୋଗ କରିପାରିନଥିଲେ। ଲଙ୍ଗ୍ ଏହି ବ୍ୟବଧାନକୁ ହ୍ରାସ କରିବା ସହ ୨୧-୧୮ରେ ଜିତି ୧-୦ରେ ଆଗୁଆ ରହିଥିଲେ। ଦ୍ବିତୀୟ ଗେମରେ ୭-୧୧ ଓ ୧୧-୧୭ ପଏଣ୍ଟରେ ପଛୁଆ ଥାଇ ସୁଦ୍ଧା ଚମତ୍କାର ପ୍ରଦର୍ଶନ ବଳରେ ଶ୍ରୀକାନ୍ତ ଏହି ଗେମକୁ ୧୯-୧୯ ସ୍ଥିତିକୁ ଆଣିଥିଲେ। ତେବେ ଘଡିସନ୍ଧି ମୁହୂର୍ତ୍ତରେ ଶ୍ରୀକାନ୍ତ ଗୁରୁତର ତ୍ରୁଟି ଦର୍ଶାଇବାରୁ ଲଙ୍ଗ୍ ଏହାକୁ ୨୧-୧୯ରେ ଜିତି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶ୍ରୀକାନ୍ତଙ୍କ ପରାଜୟ ସହ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଅଭିଯାନ ଶେଷ ହୋଇଛି।
Comments are closed.