ଆରଜେଡି ନେତା ତେଜପ୍ରତାପଙ୍କୁ ଜୀବନରୁ ମାରିଦେବାକୁ ଧମକ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପଙ୍କୁ ଫୋନ୍‍ କଲ୍‍ ଯୋଗେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ଏହାସହ ତେଜପ୍ରତାପଙ୍କ ପିଏକୁ ବି ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ଏ ସମ୍ପର୍କରେ ମଙ୍ଗଳବାର ଥାନାରେ ଅଭିଯୋଗ କରାଯାଇଛି। ପୁଲିସ୍‍ କଲ୍‍ ତଥ୍ୟକୁ ଆଧାର କରି ମାମଲାର ତଦନ୍ତ କରୁଛି। ଏହି ଘଟଣାକୁ ନେଇ ବିହାର ରାଜନୀତି ସରଗରମ ହୋଇପଡ଼ିଛି। ପୁଲିସ୍‍ ପକ୍ଷରୁ କୁହାଯାଇଛି ଯେ ତେଜପ୍ରତାପଙ୍କୁ କଲ୍‍ କରିଥିବା ଯୁବକ ନିଜକୁ ଗୋହ ଆରଜେଡି ଛାତ୍ର ସଂଗଠନର ଅଧ୍ୟକ୍ଷ ବୋଲି କହୁଛି। ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଧମକପୂର୍ଣ୍ଣ କଲକୁ ନେଇ ପୁଲିସ୍‍ ସତର୍କତା ଅବଲମ୍ବନ କରୁଛି।
ଏପଟେ ତେଜପ୍ରତାପ ନିଜ ପରିବାର ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରଥମେ ସେ ଦଳ ଦ୍ୱାରା ବିହାରର ଲୋକସଭା ଆସନ ପାଇଁ ଘୋଷିତ ପ୍ରାର୍ଥୀଙ୍କୁ ନେଇ ପ୍ରଶ୍ନ କରିଥିଲେ। ଜାହ୍ନାବାଦ ଏବଂ ଶିବହାର ଲୋକସଭା ଆସନରୁ ସେ ପ୍ରାର୍ଥୀ ଦେବେ ବୋଲି କହିଥିଲେ। ନିକଟରେ ସେ ସାରଣ ଲୋକସଭା ଆସନର ଆରଜେଡି ପ୍ରାର୍ଥୀ ତଥା ନିଜ ଶ୍ୱଶୁର ଚନ୍ଦ୍ରିକା ରାୟଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ଦଳରେ ଅସନ୍ତୋଷ ଲାଗି ରହିଛି।

Comments are closed.