ମାଓବାଦୀଙ୍କ ସହ ସଂଘର୍ଷରେ ୪ ସିଆରପିଏଫ ଯବାନ ସହିଦ
ରାୟପୁର : ଛତିଶଗଡ଼ର ମାଓପ୍ରବଣ କାଂକୋର ଜିଲାରେ ଗୁରୁବାର ମାଓବାଦୀଙ୍କ ସହ ଗୁଳି ବିନିମୟରେ ୪ ଜଣ ସୀମା ସୁରକ୍ଷା ବଳ (ବିଏସ୍ଏଫ) ଯବାନ ସହିଦ ହୋଇଛନ୍ତି ଓ ୨ ଜଣ ଯବାନ ଆହତ ହୋଇଛନ୍ତି। ମାଓବାଦୀ ନିରୋଧୀ ଅଭିଯାନର ଡିଆଇଜିପି ପି.ସୁନ୍ଦରରାଜ ସୂଚନା ଦେଇଛନ୍ତି ଯେ ମାଓବାଦୀଙ୍କ ସହ ସଂଘର୍ଷରେ ୧୧୪ ବାଟାଲିୟନର ୪ ଜଣ ଯବାନ ସହିଦ ହୋଇଛନ୍ତି ଓ ୨ ଜଣ ଆହତ ହୋଇଛନ୍ତି।
ଏହା ପୂର୍ବରୁ ମାର୍ଚ୍ଚ ୨୬ରେ ଛତିଶଗଡ଼ର ସୁକମ୍ ଜିଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଥିଲେ। ତାର ପ୍ରତିଶୋଧ ନେବା ପାଇଁ ମାଓବାଦୀମାନେ ଗୁରୁବାର ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିଲେ। ରାଜ୍ୟରେ ଲୋକସଭା ନିର୍ବାଚନକୁ ମାତ୍ର ଆଉ କିଛି ବାକି ଥିବାବେଳେ ଏଭଳି ଘଟଣା ଚିନ୍ତାର ବିଷୟ ହୋଇଛି। ମାଓବାଦୀମାନେ ଲୋକଙ୍କୁ ନିର୍ବାଚନ ବର୍ଜନ କରିବାକୁ ଧମକ ଦେଇଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ୍ ଏବଂ ଅର୍ଦ୍ଧ ସାମରିକ ବାହିନୀ ଯବାନମାନେ ମାଓବାଦୀ ବିରୋଧୀ ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି। ଛତିଶଗଡ଼ରେ ୩ଟି ପର୍ଯ୍ୟାୟରେ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ଅପ୍ରେଲ ୧୧ରେ ଭୋଟ ଗ୍ରହଣ କରାଯିବ। ଏହାପରେ ଅପ୍ରେଲ ୧୮ ଓ ଅପ୍ରେଲ ୨୩ରେ ଭୋଟ ଗ୍ରହଣ ହେବ। ମଇ ୨୩ରେ ଭୋଟ ଗଣତି ହେବ। ଏହା ପୂର୍ବରୁ ମାର୍ଚ୍ଚ ୩୧ରେ ଦାନ୍ତେୱାଡ଼ାରୁ ସୁରକ୍ଷା ବଳ ଜଣେ ମହିଳା ମାଓବାଦୀଙ୍କ ସମେତ ୩ ମାଓବାଦୀଙ୍କୁ ଗିରଫ କରିଥିଲେ।
Comments are closed.